ଭୁବନେଶ୍ୱର,୧୫ା୫: ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ ବୋଲି ଶୁକ୍ରବାର କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ୍ ଅଛି। ଆତଙ୍କିତ ହୋଇ ତେଲ ନ କିଣିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ପାତ୍ର। ଟାଙ୍କିରେ ବହୁତ ଭିଡ଼ ବଢ଼ିଯିବାରୁ ମାଲିକ ଅଳ୍ପ ଅଳ୍ପ ତେଲ ଦେଉଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ କିଛି ନିୟମ କରାଯାଇ ନାହିଁ। ୧୩ ଦିନ ପାଇଁ ଓଡ଼ିଶାରେ ତେଲ ଷ୍ଟକ୍ ଅଛି ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନା ଥାଉକି, ଇରାନ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପାଇଁ ଫେବୃଆରୀ ୨୮ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ବିଶେଷକରି ଆରବ ଦେଶଗୁଡ଼ିକରୁ ବିଭିନ୍ନ ଦେଶକୁ ତୈଳ, ଗ୍ୟାସ ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ ହେଉଥିବା ସାମୁଦ୍ରିକ ପଥ ‘ଷ୍ଟ୍ରେଟ୍ ଅଫ ହର୍ମୁଜ’କୁ ଇରାନ ନିଜ ନିୟନ୍ତ୍ରଣରେ ରଖିଛି। କିଛି ସପ୍ତାହ ହେଲା ଯୁଦ୍ଧ ବିରତି ରହିଥିଲେ ମଧ୍ୟ ହର୍ମୁଜ୍ରେ ସାମଗ୍ରୀ ପରିବହନ ସ୍ବାଭାବିକ ହୋଇପାରୁନାହିଁ। ଏହାର ପ୍ରଭାବରେ ଭାରତ ସମେତ ଅନ୍ୟ କେତେକ ଦେଶ ତୈଳ ଓ ରନ୍ଧନ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ଶା ଏଥିରୁ ବାଦ ପଡ଼ିନାହିଁ। ପ୍ରଥମେ ଗ୍ୟାସ ସମସ୍ୟା ନେଇ ସାରା ଏକପ୍ରକାର ସମସ୍ୟା ସୃଷ୍ଟି ହୋଇଥିବାବେଳେ ଏବେ ଅନେକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଦେଲାଣି। କେତେକ ଫିଲିଂ ଷ୍ଟେଶନରେ ପେଟ୍ରୋଲ ଓ ଡିଜେଲ ନ ଥିବା ଲେଖି ଜଣାଇ ଦିଆଯାଇଥିବାବେଳେ ଆଉ କେତେକ ସ୍ଥାନରେ ଲମ୍ବା ଧାଡ଼ି ଲାଗୁଛି। ଲୋକଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ପେଟ୍ରୋଲ ଓ ଡିଜେଲ ଦେବା ପରିବର୍ତ୍ତେ ନିର୍ଦ୍ଧାରିତ ପରିମାଣର ଦିଆଯାଉଛି।