ଛୋଲେ-କୁଲଚା ବିକାଳିଙ୍କ ପୁଅ ସାଜିଲେ ଭାରତର ନୂଆ ହିରୋ: ପାକିସ୍ତାନ ବିପକ୍ଷରେ କଲେ କମାଲ୍‌

ନୂଆଦିଲ୍ଲୀ,୧୯।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ପାକିସ୍ତାନ ବିପକ୍ଷରେ ପରାଜୟ ସତ୍ତ୍ୱେ ଭାରତୀୟ ଯୁବ ବ୍ୟାଟର୍‌ ଅର୍ଜୁନ ରାଜପୁତଙ୍କ ଲଢ଼ୁଆ ଇନିଂସ ସମସ୍ତଙ୍କ ହୃଦୟ ଜିତିଛି। ଦଳ ସଙ୍କଟରେ ଥିବା ବେଳେ ଚାପର ବଶବର୍ତ୍ତୀ ନ ହୋଇ ଅର୍ଜୁନ ଦମ୍‌ଦାର ବ୍ୟାଟିଂ କରି ୧୦୭ ରନର ଶତକୀୟ ପାଳି ଖେଳିଥିଲେ। ତାଙ୍କ ଏହି ଇନିଂସ୍‌ରେ ୧୧ଟି ଚୌକା ଓ ୫ଟି ଛକା ସାମିଲ ଥିଲା।

ପାକିସ୍ତାନ ଏହି ମ୍ୟାଚକୁ ୩ ଉଇକେଟ୍‌ରେ ଜିତି ନେଇଛି। ହମଜା ଜହୁରଙ୍କ ଅପରାଜିତ ଶତକ ପାକିସ୍ତାନର ବିଜୟରେ ନିର୍ଣ୍ଣାୟକ ହୋଇଥିଲା। ଗ୍ରୁପ-ଏରେ ଦୁଇଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ଦୁଇଟି ମ୍ୟାଚ ଜିତି ପାକିସ୍ତାନ ଶୀର୍ଷ ସ୍ଥାନ ଦଖଲ କରିଛି। ୟୁଏଇଠାରୁ ପରାଜୟ ପରେ ନେପାଳ ପରବର୍ତ୍ତୀ ପର୍ଯ୍ୟାୟ ଦୌଡ଼ରୁ ବାଦ ପଡ଼ିଛି। ଭାରତ ନଭେମ୍ବର ୧୦ରେ ୟୁଏଇକୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିବା ଲକ୍ଷ୍ୟରେ ରହିବ।

ଅର୍ଜୁନଙ୍କ ଏହି ଶତକ ଭାରତୀୟ ଦଳ ଚାପରେ ଥିଲାବେଳେ ଆସିଥିଲା। ଏଭଳି କଠିନ ପରିସ୍ଥିତିରେ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସର ସହ ବ୍ୟାଟିଂ କରି ସେ ଭାରତର ଇନିଂସ୍‌କୁ ସମ୍ଭାଳିଥିଲେ। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ପାକିସ୍ତାନୀ ବୋଲରଙ୍କୁ ଅଡୁଆରେ ପକାଇଥିଲା।ଙ୍‌ ଏହି ମ୍ୟାଚ ପୂର୍ବରୁ ବୀରେନ୍ଦ୍ର ସେହ୍ବାଗ ଓ ରାହୁଲ ଦ୍ରାବିଡଙ୍କୁ ପୁଅଙ୍କଠାରୁ ପ୍ରଶଂସକଙ୍କ ଅନେକ ଆଶା ରହିଥିଲା। ତେବେ ସେମାନେ ବ୍ୟାଟ୍ରେ ବିଶେଷ ପ୍ରଭାବ ପକାଇପାରି ନ ଥିବା ବେଳେ ଅର୍ଜୁନ ନିଜ ପ୍ରଦର୍ଶନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଜଲନ୍ଧରର ଅର୍ଜୁନ ରାଜପୁତଙ୍କ ସଫଳତା ପଛରେ ରହିଛି ଦୀର୍ଘ ସଂଘର୍ଷ ଓ କଠିନ ପରିଶ୍ରମ। ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ତାଙ୍କ ବାପା ହୋତି ରାମ ପୂର୍ବରୁ ଛୋଲେ-କୁଲଚା ଠେଲା ଲଗାଉଥିଲେ। ଏବେ ସେ ଏକ ବେକେରି ଦୋକାନ ଚଳାଉଛନ୍ତି। ଆର୍ଥିକ ଅଭାବ ସତ୍ତ୍ୱେ ଅର୍ଜୁନ କ୍ରିକେଟ ଖେଳିବା ଜାରି ରଖିଥିଲେ। ଘରୋଇ ବୟସ ବର୍ଗର କ୍ରିକେଟ୍ରେ ନିରନ୍ତର ଭଲ ପ୍ରଦର୍ଶନ କରି ସେ ଚୟନକର୍ତ୍ତାଙ୍କ ନଜରକୁ ଆସିଥିଲେ। ଏହାର ଫଳସ୍ବରୂପ ତାଙ୍କୁ ଭାରତୀୟ ଅଣ୍ଡର-୧୯ ଦଳରେ ସ୍ଥାନ ମିଳିଥିଲା।

ଜଲନ୍ଧରର ଅର୍ଜୁନ ଜଣେ ବାମହାତୀ ବ୍ୟାଟର୍‌ ଏବଂ ଅଫ ସ୍ପିନ ବୋଲର ମାତ୍ର ୭ ବର୍ଷ ବୟସରେ ସେ ଜଲନ୍ଧରର ହରଭଜନ ସିଂହ କ୍ରିକେଟ ଇନ୍‌ଷ୍ଟିଚ୍ୟୁଟ୍‌ରେ କ୍ରିକେଟ ଅଭ୍ୟାସ ଆରମ୍ଭ କରିଥିଲେ। କୋଚ ବିକ୍ରମ ସିଦ୍ଧୁଙ୍କ ମାର୍ଗଦର୍ଶନରେ ସେ ନିଜ ଖେଳକୁ ଆଗକୁ ବଢ଼ାଇଥିଲେ। ସେ ଜଲନ୍ଧରର ଡିଏଭି କଲେଜର ଛାତ୍ର ମଧ୍ୟ ରହିଛନ୍ତି।

ଛୋଟ ଏକ କୁଲଚା ଷ୍ଟଲ୍‌ରୁ ଭାରତୀୟ ଅଣ୍ଡର-୧୯ ଦଳ ପର୍ଯ୍ୟନ୍ତ ଅର୍ଜୁନଙ୍କ ଯାତ୍ରା ଅନେକ ଯୁବ କ୍ରିକେଟର୍ଙ୍କ ପାଇଁ ପ୍ରେରଣା। ପାକିସ୍ତାନ ବିପକ୍ଷରେ ତାଙ୍କର ଏହି ଶତକ ତାଙ୍କ କ୍ୟାରିୟର୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ସାବ୍ୟସ୍ତ ହୋଇପାରେ।

 

Dharitri – Odisha’s No.1 Odia Daily

 

Share