ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ; ମଙ୍କି ପକ୍ସ ଚିକିତ୍ସା ପାଇଁ ଜାରି ହେବ ମାର୍ଗଦର୍ଶିକା

ଭୁବନେଶ୍ୱର, ୩୦।୭(ବ୍ୟୁରୋ)- ବିଶ୍ୱର ୭୮ଟି ଦେଶରେ ଏବେ ମଙ୍କି ପକ୍ସ ଭୂତାଣୁ କାୟା ବିସ୍ତାର କରିସାରିଲାଣି। ଏଥିରେ ୨୧ହଜାର ରୋଗୀ ଆକ୍ରାନ୍ତ ହୋଇସାରିଥିବାବେଳେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଭାରତରେ ୪ଜଣ ମଙ୍କି ପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। କେରଳରେ ୩ ଜଣ ଓ ଦିଲ୍ଲୀର ଜଣେ ରୋଗୀ ରହିଛନ୍ତି। ତେବେ ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ମଙ୍କି ପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। କିନ୍ତୁ ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଖୁବ୍‌ଶୀଘ୍ର ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିଠାରେ ଏହାର ନମୂନା ପରୀକ୍ଷଣ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଶନିବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମଙ୍କି ପକ୍ସ ସମ୍ପର୍କିତ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି। ସେହିଭଳି ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମଙ୍କି ପକ୍ସର ଚିକିତ୍ସା ପାଇଁ ମେଡିସିନ ବିଭାଗର ପ୍ରଫେସର ଡା. ଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏବେ ପ୍ରତ୍ୟେକ ଜିଲାରୁ ମେଡିସିନ, ପେଡିଆଟ୍ରିକ ଏବଂ ସ୍କିନ ଆଣ୍ଡ୍‌ ଭିଡି ଡାକ୍ତର ତଥା ଏଡ୍‌ସ କଣ୍ଟ୍ରୋଲ ସୋସାଇଟି ଅଧୀନ ସମସ୍ତ ଜିଲାସ୍ତରୀୟ ପରାମର୍ଶ ଅଧିକାରୀଙ୍କୁ ମଙ୍କି ପକ୍ସର ଚିକିତ୍ସା ପାଇଁ ତାଲିମ ଦିଆଯିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ଏକ ମାର୍ଗଦର୍ଶିକା ଜାରି କରାଯିବ। ଏହାକୁ ନେଇ ଜନସାଧାରଣ ଅଯଥାରେ ଆତଙ୍କିତ ହେବାର କୌଣସି କାରଣ ନାହିଁ। କେବଳ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ବୈଠକରେ ଆଲୋଚନା ହୋଇଛି।