ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସୋମବାର ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିଥିବାବେଳେ ବିଭିନ୍ନ ଜିଲାରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କୋରାପୁଟ, ଖୋର୍ଦ୍ଧା, ସମ୍ବଲପୁର, କଟକ, ନୟାଗଡ଼, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଅନୁଗୋଳ ଓ ଯାଜପୁର ଆଦି ଜିଲାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି। ଘନ କୁହୁଡ଼ି ପାଇଁ କେତେକ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହିସବୁ ଜିଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୋଳ, ଢ଼େଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ନୟାଗଡ଼ ଆଦି ରହିଛି।


