‘ନାଟୁ ନାଟୁ’ ଗୀତରେ ଝୁମିଲେ ତାରକା

ଜାମନଗର,୪।୩:ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ଜଣାଶୁଣା ବ୍ୟବସାୟୀ ବୀରେନ୍‌ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟଙ୍କ ତିନି ଦିନିଆ ପ୍ରାକ୍‌ ବିବାହ ଉତ୍ସବ ବହୁ ଧୁମ୍‌ଧାମ୍‌ରେ ରବିବାର ସମ୍ପର୍ଣ୍ଣ ହୋଇଛି। ଜାମନଗରରେ ଆୟୋଜିତ ହୋଇଥିବା ଏହି ୩ ଦିନିଆ ଉତ୍ସବରେ ଦେଶ ବିଦେଶର ୨୦୦୦ରୁ ଅଧିକ ସେଲିବ୍ରିଟିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଏହି ପ୍ରାକ ବିବାହ ଉତ୍ସବରେ ମେଟା ସିଇଓ ମାର୍କ ଜୁକରବର୍ଗ, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ଝିଅ ଇଭାନ୍କା ଟ୍ରମ୍ପ, ଆଲ୍ଫାବେଟ୍‌ ସିଇଓ ସୁନ୍ଦର ପିଚାଇ, ପ୍ରସିଦ୍ଧ ପପ୍‌ ସିଙ୍ଗର ରିହାନା ଓ ଅନ୍ୟ ବହୁ ବିଶିଷ୍ଟ ବିଦେଶୀ ଅତିଥି ଯୋଗ ଦେଇଥିଲେ। ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୂରା ବଲିଉଡ୍‌ ଏକ ପ୍ରକାର ଜାମନଗରରେ ଡେରା ପକାଇଥିଲା। ବଲିଉଡ୍‌ ଷ୍ଟାର୍‌ ସଲମାନ ଖାନ୍‌, ଶାହରୁଖ୍‌ ଖାନ୍‌, ଆମିର ଖାନ୍‌, ସେଫ୍‌ ଅଲ୍ଲୀ ଖାନ୍‌, କରୀନା କପୁର, କିଆରା ଆଡ଼ଭାନୀ, ଶାହୀଦ୍‌ କପୁର, ଦୀପିକା ପାଦୁକୋନ୍‌, ରଣବୀର ସିଂ, ରଣବୀର କପୁର ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇ ମାହୋଲକୁ ରଙ୍ଗିନ କରିଥିଲେ। ସେହିପରି କ୍ରିକେଟ ଷ୍ଟାର ସଚିନ୍‌ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ, ରୋହିତ ଶର୍ମା ପ୍ରମୁଖ ମଧ୍ୟ ଏହି ୩ ଦିନିଆ ଉତ୍ସବରେ ସାମିଲ ହୋଇଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିମାନଙ୍କ ସାମ୍‌ନାରେ ଏକ ସ୍ବତନ୍ତ୍ର ଡ୍ରୋନ ଶୋ’ ପ୍ରଦର୍ଶିତ କରାଯାଇଥିଲା। ସେହିପରି ପପ୍‌ ସିଙ୍ଗର ରିହାନାଙ୍କ ଷ୍ଟେଜ ପରଫର୍‌ମାନ୍ସ ଉପସ୍ଥିତ ସମସ୍ତ ଅତିଥିଙ୍କୁ ମତୁଆଲା କରିଥିଲା। ଏହି ଅବସରରେ ବଲିଉଡର ତିନି ସୁପରଷ୍ଟାର ଶାହରୁଖ, ସଲ୍‌ମାନ୍‌, ଆମିର୍‌ ଖାନ୍‌ଙ୍କ ସହ ତେଲୁଗୁ ଅଭିନେତା ରାମଚରଣ ଏକା ସହ ଷ୍ଟେଜ୍‌ରେ ପ୍ରସିଦ୍ଧ ‘ନାଟୁ ନାଟୁ’ ଗୀତର ତାଳେ ତାଳେ ନାଚିଥିଲେ, ଯାହା ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

Share