ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଖାଇଦେଲେଣି ଯେ ନିର୍ବାଚନରେ ଜିତିବା ରାଜ୍ୟ ଜୟ ସହ ସମାନ। ଆଗକାଳରେ ରାଜାମାନେ କୌଣସି ଅଞ୍ଚଳ ଅଧିକାର କଲେ ସେଠାକାର ଭାଷା ସଂସ୍କୃତି ଓ ନାମ ଧାମ ବଦଳାଇ ଦିଅନ୍ତି, ରାଜାଙ୍କ ମର୍ଜି ବାଟରେ ଆଇନ ଯାଏ, ସିଭିଲ ସର୍ଭିସ୍ ପଲିଟିକାଲ୍ ସର୍ଭିସ୍ ହୋଇଯାଏ, ଅନୁଗତମାନଙ୍କ ପୋଷାକର ରୂପ ଓ ରାଜ୍ୟର ସମ୍ପତ୍ତିର ରଙ୍ଗ ବଦଳେ। କିନ୍ତୁ ଗଣତନ୍ତ୍ରରେ ଯେଉଁ ରାଜନୈତିକ ଦଳ ସରକାର ଗଢ଼େ, ତାହାର ମୁଖ୍ୟ ଆଗକାଳର ରାଜାଙ୍କ ଭଳି ବ୍ୟବହାର କଲେଣି, ଆଇନ କେଉଁ ବାଟରେ ଯିବ ତାହା ସେ ନିର୍ଦ୍ଦେଶ ଦେଲେଣି, ବିଧାନସଭାରେ ତାଙ୍କର ସଂଖ୍ୟାଗରିଷ୍ଠ ଦଳ ସେହିପରି ଆଇନ ତିଆରି କରୁଛି, ତାଙ୍କ ଇସାରାରେ କେତେ ଦିନ ଅଧିବେଶନ ହେବ ତାହା ବାଚସ୍ପତି ମାନିନେଉଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୨୪ର ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ରିପବ୍ଲିକାନ୍ ଦଳର ଡୋନାଲ୍ଡ ଟ୍ରମ୍ପ୍ ସେଇୟା କରୁଛନ୍ତି। ଅଖାଡୁଆ ରାଜନୀତି ଚଳାଇଛନ୍ତି ଏବଂ ତାଙ୍କ ପରେ କ’ଣ ହେବ ତାହା ଭାବୁନାହାନ୍ତି। ସମ୍ବିଧାନ ଆର୍ଟିକଲ୍ ୨ କହୁଛି: The executivePower shall be vested in a President of the United States of America.। ଜୁଡିସିଆରିର ରାୟକୁ ଓ ଲେଜିସ୍ଲେଚର ଆଇନକୁ ଏକ୍ଜିକ୍ୟୁଟିଭ୍ ହିଁ କାର୍ଯ୍ୟକାରୀ କରେ! ତେଣୁ ଟ୍ରମ୍ପ୍ଙ୍କ ଆଖିରେ ଗଣତନ୍ତ୍ରର ଅନ୍ୟ ଦୁଇଟି ଅଙ୍ଗ ଅଥର୍ବ ଏବଂ ସେ ସମ୍ରାଟ। ସେ ଇଂଲିଶ ଭାଷାକୁ ସରକାରୀ ଭାଷା କରିସାରିଲେଣି, ଇମିଗ୍ରାଣ୍ଡ(ଆପ୍ରବାସୀ)ଙ୍କୁ ତଡିବାରେ ଲାଗିଛନ୍ତି।
ସିଭିଲ ସର୍ଭିସ୍କୁ ପଲିଟିକାଲ୍ ସର୍ଭିସ୍ (ଆଗର ସ୍ପଏଲ୍ସ ସିଷ୍ଟମ ଭଳି) କରିଲେଣି, ଅପସନ୍ଦ ଅଧିକାରୀମାନଙ୍କୁ ଛଟେଇ କରୁଛନ୍ତି, ନିଜ ଲୋକଙ୍କୁ ସେମାନଙ୍କ ସ୍ଥାନରେ ରଖୁଛନ୍ତି। ସବୁ ଯୋଜନାର ନାମରେ ନିଜ ନଁା ଯୋଡୁଛନ୍ତି, ଏପରି କି ଯୁକ୍ତରାଷ୍ଟ୍ର ସମ୍ବିଧାନର ୨୫୦ ବାର୍ଷିକୀ ପାଳନର ସ୍ମାରକୀ ମୁଦ୍ରାରେ ଟ୍ରମ୍ପ୍ଙ୍କ ଛବି ରହିବ ଆଦେଶ ଦେଲେଣି ା
