ଏସ୍‌ସିବି କାଜୁଆଲଟି ସ୍ଥିତି ଖରାପ

କଟକ ଅଫିସ,୧୯ା୮: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର କାଜୁଆଲିଟି ଓ ଆଇସୋଲେଶନ ୱାର୍ଡରେ ସ୍ଥିତି ଖରାପ ରହିଛି। କାଜୁଆଲିଟିରୁ ସୋମବାର ଜଣେ ରୋଗୀ ଚିହ୍ନଟ ହୋଇଥିଲେ। ଅନେକ ଚେଷ୍ଟା ପରେ ତାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ଯାଏ ଆହୁରି ୪ ଜଣ ରୋଗୀ କାଜୁଆଲିଟିରେ ଅପେକ୍ଷା କରି ରହିଛନ୍ତି। ସେମାନଙ୍କୁ ସ୍ଥାନାନ୍ତର କରାଯାଇ ନ ଥିବାରୁ ପାଖରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି କାଜୁଆଲିଟିର କର୍ମଚାରୀ ମଧ୍ୟ କାମ ବେଳେ ଆଶଙ୍କାରେ ରହିବା ସହ ଏନେଇ ସିଡିଏମ୍‌ଓ ଏବଂ ହସ୍ପିଟାଲ ଅଧୀକ୍ଷକଙ୍କୁ ବାରମ୍ବାର ଜଣାଇଛନ୍ତି। କିନ୍ତୁ କିଛି କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି। କୌଣସି କୋଭିଡ୍‌ ହସ୍ପିଟାଲରେ ଶଯ୍ୟା ଖାଲି ନ ଥିବାରୁ ଏସ୍‌ସିବିରେ ଏଭଳି ସ୍ଥିତି ଉପୁଜିଛି ବୋଲି ଅଧିକାରୀମାନେ କହିଛନ୍ତି। ଆଇସୋଲେଶନ ୱାର୍ଡରୁ କେବଳ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲାଣି। ମଙ୍ଗଳବାର ଏଠାରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ୫ ଜଣଙ୍କ ମୃତ୍ୟୁ ହୋଇଛି।
ଅନ୍ୟପକ୍ଷରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ସବୁ ଦିନ ଅପେକ୍ଷା ମଙ୍ଗଳବାର ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରାୟ ୭ଟି ବିଭାଗରୁ ୨୦ରୁ ଅଧିକ ପଜିଟିଭ ଚିହ୍ନଟ ହେବା ସହ ଆଇସୋଲେଶନ ୱାର୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଇଏନ୍‌ଟି ବିଭାଗରୁ ଜଣେ ଡାକ୍ତରଙ୍କ ସମେତ ୪ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ସେହିପରି ନେଫ୍ରୋଲୋଜି ବିଭାଗ ଆଉଟ୍‌ଡୋରରୁ ୩ ରୋଗୀ ଓ ଜଣେ ରୋଗୀଙ୍କ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ନ୍ୟୁରୋ ସର୍ଜରୀ ବିଭାଗରୁ ୧, ସ୍ତ୍ରୀରୋଗ ବିଭାଗ ଆଉଟ୍‌ଡୋରରୁ ୧ ଓ ପାଥୋଲୋଜି ବିଭାଗର ଜଣେ କିରାଣିଙ୍କ ରିପୋର୍ଟ ପଜିଟିଭ ବାହାରିଛି। କ୍ୟାନ୍ସର ହସ୍ପିଟାଲରୁ ୨ଜଣଙ୍କ ଆଣ୍ଟିଜେନ ରିପୋର୍ଟ ପଜିଟିଭ ଆସିଛି।