ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ ତାଙ୍କ ସାଦୃଶ୍ୟରେ ମଣିଷ ତିଆରି କରିଛନ୍ତି, ପୁରୁଷ ଓ ନାରୀ ସେ ସୃଷ୍ଟି କରିଛନ୍ତି“, ଲିଙ୍ଗଗତ ପାର୍ଥକ୍ୟ ଥିବା ପୁରୁଷ ଓ ନାରୀ ଦୁଇଟା ଯାକ ତାଙ୍କ ରୂପର କିପରି ହେଲା ବୁଝି ହେଉନି। କୋରାନ୍ କହେ ଈଶ୍ୱରଙ୍କ କୌଣସି ରୂପ ନାହିଁ, ତେଣୁ ତାଙ୍କର ଛାଞ୍ଚ ନାହିଁ। କୋରାନ୍କୁ ବୋଧଗମ୍ୟ କରୁଥିବା ଗ୍ରନ୍ଥ ‘ହାଡିଥ୍’ କହେ ଆଲ୍ଲା ଆଦାମ୍ଙ୍କୁ ସୃଷ୍ଟି କଲାବେଳେ ନିଜର କିଛି ଗୁଣ ତାଙ୍କୁ ଦେଇଛନ୍ତି। ଶ୍ରୀମଦ୍ ଭଗବତ ଗୀତା କହେ, ଶ୍ରୀକୃଷ୍ଣ ସମସ୍ତଙ୍କ ‘ବୀଜପ୍ରଦ ପିତା’ (ଅଧ୍ୟାୟ ୯ର ଶ୍ଳୋକ ୧୭, ଆଉ ଅଧ୍ୟାୟ ୧୪ ଶ୍ଳୋକ ୪)ା ମାତା ବା ନାରୀ ନ ଥାଇ ପିତୃତ୍ୱ ସମ୍ଭବ କି? ଯଦି ଭଗବାନ ହିଁ ବୀଜ, ତେବେ ମଣିଷର ଜବନ ଏତେ ଜଞ୍ଜାଳମୟ କାହିଁକି? ଗଛଲତା ନ ଥିବା, ପାଣି ପବନ ନ ଥିବା ଜାଗାରେ କାହିଁକି ମଣିଷ ଚଳିପାରୁ ନାହିଁ, ମଣିଷ କାହିଁକି ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରୁଛି? ଦୁନିଆରେ ତ ନିଜର ଖାଦ୍ୟ ଉପତ୍ାଦନ କରୁଥିବା ଜୀବ (ଅଟୋଟ୍ରଫିକ୍) ଅଛନ୍ତି, ଯଥା ୟିଷ୍ଟ, ଯାହା ପରିବେଶରେ ବୁଲୁଛି, ଦହି ବା ପାଉଁରୁଟିରେ ଅଛି। ୟିଷ୍ଟ ଦେହରେ ସବୁ ପ୍ରକାରର ଏନ୍ଜାଇମ୍ (ପାଚକ) ଅଛି, (ଶର୍କରା ଓ ବାୟୋଟିନ୍ ନାମକ ଦୁଇଟି ପାଚକକୁ ଛାଡ଼ି) ମଣିଷ ଦେହରେ କାହିଁକି ନାହିଁ? ଜୀବ ଯେତେ ଜଟିଳତର ହୋଇଛି ସେତେ ପରିମାଣରେ ଏନ୍ଜାଇମ୍ ହରାଇଛି ଓ ହରାଉଛି। ମଣିଷ ତ ସମସ୍ତଙ୍କଠାରୁ ବେଶି ପରାଙ୍ଗଭୋଜୀ, ବେଶି ପରମୁଖାପେକ୍ଷୀ। ତାହା ବିବର୍ତ୍ତନର ଫଳ, ବିବର୍ତ୍ତନର ନିୟମ ଅଛି, ଭଗବାନଙ୍କ ସୃଷ୍ଟି ନୁହେଁ। ଆମିନୋଏସିଡ୍ ଓ ଭିଟାମିନ୍ ଭଳି ମୁଖ୍ୟ ଉପାଦାନ ମଣିଷକୁ ରେଡିମେଡ୍ (ଅନ୍ୟଦ୍ୱାରା ପ୍ରସ୍ତୁତ ହୋଇ) ମିଳିବା ଦରକାର, ନ ହେଲେ ମଣିଷ ନଷ୍ଟ ହୋଇଯିବ କାହିଁକି? ପ୍ରାଣୀ ଯେତେ ଉଚ୍ଚତର, ପ୍ରକୃତିଠାରୁ ସେତେ ଦୂର; ଖାଦ୍ୟ ଦୃଷ୍ଟିରୁ ସେତେ ପରମୁଖାପେକ୍ଷୀ; ଇଏ ତ ନିୟମ। ଅନ୍ୟ ଉପରେ ନିର୍ଭର କରିବା ଧର୍ମ ଦୃଷ୍ଟିରୁ ଅଧଃପତନର କାରଣ, କିନ୍ତୁ ବିଜ୍ଞାନ ଦୃଷ୍ଟିରୁ ବୁଦ୍ଧିମାନର କାମ। ଯଦି ପରିବେଶରୁ ସବୁ ଜିନିଷ ମିଳିପାରୁଛି ତେବେ ଶରୀର କାହିଁକି ଖଟିବ ବା ସବୁ ଜିନିଷ ତିଆରି କରିବାର ଯନ୍ତ୍ରପାତି (ଏନ୍ଜାଇମ୍) କାହିଁକି ବୋହିବ? ବିଶେଷ ଉଦ୍ଦେଶ୍ୟରେ ଓ ସୂକ୍ଷ୍ମତର କାମ ପାଇଁ କୋଷଗୁଡ଼ିକ ଶକ୍ତି ଓ ସ୍ଥାନ ଯୋଗାଇ ପାରିଛି ବୋଲି ତ ମସ୍ତିଷ୍କର ବୃଦ୍ଧି ହୋଇଛି। ସେ ତା’ର ବିଶ୍ରାମକୁ ବ୍ୟାବହାରିକ କୌଶଳ ବା କାରିଗରି ବିଦ୍ୟାରେ ଲଗାଇଛି, ଦର୍ଶନ ଓ ବିଜ୍ଞାନରେ ମଜ୍ଜି ଯିବାକୁ ସମୟ ପାଉଛି। ଶରୀରର କୋଷଗୁଡ଼ିକ ଆପେ ଆପେ ଖାଦ୍ୟ ସଂଗ୍ରହ କରିନିଅନ୍ତେ ତ ମଣିଷ ଏକ ‘ଜ୍ଞାନ ଅସ୍ତିତ୍ୱ’, ସେନ୍ସିଏଣ୍ଟ ବିଇଂ, ହୋଇଯାଆନ୍ତା, ଆମର ଉପସ୍ଥିତ ଭାଷାରେ ଦେବତା ହୋଇଯାନ୍ତା। ମଣିଷ ଆଜିଯାଏ ଯାହା ହୋଇଆସିଛି ସେସବୁ ବିବର୍ତ୍ତନର ଫଳ, ବିବର୍ତ୍ତନ ନିୟମକୁ ନିୟନ୍ତ୍ରଣ କରୁଥିବା ଶକ୍ତିକୁ ଆମେ ଭଗବାନ କହିଲେ ସେ ନିୟମଗୁଡ଼ିକୁ ମାନିବାକୁ ଭକ୍ତି କହିବା। ତେଣୁ ଭଲ ଜୀବନ ପାଇଁ ପରିବେଶ ସୃଷ୍ଟି କରିବା ଓ ଭଲ ରହିବା ନିଜର କ୍ରିୟାଧୀନ, ତାହା ହିଁ ଆମର ଉପସ୍ଥିତ ଭାଷାରେ ଭଗବାନଙ୍କୁ ପ୍ରାର୍ଥନା। ମୂର୍ତ୍ତିଟିଏ ଗଢ଼ି ତା’ ଆଗରେ ଗୁଡ଼ିଏ ଶ୍ଳୋକ ଉଚ୍ଚାରଣ କରିବା ସମ୍ପୃକ୍ତ ମଣିଷର ଜୀବନକୁ ସାମୟିକ ଭାବେ ସରସ ଆଉ ସୁଖୀ କରିପାରେ, କିନ୍ତୁ ମଣିଷ ସମାଜକୁ ଉନ୍ନତ କରେ ନାହିଁିଁ।
