Categories: ରାଜ୍ୟ

ନୂଆ ଭାରିଆଣ୍ଟ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ

ଭୁବନେଶ୍ୱର, ୨୫ା୧୨(ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ବିଏଫ୍‌.୭କୁ ନେଇ ସବୁଠି ଚିନ୍ତାଜନକ ପରିସ୍ଥିତି ଦେଖାଦେଇଛି। ଏ ପରିସ୍ଥିତିରେ ଲୋକେ ଭୟଭୀତ ହେଲା ଭଳି ମନ୍ତବ୍ୟ ନ ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ରାଜ୍ୟବାସୀଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇ କହିଛନ୍ତି, ଏହି ଭାରିଆଣ୍ଟ ଦୁଇବର୍ଷ ହେବ ଅଛି। ଯେହେତୁ ଏହା ଚାଇନାରେ ବଢ଼ୁଛି, ତେଣୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ଏହାର ସଂକ୍ରମଣ କ୍ଷମତା ଅଧିକ ଅଛି, କିନ୍ତୁ ଏହାର ଫାଟାଲିଟି ଓ ମୋଟାଲିଟି ବିଶେଷ ନାହିଁ। ତେଣୁ ଲୋକଙ୍କୁ ଭୟଭୀତ କଲା ଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଗତ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି। ତେଣୁ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ। ୩ ମାସରୁ ଅଧିକ ହେଲାଣି ରାଜ୍ୟରେ ପଜିଟିଭ ରେଟ୍‌ ବଢ଼ିନାହିଁ। ହସ୍ପିଟାଲରେ ମଧ୍ୟ ରୋଗୀ ଅଧିକ ନାହାନ୍ତି। ଆଗକୁ ଯଦି ସଂକ୍ରମଣ ଆସେ, କିପରି ମୁକାବିଲା କରାଯିବ ସେନେଇ ଆମେ ପ୍ରସ୍ତୁତ ହୋଇଛୁ। ସର୍ଭେଲାନ୍ସକୁ ଜୋରଦାର୍‌ କରାଯିବ। ଯାହା ଦେହରେ ଲକ୍ଷଣ ଅଛି ତୁରନ୍ତ ଟେଷ୍ଟ କରାନ୍ତୁ। ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି। ବର୍ତ୍ତମାନ ରୋଗୀ ନ ଥିଲେ ମଧ୍ୟ ବେଡ୍‌ ମହଜୁଦ ରଖାଯାଇଛି। ଦରକାର ପଡ଼ିଲେ ବେଡ୍‌ ବଢ଼ାଯିବ। ରାଜ୍ୟରେ ନୂଆ ଭାରିଆଣ୍ଟର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ ୨୭ ତାରିଖରେ ମକ୍‌ ଡ୍ରିଲ୍‌ କରାଯିବ। ସରକାର ସବୁବେଳେ ରୋଗୀଙ୍କୁ ଉଚିତ ଚିକିତ୍ସା ଦେବାକୁ ପ୍ରତିଶ୍ରୁତିବଦ୍ଧ। ପୂର୍ବ ଲହର ପରି ଏଥର ମଧ୍ୟ ଯଦି ସଂକ୍ରମଣ ବଢ଼େ, ରାଜ୍ୟ ସରକାର ଚିକିତ୍ସା ଦାୟିତ୍ୱ ନେବେ। ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ଓଡ଼ିଶାକୁ ସିଧାସଳଖ ଭାବରେ ଅନ୍ତର୍ଜାତୀୟ ବିମାନ ଆସୁନାହିଁ। ତେଣୁ ଯଦି କିଏ ଆସୁଛି ଗାଇଡ୍‌ଲାଇନ ହିସାବରେ ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।