ଆମ ଦେଶରେ ବି ନିର୍ବାଚନ ପରେ ସରକାର ବଦଳିଲେ ପ୍ରଧାନମନ୍ତ୍ରୀ (ରାଜ୍ୟଗୁଡ଼ିକରେ ମୁଖ୍ୟମନ୍ତ୍ରୀ) ସିଭିଲ ସର୍ଭିସ୍ ଅଧିକାରୀମାନଙ୍କୁ ନିଜର ଇଚ୍ଛାନୁଯାୟୀ ବଦଳି କରୁଛନ୍ତି, ଛଟେଇ କରିବା କ୍ଷମତା ନ ଥିବାରୁ ଅପସନ୍ଦ ଅଧିକାରୀମାନଙ୍କୁ ନିମ୍ନତର କାମ ଦେଉଛନ୍ତି ବା ବିନା କାମରେ ବସେଇ ଦେଉଛନ୍ତି। କାରଣ ଆମ ସମ୍ବିଧାନକୁ ରାଜନୈତିକ ଦଳଗୁଡ଼ିକ ୧୯୭୬, ୧୯୮୫ ଓ ୨୦୦୩ରେ ଏପରି ସଂଶୋଧନ କରିଦେଇଛନ୍ତି: ବ୍ୟକ୍ତିବାଦ (ଡିକ୍ଟେଟରଶିପ୍) ବା ପରିବାରବାଦ (ରାଜୁଡ଼ା) ଉଧେଇଛି। ଆମ ସମ୍ବିଧାନରେ ଅଛି ରାଷ୍ଟ୍ର୍ରପତିଙ୍କଠାରେ ଏକ୍ଜିକ୍ୟୁଟିଭ୍ ପାୱାର ଠୁଳ, (ଧାରା ୫୩) ୫୩ (୧) The executive power of the Union shall be vested in the President…କିନ୍ତୁ ସେ ଏକ ରବର ଷ୍ଟାମ୍ପ, ୧୯୭୬ର ୪୨ତମ ସମ୍ବିଧାନ ସଂଶୋଧନ ଆଇନ ଅନୁଯାୟୀ ପ୍ରେସିଡେଣ୍ଟ ପ୍ରଧାନମନ୍ତ୍ରୀ (ମନ୍ତ୍ରିମଣ୍ଡଳର ମୁଖ୍ୟ)ଙ୍କ ପରାମର୍ଶରେ କାମ କରିବାକୁ ବାଧ୍ୟ-୭୪। There shall be a Council of Ministers with the Prime Minister at the head to aid and advise the President who shall, in the exercise of his functions, act in accordance with such advice ଆମେରିକାରେ ରାଷ୍ଟ୍ରପତି ଯାହା କରୁଛନ୍ତି ଆମ ଦେଶରେ ପ୍ରଧାନମନ୍ତ୍ରୀ ତାହା କରିପାରିବେ ା ପ୍ରାଦେଶିକ ସ୍ଥଳରେ ମୁଖ୍ୟମନ୍ତ୍ରୀ ତାହା କରିପାରିବେ।