ଏକକୋଷୀ ଜୀବ ବହୁକୋଷୀ ହେବାର ଅବସର ଆସିଲା ଯେତେବେଳେ ଗୋଟିଏ କୋଷ ଆଉ ଏକ କୋଷକୁ ତା’ ଅନ୍ତଃରେ ଭର୍ତ୍ତି କରି ରଖିପାରିଲା। ଏକରୁ ବହୁକୋଷୀ ହୋଇ ଉଦ୍ଭିଦ ଓ ପ୍ରାଣୀ ହେଲେ। ଉଦ୍ଭିଦ ଜଗତରେ ପରାଙ୍ଗଭୋଜୀ ଓ ପ୍ରାଣୀ ଜଗତରେ ମାଂସାଶୀ ଆରମ୍ଭ ହେଲେ। ଭୋଜ୍ୟ ଦେହରେ ଥିବା ଜୈବିକ ଉପାଦାନଗୁଡ଼ିକ ଉଚ୍ଚତର ପ୍ରାଣୀର ରେଡିମେଡ୍ ଖାଦ୍ୟ ହୋଇଗଲା। ପ୍ରକୃତିର ଫାଷ୍ଟ୍ ଫୁଡ଼୍। ଭୋଜୀର ଅନ୍ତଃ ବା ଅନ୍ତ୍ରରେ ପହଞ୍ଚତ୍ଲା କ୍ଷଣି ଭୋଜ୍ୟ ଜୀବର ଟୁକୁରା ଟୁକୁରା ଅଂଶ ଓ ରସ (ମଣିଷର ଭାଷାରେ ମାଂସ ଓ ରକ୍ତ) ଆଦିରୁ ଅଣୁଗୁଡ଼ିକ ଏନ୍ଜାଇମ୍-କ୍ରିୟା ଦ୍ୱାରା ଚୂର୍ମାର ହୋଇ ଉଚ୍ଚତର ଜୀବର ଦେହରେ ମିଶେ: ଏଭଳି ପ୍ରସେସିଂ ବା ପ୍ରକ୍ରିୟାକରଣ, ଯାହାକୁ ଆମେ ହଜମ କ୍ରିୟା (ଡାଇଜେସନ୍) କହୁଛୁ, ଜୀବର ଅଭିବୃଦ୍ଧିରେ ସାହାଯ୍ୟ କରେ। ଖାଦ୍ୟ ଲାଗି ପ୍ରତ୍ୟେକ ଉଚ୍ଚତର ଜୀବ ନୀଚ ଜୀବର ସମ୍ପଦକୁ ଡକାୟତି କରୁଛି ବା ତାକୁ ଶିକାର କରୁଛି। ଯଦି ସବୁ ପ୍ରାଣୀ ମାଂସାଶୀ ହୋଇଥାନ୍ତେ ତେବେ ପୃଥିବୀରୁ କେଉଁଦିନୁ ପ୍ରାଣୀମାନେ ଲୋପ ପାଇ ସାରନ୍ତେଣି: ଶୁଦ୍ଧ ବିଜ୍ଞାନର ଏ ନିୟମ ବା ଉକ୍ତିକୁ ମନ ଭିତରେ ରଖି ଲୋକଙ୍କୁ ନିରାମିଷାଶୀ ହେବା ଲାଗି ଆମେ ଧର୍ମର ଦ୍ୱାହି ଦେଉ।
