ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

କଟକ ଅଫିସ,୧୦ । ୧୦: କଟକ ଦଶହରା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟରେ ଚାଲିଥିବା ମାମଲାରେ ଶୁକ୍ରବାର ଶୁଣାଣି ହୋଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ୪ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ ସପକ୍ଷରେ ରାଜ୍ୟ ସରକାର ସତ୍ୟପାଠରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଏହି ଦୁଇଟି ସତ୍ୟପାଠକୁ ନେଇ ଆସନ୍ତା ମଙ୍ଗଳବାର ସୁଦ୍ଧା ପ୍ରତିଜବାବ ରଖିବାକୁ ଆବେଦନକାରୀଙ୍କୁ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ଏବଂ ବିଚାରପତି ବି.ଆର୍‌. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସହରର ୩ଟି ପୂଜା କମିଟି ହାଇକୋର୍ଟରେ ୫ଟି ମାମଲା ରୁଜୁ କରିଥିଲେ। ବାଲୁବଜାର ପୂଜା କମିଟି ପକ୍ଷରୁ କେବଳ ୩ଟି ମାମଲା ରୁଜୁ ହୋଇଥିବାବେଳେ ଫିରିଙ୍ଗିବଜାର ପୂଜା କମିଟି ଓ ଉପର ତେଲେଙ୍ଗାବଜାର ପୂଜା କମିଟି ଗୋଟିଏ ଲେଖାଏ ମାମଲା ରୁଜୁ କରିଥିଲେ।
ସୂଚନାଯୋଗ୍ୟ, ଯେଉଁ ପୂଜା କମିଟି ଯେତିକି ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି, ସେମାନଙ୍କୁ ସେତିକି ଉଚ୍ଚର ମୂର୍ତ୍ତି ପୂଜା କରିବାକୁ ଅନୁମତି ଦେବାକୁୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପୋଲିସ କମିଶନର ୪ ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚର ମୂର୍ତ୍ତି ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶାନାମା ଜାରି କରିଥିଲେ। ଫଳରେ ଏହି ବିବାଦ ବଢ଼ିଥିଲା। ଏ ନେଇ ବାଲୁବଜାର ପୂଜା କମିଟି ସଭାପତି ତଥା ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନାରିଆଙ୍କ ପକ୍ଷରୁ ଗୋଟିଏ ରିଟ୍‌ ପିଟିଶନ, ଗୋଟିଏ ଅଦାଲତ ଅବମାନନା ମାମଲା ଓ ଗୋଟିଏ ରିଭ୍ୟୁ ପିଟିଶନ ଦାଖଲ କରାଯାଇଥିଲା। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଗାଇଡ୍‌ଲାଇନକୁ ନେଇ ରାଜ୍ୟ ସରକାର ମହଲତ ମାଗିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ କରୋନା ଅଣାୟତ୍ତ ହେଉଥିବାବେଳେ ପୂଜା ପାଇଁ ଗାଇଡ୍‌ଲାଇନ କ’ଣ କରାଯାଇପାରିବ ସେ ନେଇ ପୁଣି ଥରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ସମୟ ମଗାଯାଇଥିଲା।