Categories: ଫୁରସତ

ବିଶ୍ୱର ସବୁଠୁ ଛୋଟ ବଡି ବିଲ୍ଡର

କମ୍‌ ଉଚ୍ଚତା ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରେ। ସାଧାରଣତଃ ସମାଜର କିଛି ଲୋକ ସେମାନଙ୍କୁ ଥଟ୍ଟା ପରିହାସ ମଧ୍ୟ କରିଥାନ୍ତି। ଯେଉଁଥିପାଇଁ ସେମାନେ ନିଜକୁ ଲଜ୍ଜିତ ମନେ କରନ୍ତି। କିନ୍ତୁ ଜଣେ ଭାରତୀୟ ବଡି ବିଲ୍ଡର ନିଜର ଉଚ୍ଚତାକୁ ଅସ୍ତ୍ର କରି ସଫଳତାର ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ଛୋଟ ହେଉ କିମ୍ବା ବଡ଼ ସେଥିରେ କିଛି କଥା ନ ଥାଏ। ନିଜର ବ୍ୟକ୍ତିତ୍ୱ ହିଁ ସବୁଠୁ ବଡ଼ ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି।

ଏହି ବଡି ବିଲଡରଙ୍କ ନାମ ହେଉଛି ପ୍ରତୀକ ଭିଥାଲ ମୋହିତେ। ୨୬ ବର୍ଷୀୟ ପ୍ରତୀକ  ହୁଏତ ପ୍ରକୃତି ଦ୍ୱାରା ସିଦ୍ଧ ହୋଇ ନ ଥିବେ, କିନ୍ତୁ ସେ ନିଜର ଦୁର୍ବଳତାକୁ  ଶକ୍ତି କରି ଦୁନିଆର ସବୁଠାରୁ ଛୋଟ ବଡି ବିଲ୍ଡର ହୋଇପାରିଛନ୍ତି। କେବଳ ଏତିକି ନୁହେଁ, ପ୍ରତୀକଙ୍କ ନାମ ଗିନିଜ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି।

ପ୍ରତୀକଙ୍କ ଉଚ୍ଚତା ମାତ୍ର ୩ ଫୁଟ ଏବଂ ୪ ଇଞ୍ଚ। ଯେତେବେଳେ ଲୋକେ ଥଟ୍ଟା ପରିହାସ କରୁଥିଲେ ସେତେବେଳେ ତାଙ୍କୁ ବହୁତ କଷ୍ଟ ଲାଗୁଥିଲା। ସେହିଦିନଠାରୁ ସେ ମନେ ମନେ ଚିନ୍ତା କରିଥିଲେ ମୁଁ କିଛି କରି ଦେଖାଇବି।ଜଣେ ବନ୍ଧୁଙ୍କ ନିର୍ଦ୍ଦେଶରେ ପ୍ରତୀକ ବିଶ୍ୱ ରେକର୍ଡ ପାଇଁ ତାଙ୍କ ନାମ ଦେଇଥିଲେ।  ତାଙ୍କ ନାମ ଗିନିଜ ଓ୍ବାଲର୍‌ଡ ରେକର୍ଡରେ ପଞ୍ଜୀକୃତ ହେବା ପାଇଁ ଅତୀତରେ ଅନେକ ଥର ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ପ୍ରତ୍ୟେକ ଥର ପ୍ରତ୍ୟାଖ୍ୟାନ କରାଯାଇଥିଲା। ତିନିଥର ପ୍ରତ୍ୟାଖ୍ୟାନ ପରେ ମଧ୍ୟ ସେ ହାର ମାନି ନ ଥିଲେ ଏବଂ ଚତୁର୍ଥ ଥର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ତାଙ୍କ ନାମ ପଠାଇଥିଲେ। ଚତୁର୍ଥ ଥର ପାଇଁ ତାଙ୍କ ନାମ ଗ୍ରହଣ କରାଯାଇଥିଲା ଏବଂ ସେ ଏକ ବିଶ୍ୱ ରେକର୍ଡ ମଧ୍ୟ କରିଥିଲେ।

ଖବର ଅନୁଯାୟୀ, ପ୍ରତୀକ ୧୬ ବର୍ଷ ବୟସରେ କାମ କରିବା ଆରମ୍ଭ କରିଥିଲେ। ମହାରାଷ୍ଟ୍ରରୁ ଆସିଥିବା ପ୍ରତୀକ ସ୍ବତନ୍ତ୍ର ଡାଏଟ୍‌ କରିଆସୁଛନ୍ତି। ଆହୁରି ମଧ୍ୟ, ସେ ଅପରାହ୍ନରେ ଦୁଇ ଘଣ୍ଟା ପାଇଁ ଜିମ୍‌ ଯାଆନ୍ତି।

Share