ଆଉ ଗୋଟିଏ ଦିଗରୁ ଦେଖିଲେ ଜାଣିବା ଯେ ଭୋଜ୍ୟ ଉଦ୍ଭିଦ/ପ୍ରାଣୀର ବିଭିନ୍ନ ତନ୍ତୁରେ ଥିବା ଶକ୍ତିର ୧୦% ମାତ୍ର ଭୋଜୀ/ଖାଦକର ଦେହକୁ ଆସେ, ବାକି ୯୦% ମଳମୂତ୍ର ଆକାରରେ ବାହାରିଯାଏ। ହୁଣ୍ଡା ହିସାବରେ ଗୋଟିଏ ବୟସ୍କ ମାଂସାଶୀ ପ୍ରାଣୀ ବଞ୍ଚତ୍ବା ଲାଗି ବର୍ଷକୁ ୧୦ଟି ପ୍ରାଣୀ ମାରିବାକୁ ବାଧ୍ୟ; ଏହି କାରଣରୁ ମାଂସାଶୀ ପ୍ରାଣୀଙ୍କ ସଂଖ୍ୟା ଖୁବ୍ କମ୍। ବେଶି ସଂଖ୍ୟକ ତୃଣଭୋଜୀ। ମଣିଷ, ଭାଲୁ, ଘୁଷୁରି ଭଳି କେତେକ ପ୍ରାଣୀ ଉଭୟ ତୃଣଭୋଜୀ ଓ ମାଂସାଶୀ। ସବୁ ତୃଣଭୋଜୀ ପ୍ରାଣୀଙ୍କୁ ଓଜନ କଲେ ମାଂସାଶୀ ପ୍ରାଣୀମାନଙ୍କ ମୋଟ ଓଜନର କୋଟି କୋଟି ଗୁଣ ହେବ। ଇଏ ଗୋଟିଏ ନିୟମ। ୧୦୦ କିଲୋ ଘାସ ଖାଇଲେ ଗାଈକୁ ମାତ୍ର ଦୁଇ କିଲୋ ପ୍ରୋଟିନ ମିଳେ। ଶୁଖିଲା ନଡ଼ା ଖାଉଥିବା ଗାଈ ନଡ଼ାରୁ ଯାହା ଶକ୍ତି ପାଏ ତାହା ଚୋବାଇବାରେ ହିଁ ଖର୍ଚ୍ଚ କରିଦିଏ, ଦେହ ବୃଦ୍ଧି ପାଇଁ ନାମମାତ୍ର ପାଏ। ଗଛଲତାମାନେ ଯେତେ ପରିମାଣରେ ଖାଦ୍ୟ ତିଆରି କରନ୍ତି ପ୍ରାଣୀମାନେ ସେତେ ପରିମାଣରେ ଡକାୟତି କରିପାରନ୍ତି ନାହିଁ। ତେଣୁ ଉଦ୍ଭିଦ ଜଗତର ଗୁରୁତ୍ୱ ଏତେ ବେଶି। ଯଦି ଭଗବାନ ମଣିଷକୁ ତାଙ୍କ ରୂପରେ ଗଢ଼ିଲେ ଅନ୍ୟ ସବୁ ପ୍ରାଣୀ, ଗଛଲତା, ଅଣୁଜୀବ ଆଉ ଫିମ୍ପିକୁ କାହା ରୂପରେ ଗଢ଼ିଲେ? ପୁଣି ଯତ୍ନ କରି ଗଢ଼ିଥିବା ମଣିଷକୁ କାହିଁକି ସ୍ବୟଂସମ୍ପୂର୍ଣ୍ଣ କଲେ ନାହିଁ? ମଣିଷର ବଂଶାଣୁ ବା ଡିଏନ୍ଏ ଅନୁଧ୍ୟାନ ପ୍ରକଳ୍ପ – ଜିନୋମ୍ – ୨୦୦୩ରେ ସରିଯାଇଛି। ଫଳ ଯାହା ବାହାରିଛି ତାହା ମଣିଷକୁ ଏକ ଇତର ପ୍ରାଣୀ ଭଳି ପ୍ରଦର୍ଶନ କରୁଛି। ଗଣଗଣିଆ ମାଛିର ୧୪,୦୦୦ ଜିନ୍, ନେମାଟୋଡ୍ ପୋକର ୨୦,୦୦୦ ଜିନ୍। ମଣିଷର ଲକ୍ଷାଧିକ ଜିନ୍ ବାହାରିବ ବୋଲି ଆଶା କରାଯାଉଥିଲା, କିନ୍ତୁ ବାହାରିଛି ୨୦ରୁ ୨୫ ହଜାର ଭିତରେ: ପୋକଠାରୁ ହୀନ। ଏତେ ବୁଦ୍ଧିଆ ପ୍ରାଣୀର ହଜିଲା ଜିନ୍ ସବୁ କେଉଁଠି