ବିଧାନସଭା ସମ୍ମୁଖରେ ଆତ୍ମାହୂତି ରୋକିବାକୁ ସମସ୍ତ ଜିଲାର ଏସପିଙ୍କୁ ଆଲର୍ଟ କଲେ ରାଜ୍ୟ ସରକାର

ଭୁବନେଶ୍ବର,୩୦।୧୧(ବ୍ୟୁରୋ): ରାଜ୍ୟ ସରକାର ଚଳିତବର୍ଷ ଶୀତ ଅଧିବେଶନରେ ବିଧାନସଭା ସମ୍ମୁଖରେ ଆତ୍ମାହୂତି ରୋକିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସମସ୍ତ ଜିଲାର ଏସ୍‌ପିମାନଙ୍କୁ ଆଲର୍ଟ କରାଯାଇଛି ।
ଅସନ୍ତୋଷ ଜାହିର କରି ଆତ୍ମାହୂତି କରିବାକୁ ଉଦ୍ୟମ କରୁଥିବା ଲୋକଙ୍କୁ ବୁଝାଇ କିପରି ସମସ୍ୟା ଦୂର କରିହେବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେମାନେ ଦାବି କରିଥିବା ବିଷୟ ଉପରେ ଆଲୋକପାତ କରି କିପରି ଜିଲାରେ ତାଙ୍କ ସମାଧାନ କରିହେବ ସେଥିପ୍ରତି ଧ୍ୟାନ ଦେବାକୁ ଏସ୍‌ପିଙ୍କୁ କହିଛନ୍ତି । ଯେପରି ଏଥର ବିଧାନସଭା ସମ୍ମୁଖରେ ଆତ୍ମାହୂତି ପ୍ରସଙ୍ଗ ନ ଆସେ ସେଥିପ୍ରତି ସଜାଗ ରହିବାକୁ କହିଛନ୍ତି ।

ଏଥିସହ ବିଧାନସଭା ଚାଲୁଥିବା ସମୟରେ ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ବନ୍ଧୁକଧାରୀ ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍‌ସ ବ୍ୟବସ୍ଥା ମଧ୍ୟ ହୋଇଛି । ବିଧାନସଭା ଚାରିପାଖରେ ଟ୍ରାଫିକ୍‌ କଟକଣା ଲାଗୁ ହେବା ସହ ଜନସାଧାରଣଙ୍କ ଯିବା ଆସିବା ଉପରେ ରୋକ ଲଗାଯାଇଛି । କେବଳ ସରକାରୀ ଚାକିରିଆ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯିବାକୁ ଅନୁମତି ମିଳିଛି। ଏଥିପାଇଁ କମିଶନ୍‌ରେଟ ପୋଲିସଙ୍କ ଅଫିସଠୁ ଆରମ୍ଭ କରି ଏଜି ଛକ ପାଖ ଓ କେଶରୀ ଟକିଜ୍‌ଠୁ ଆରମ୍ଭ କରି ଆଇଜି ପାର୍କ ନିକଟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।