‘ଜାଗା ସମ୍ପର୍କ’ ଆୟୋଜନ କଲା ପୌରସଂସ୍ଥା

ଢେଙ୍କାନାଳ ଅଫିସ, ୨୧।୧ ଢେଙ୍କାନାଳ ପୌରାଞ୍ଚଳର ୧ନଂ. ଓ୍ବାର୍ଡ କାଠଗଡ଼ା ପର୍ବତିଆ ସାହିରେ ପୌର ସଂସ୍ଥା ପକ୍ଷରୁ ନିର୍ବାଚନ ଲାଗି ଜାରି କରାଯାଇଥିବା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର କାଠଗଡ଼ା ଅଞ୍ଚଳରେ ପୌରସଂସ୍ଥା ପକ୍ଷରୁ ‘ଜାଗା ସମ୍ପର୍କ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାବେଳେ ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଯୋଗଦେଇଥିଲେ। ସେମାନଙ୍କ ଲାଗି ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା। ଏପରିକି କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ପୌରସଂସ୍ଥାର ଏଭଳି କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି।
ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, କୌଣସି ଆଚରଣବିଧି କିମ୍ବା କୋଭିଡ୍‌ ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ ହୋଇନାହିଁ। ‘ଜାଗା ସମ୍ପର୍କ’ ଏକ ସଚେତନତା କାର୍ଯ୍ୟକ୍ରମ। ଏଠାରେ ସରକାରଙ୍କ ଜନହିତକର ଯୋଜନାର ପ୍ରଚାରପ୍ରସାର କରାଯାଇନାହିଁ। କେବଳ ସଚେତନ କରାଇବାକୁ ୧୦୦ ହିତାଧିକାରୀଙ୍କୁ ଡକାଯାଇଥିଲା। ତେବେ କେତେଜଣ ଏହାକୁ ପ୍ରସଙ୍ଗ କରୁଥିବା ସେ ସ୍ପଷ୍ଟୀକରଣ ଦେଇଛନ୍ତି। ଅନ୍ୟପଟେ ଜିଲାରେ ଆଦର୍ଶ ଆଚରଣ ବିଧି ପାଳନ କଡ଼ାକଡ଼ି କରାଯିବାକୁ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବାବେଳେ ପୌରସଂସ୍ଥା ଏଭଳି ଏକ ସରକାରୀ କାର୍ଯ୍ୟକ୍ରମ କରିବାକୁ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ନିନ୍ଦା କରିଛନ୍ତି।