ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ନାବାଳକ ଜଣକ କସନ୍ଦି ପଞ୍ଚାୟତ ଡ଼ାରେଙ୍ଗବା ଗ୍ରାମର ଜଗନ୍ନାଥ ସୀସାଙ୍କ ୧୪ ବର୍ଷୀୟ ପୁଅ ରତି ସୀସା ବୋଲି ପରିଚୟ ମିଳିଛି।
ପିତାଙ୍କ ସୂଚନା ମୁତାବକ, ବୁଧବାର ରାତ୍ରି ୮.୩୦ ମିନିଟ ସମୟରେ ପୁଅ ମୋବାଇଲକୁ ଚାର୍ଜରେ ବସାଇ ଇଅର ଫୋନ କାନରେ ଲଗାଇ ଗୀତ ଶୁଣୁ ଥିଲେ। ହଠାତ୍‌ ବଜ୍ରପାତ ହେବାରେ ବିଦ୍ୟୁତ ଚାଲିଯିବା ସହ ପରିବାର ଲୋକ ପୁଅର ଚିତ୍କାର ଶୁଣିବାକୁ ପାଇଥିଲେ। ଘର ଭିତରକୁ ଯାଇ ଦେଖିବା ବେଳେ ପୁଅ ଅଚେତ୍ ଅବସ୍ଥାରେ ଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ନନ୍ଦପୁର ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପିତା ନନ୍ଦପୁର ଥାନାରେ ଘଟଣା ସମ୍ପର୍କରେ ଏତଲା ଦେଇଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଗୁରୁବାର ପୂର୍ବାହ୍ନରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

Share