Categories: ଜାତୀୟ

କପି କରି ଧରାପଡ଼ିଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି

ଡେରାଡୁନ୍‌, ୧୫ା୫: ଡୁନ୍‌ ସ୍କୁଲରେ ପରୀକ୍ଷାବେଳେ କପି କରି ଧରାପଡ଼ିଛନ୍ତି ଭାଜପାର ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଏବଂ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି। ସୋସିଆଲ ମିଡିଆରେ ଶୁକ୍ରବାର ଏହି ଖବର ଚର୍ଚ୍ଚା ସାଉଁଟିଥିଲା। ଏହା କୌଣସି ପ୍ରତିଷ୍ଠିତ ଗଣମାଧ୍ୟମରେ ପ୍ରକାଶ ପାଇ ନ ଥିଲେ ହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପରିବାର ସମ୍ପର୍କିତ ହାଇ ପ୍ରୋଫାଇଲ ଖବର ହୋଇଥିବାରୁ ଆଲୋଚନାର ବିଷୟ ପାଲଟିଥିଲା। ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ତଥ୍ୟ ଅନୁଯାୟୀ, ଡେରାଡୁନ୍‌ ସ୍ଥିତ ଡୁନ୍‌ ଇଣ୍ଟରନ୍ୟାଶନାଲର ଦୁଇ ଜଣ ଛାତ୍ର ପରୀକ୍ଷା ଦେବାବେଳେ ଅସାଧୁ ଉପାୟ ଅବଲମ୍ବନ କରି ଧରା ପଡ଼ିଥିଲେ। କିନ୍ତୁ ସନ୍ଧ୍ୟାରେ ସ୍କୁଲ କର୍ତ୍ତୃପକ୍ଷ ଏହା ପରୀକ୍ଷା ସମ୍ପର୍କିତ ନୁହେଁ, ବରଂ ହଷ୍ଟେଲ ବିଶୃଙ୍ଖଳା ବୋଲି କହିବା ସହ ଉଭୟ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସଫେଇ ଦେଇଥିଲେ। ତେବେ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସେମାନଙ୍କ ବହିଷ୍କାର ଅଟକାଇ ଦିଆଯାଇଛି। କିନ୍ତୁ ଦୁହିଁଙ୍କୁ ହଷ୍ଟେଲରୁ ବିଦା କରାଯାଇଥିବା କୁହାଯାଉଛି। ଆମ୍‌ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ ଟୁଇଟ୍‌ କରିବା ପରେ ଏହି ପ୍ରସଙ୍ଗ ସରଗରମ ହୋଇଥିଲା। ଫିଲ୍ମ ନିର୍ମାତା ବିନୋଦ କାପ୍ରି ଏହାକୁ ରିଟୁଇଟ୍‌ କରିଛନ୍ତି।

Share