ବେଡ୍‌ରୁମ୍‌ରୁ ଶୁଭୁଥିଲା ନାଗ ସାପର ସୁ-ସୁ ଗର୍ଜନ, ଡରିଗଲେ ମହିଳା; ପାଖକୁ ଯାଇ ଦେଖିବାରୁ…

ସିଙ୍ଗାପୁର: ସାପ ନାଁ ଶୁଣିଲେ ଭୟରେ ଦେହ ଥରି ଉଠେ। ଆଉ ଯଦି ନାଗ ସାପର ନାଁ କାନରେ ପଡ଼ିଯାଏ ତେବେ ଦେହରୁ ଗମ୍‌ଗମ୍‌ ଝାଳ ବୋହିଯାଏ। ତୁରନ୍ତ ସୁରକ୍ଷିତ ସ୍ଥାନକୁ ଲୋକେ ଦୌଡ଼ନ୍ତି। ଏମିତି ଏକ ଘଟଣା ଘଟିଛି ସିଙ୍ଗାପୁରରେ। ଯେଉଁଠି ସାପ ଉଦ୍ଧାରକାରୀ ଦଳ ଜଣେ ମହିଳାଙ୍କ ଘରେ ନାଗ ସାପ ଥିବା ଖବର ପାଇ ପହଞ୍ଚିଥିଲେ। ମାତ୍ର ସତକଥା ଜାଣି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସିଙ୍ଗାପୁରର ଜଣେ ମହିଳା ନିଜ ବେଡ୍‌ରୁମ୍‌ରୁ ନାଗସାପ ଗର୍ଜନ ପରି ଶବ୍ଦ ଶୁଣି ଡରି ଯାଇଥିଲେ। ପରେ ସେ ଏହି ଶବ୍ଦର ରେକର୍ଡିଂ କରି ସ୍ନେକ୍‌ ହେଲ୍‌ପ ଲାଇନ୍‌ରଙ୍କୁ ଖବର ଦେଇଥିଲେ। ଉଦ୍ଧାରକାରୀ ଦଳ ରେକର୍ଡିଂଟି ଶୁଣିବା ପରେ ଏହା ନାଗ ସାପର ଗର୍ଜନ ବୋଲି କହିଥିଲେ। କିଛି ସମୟରେ ସ୍ନେକ ହେଲ୍‌ପ ଲାଇନର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ୩/୪ ଘଣ୍ଟା ଧରି ଘର ଭିତରେ ଖୋଜାଖୋଜି କରିଥିଲେ। ମାତ୍ର କେଉଁଠି ହେଲେ ସାପକୁ ପାଇ ନ ଥିଲେ। ପରେ ଜଣାପଡ଼ିଥିଲା ଘରେ ଥିବା ଏକ ଇଲେକ୍ଟ୍ରିକ୍‌ ଟୁଥ୍‌ ବ୍ରଶ୍‌ରୁ ଏହି ସୁ ସୁ ଶବ୍ଦ ଆସୁଛି। ଯାହାକୁ ମହିଳା ଜଣକ ସାପର ଗର୍ଜନ ଶବ୍ଦ ଶୁଣି ସ୍ନେକ ହେଲ୍‌ପ ଲାଇନକୁ ଫୋନ୍‌ କରିଥିଲେ। ଏହି ଟୁଥ୍‌ବ୍ରଶର ବ୍ୟାଟେରୀ ଡବାରେ ପାଣି ପଶି ଯାଇଥିଲା। ଫଳରେ ଏପରି ଶବ୍ଦ ହେଉଥିଲା।

ଅନ୍ୟପକ୍ଷରେ ମହିଳା ଜଣକ କହିଛନ୍ତି, ଏମିତି ଭୟଙ୍କର ଗର୍ଜନ ଶୁଣି ସେ ଡରି ଯାଇ ସ୍ନେକ୍‌ ହେଲପ ଲାଇନର ସହାୟତା ଲୋଡ଼ିଥିଲେ। ଉଦ୍ଧାରକାରୀ ଦଳ କର୍ମଚାରୀ ବହୁତ ସାହାଯ୍ୟକାରୀ। ସେମାନଙ୍କୁ ଧନ୍ୟବାଦ।

Share