ମନ୍ତ୍ରିମଣ୍ଡଳ ଗଠନ ହେଲା କ୍ଷଣି ପ୍ରଥମ କାମ ହେଉଛି ସିଭିଲ ସର୍ଭିସକୁ ପଲିଟିକାଲ ସର୍ଭିସ ଭଳି ଦେଖିବା – ଆଗ ସରକାରର ଲୋକ ହୋଇଥିବେ ବୋଲି ଯାହାକୁ ମନେକରିବେ ତାକୁ ଅବହେଳିତ ପଦବୀକୁ ପଠାଇବା ଓ ନିଜ ଦଳର ସମର୍ଥନରେ କାମ କରିବେ ବୋଲି ଭାବୁଥିବା କର୍ମଚାରୀମାନଙ୍କୁ ଭଲ ଭଲ ପଦପଦବୀରେ (ଅର୍ଥକରୀ ପଦବୀ କହିଲେ ଭଲ ହେବ) ଅବସ୍ଥାପିତ କରିବେ, ପୂର୍ବ ସରକାରର ଚିହ୍ନବର୍ଣ୍ଣ ଲିଭାଇବେ ଓ ରଙ୍ଗଢ଼ଙ୍ଗ ତଥା ନାମକରଣ ବଦଳାଇବେ, ସେପରି ଖର୍ଚ୍ଚକୁ ଅପବ୍ୟୟ ଭାବିବେ ନାହିଁ। ତାଙ୍କ କାମରେ ବାଡ଼ବତା ନାହିଁ।
କିଛି ଅଖାଡୁଆ କରୁଛନ୍ତି ବୋଲି ଭାବୁନାହାନ୍ତି।
ଆମ ଦେଶରେ ସେବା ଯୋଗାଇବାକୁ କର୍ମଚାରୀ ନିଯୁକ୍ତ କରିବାର ପ୍ରାବଧାନ ((SERVICES UNDER THE UNION AND THE STATES)) ସମ୍ବିଧାନର ପାର୍ଟ ୧୪ରେ ଥିଲେ ବି ଠିକାରେ ନିଯୁକ୍ତି ଦେବା ପାରମ୍ପରିକ (ସନାତନୀ?) ହୋଇଗଲାଣି – କାରଣ ଠିକାଦାରିରେ ଉପୁରି ଅଛି। ଲୋକଦେଖାଣିଆ ବଡ଼ ବଡ଼ କମ୍ପାନୀକୁ ଠିକା ଦେଲେ ବି କମ୍ପାନୀଗୁଡ଼ିକ ଯେପରି କୁଜିନେତାମାନଙ୍କୁ ଉପ ଠିକା ଦିଅନ୍ତି ତାହା ଦେଖିବାକୁ ମିଳୁଛି। କମ୍ପାନୀଗୁଡ଼ିକ ବି ଖୁସ୍, କୁଜିନେତାମାନେ ସେମାନଙ୍କ ପ୍ରଭାବ ପକାଇ ସହଜରେ ସରକାରୀ ସ୍ତରରେ ବିଲ୍ ପାସ୍ କରାଇନେବେ। କାମ ଅଧାପନ୍ତରିଆ ହୋଇଥିଲେ ବି। ଡାକ୍ତରଖାନାରେ ଡାକ୍ତର ଅଭାବ, ବିଦ୍ୟାଳୟରେ ଶିକ୍ଷକ ଅଭାବ, ଏହାର ସମାଧାନ ନ କରି ବଡ଼ ବଡ଼ ଚିକିତ୍ସାଳୟ ଓ ଶିକ୍ଷାୟତନ କରି ଲୋକଙ୍କୁ ଆଗ ନିର୍ବାଚନ ଯାଏ ଭୁଆଁ ବୁଲେଇ ହେଉଛି। ସ୍ଥାନୀୟ ଅଧିକାରୀ ପ୍ରତି ଲୋକର ଆପତ୍ତି ୩ ଦିନ ଭିତରେ ଓ (ମନ୍ତ୍ରୀ ସମେତ) ରାଜ୍ୟସ୍ତରୀୟ ଅଧିକାରୀ ସର୍ବସାଧାରଣ ସମସ୍ୟା ବର୍ଷ ଭିତରେ ସମାଧାନ କରି ନ ପାରିଲେ ସେମାନଙ୍କୁ କାହିଁକି ଦଣ୍ଡମୁକ୍ତ ରଖାଯାଉଛି ତାହାର କାରଣ ଖୋଜିଲେ ଆମକୁ ପଲିଟିକ୍ସ ଜଳ ଜଳ ଦିଶିବ।
ଗ୍ରିଭାନ୍ସ ସେଲ୍ରେ ଆଦେଶ ଦେଇଥିବା ଶାସନ-ମୁଖ୍ୟ ଯେତେବେଳେ କହିବେ ମୋ ଚିଟ୍ ଉପରେ ଅଫିସରମାନେ କାମ କରୁନାହାନ୍ତି ସେ ପରିସ୍ଥିତିକୁ ଆମେ କ’ଣ କହିବା ନାଚି ନ ଜାଣି ଅଗଣାର ଦୋଷ? ଗାଁ ଗଣ୍ଡାରେ ଏହାକୁ କହନ୍ତି ପଲିଟିକ୍ସ।