ଅଛି? ସେସବୁ ଅଣୁଜୀବମାନଙ୍କଠାରେ ରହିଛି, ବାକ୍ଟେରିଆ ଭିତରେ। ଆମ ଦେହ କୋଷଗୁଡ଼ିକ ଯେତିକି ପ୍ରୋଟିନ୍ ତିଆରି କରିପାରୁଛନ୍ତି ତାହାର ୩୬୦ ଗୁଣ ତିଆରି କରୁଛନ୍ତି ଆମ ଦେହଭିତରେ ଥିବା ବାକ୍ଟେରିଆ ଓ ଅନ୍ୟ ଅଣୁଜୀବମାନଙ୍କ ଦେହରେ ଥିବା ୧୦ ଲକ୍ଷକୋଟି କୋଷ। ପ୍ରତି ମଣିଷକୁ ଗୋଟିଏ ଗୋଟିଏ ସ୍ମାର୍ଟଫୋନ୍ ଭାବିଲେ ଅଣୁଜୀବମାନେ ହେବେ ଭିନ୍ନ ଭିନ୍ନ ଆପ୍ଳିକେସନ୍। ବାହାରର ବାକ୍ଟେରିଆ ଓ ଅନ୍ୟ ଅଣୁଜୀବମାନଙ୍କ ପ୍ରବେଶ ରୋକିବାକୁ ଆମଦେହର ବନ୍ଧୁ ଅଣୁଜୀବମାନେ ଯଥେଷ୍ଟ ସଂଖ୍ୟାରେ ଥିବା ଦରକାର, ନଚେତ୍ ପ୍ରବାସୀ ଅଣୁଜୀବମାନେ ସହଜରେ ଦେହରେ ପ୍ରବେଶ କରି ଦେହକୋଷକୁ ନଷ୍ଟ କରିବେ, ତାହା ହିଁ ତ ରୋଗ! ତେଣୁ ଭଗବାନଙ୍କୁ ପୂଜା କରିବାର ଅନ୍ତର୍ନିହିତ ଅର୍ଥ ପରିବେଶକୁ ସୁସ୍ଥ ରଖିବାର ନିୟମସବୁ ମାନିବା। ସବୁ ନିୟମର ସମାହାର ହିଁ ଭଗବାନ। ସୃଷ୍ଟିର ନିୟମ ମାନିବା, ପରିବେଶର ନିୟମ ମାନିବା ଏବଂ ଜୀବନଯାପନର ନିୟମ ମାନିବା ହିଁ ଭଗବାନଙ୍କ ପୂଜା (ମଣିଷର ଭକ୍ତି)। ଭଗବାନ ମଣିଷର ଚିନ୍ତାରେ ଅଛନ୍ତି, ବାହାରେ ମନ୍ଦିର ଗୀର୍ଜା ମସଜିଦ୍ ଆଦିରେ ନୁହେଁ। ଭଗବାନ ଦୁନିଆ ତିଆରି କରିଛନ୍ତି ତ ତାଙ୍କୁ କିଏ ତିଆରି କଲା? ଯିଏ ଭଗବାନକୁ ତିଆରି କଲା ତାକୁ କିଏ ତିଆରି କଲା? ଏମିତି ପ୍ରଶ୍ନର ଉତ୍ତର ଆମକୁ ମୂଳ ପ୍ରଶ୍ନକୁ ନେଇଯାଏ: କେତେଗୁଡ଼ିଏ ନିୟମ ଫଳରେ ସବୁ ସୃଷ୍ଟି ଏବଂ ନିୟମ ସ୍ବୟଂ ସୃଷ୍ଟ। ଅଡୁଆରେ ନ ପଶିଲେ ଆମେ ଧରିନେବା ଯେ ନିୟମ ବା ସୂତ୍ର ହିଁ ଭଗବାନ। ନିୟମ ହିଁ ଧର୍ମ। ଭଗବାନଙ୍କୁ ପୂଜା କରିବା ମାନେ ନିୟମମାନଙ୍କୁ ମାନିବା।
sahadevas@yahoo.com