ଖାଦ୍ୟ ପାନୀୟ ପରୀକ୍ଷା ନିରୀକ୍ଷା କରୁଥିବା ଫୁଡ୍ ଇନ୍ସପେକ୍ଟର, ଔଷଧ ଯାଞ୍ଚ କରୁଥିବା ଡ୍ରଗ୍ ଇନ୍ସପେକ୍ଟର, ଜଙ୍ଗଲ ଜଗୁଥିବା ଫରେଷ୍ଟର, ଜମି ଜଗୁଥିବା ରାଜସ୍ବ କର୍ମଚାରୀ, ଖଣି ତନଖି କରୁଥିବା ମାଇନିଂ ଅଧିକାରୀ, ରାସ୍ତାଘାଟ ଓ ପୋଲ ଆଦି ତନଖି କରୁଥିବା ଛୋଟ ବଡ ଇଞ୍ଜିନିଅର, ଶିକ୍ଷାନୁଷ୍ଠାନରେ ଭଲ ନ ପଢ଼ାଇ ଘରୋଇ ଟିଉସନକୁ ଉତ୍ସାହିତ କରୁଥିବା ଶିକ୍ଷକ, ଏତଲା ଗ୍ରହଣ କରୁ ନ ଥିବା ଥାନାର ବାବୁମାନେ, ଏତଲା ରଖି ତନଖିରେ ହେଳା କରୁଥିବା ଥାନାର ବାବୁମାନେ, ଲୋକମାନଙ୍କ ଆପତ୍ତିକୁ ତିନି ଦିନ ଭିତରେ ସମାଧାନ କରୁ ନ ଥିବା କିରାଣି ଏବଂ କିରାଣିର ନୋଟ୍କୁ ଅନୁଶୀଳନ ନ କରି ସବୁବେଳେ ହଁ (ଆଜ୍ ପ୍ରପୋଜଡ୍) କରୁଥିବା ଅଫିସରମାନଙ୍କୁ ସାବାଡ୍ ନ କରିବା ତ ପଲିଟିକ୍ସ ା ଲୋକ-ପ୍ରତିନିଧିତ୍ୱକୁ ଚାକିରି ମନେ କରୁଥିବା ଏବଂ ଉପୁରି ଆଶା କରୁଥିବା (ଅଫିସ ଅଫ୍ ପ୍ରଫିଟ୍କୁ ଅଫିସ ଅଫ୍ ପ୍ରଫିଟ୍ ନୁହେଁ ବୋଲି ସଂସଦରେ ଆଇନ ପାସ୍ କରାଇନେବା) ତ ପଲିଟିକ୍ସ। ନିର୍ବାଚନ ପୂର୍ବରୁ ନିଃସର୍ତ୍ତ ନଗଦ ପ୍ରଦାନ (unconditional cash transfers) ତ ଭୋଟ ଖରିଦ! ୨୬ ସେପ୍ଟେମ୍ବର ୨୦୨୫ରେ ପ୍ରଧାନମନ୍ତ୍ରୀ ୭୬ଲକ୍ଷ ବିହାରୀ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧୦ ହଜାର ଟଙ୍କା ଲେଖାଏ ସିଧାସଳଖ ପୁଞ୍ଜି ପଠାଇଦେଲେ।
ଭୁଲ୍ରେ କେତେଜଣ ପୁରୁଷଙ୍କୁ ଏପରି ରାଶି ଚାଲିଯାଇଛି ଜାଣି ବିଭାଗୀୟ ଅଧିକାରୀ ସେମାନଙ୍କୁ ଟଙ୍କା ଫେରାଇ ଦିଅ କହିଲାରୁ ସେମାନେ କହୁଛନ୍ତି ଆମ ଭୋଟ ଫେରାଇ ଦିଅ ଆମେ ଟଙ୍କା ଫେରାଇବୁ। ସିଧାସଳଖ ସେମାନେ କହୁଛନ୍ତି ଆମ ଭୋଟ କିଣିଛ। ଆମ ରାଜନୈତିକ ଦଳଗୁଡ଼ିକ ଗଣତନ୍ତ୍ରକୁ କେତେ ଫିକା କରିଦେଲେଣି ଆଉ ଆମେ ବୃହତ୍ ଗଣତନ୍ତ୍ର ବୋଲି ବାଉଳି ହେଉଛୁ!
ସହଦେବ ସାହୁ
-sahadevas@yahoo.com
Dharitri – The Largest & Most Trusted Odia Daily


