ମାଛ ଧରିବାକୁ ବ୍ୟବହାର ହେଉଛି ସ୍ଲୁଇସ୍‌ ଗେଟ୍

ନାଉଗାଁ,୨୪ା୮(ସ୍ବ.ପ୍ର.): ନାଉଗାଁ ବ୍ଲକ କୋରୁଅ ପଞ୍ଚାୟତ ଗାରୋଇସ୍ଥିତ ଦେବୀ ନଦୀ ଓ ଗୋବରୀ ନଦୀର ସଂଯୋଗସ୍ଥଳ ଗାରୋଇଠାରେ ଥିବା ସ୍ଲୁଇସ୍‌ ଗେଟ୍‌କୁ ଖୋଲି କେତେଜଣ ମାଛ ଧରୁଛନ୍ତି। ସ୍ଳୁଇସ ଗେଟର ରକ୍ଷାଣବେକ୍ଷଣ ଦାୟିତ୍ୱ ଜଳସମ୍ପଦ ବିଭାଗ ହାତରେ ରହିଛି। କିନ୍ତୁ ବିଭାଗୀୟ ଅଧିକାରୀ ଏହି ଗେଟକୁ ମାଛ ମାଫିଆଙ୍କ ହାତରେ ଟେକି ଦେଇଥିବାରୁ ଚାଷୀ ଏହାର ସୁଫଳ ପାଇ ପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ମାଫିଆ ମାଛ ଧରିବା ପାଇଁ ସ୍ଳୁଇସ୍‌ ଗେଟକୁ ବ୍ୟବହାର କରୁଛନ୍ତି। ଏହି ସ୍ଲୁଇସ ଗେଟ ଉପରେ ନାଉଗଁା ବ୍ଲକର ୬ଟି ପଞ୍ଚାୟତର ଚାଷୀ ନିର୍ଭର କରୁଛନ୍ତି। ନିମ୍ନମାନର କାର୍ଯ୍ୟ ଯୋଗୁ ସ୍ଲୁଇସ ଗେଟ ଦୀର୍ଘ ବର୍ଷ ହେବ ଜଳ ସଂରକ୍ଷଣର କ୍ଷମତା ହରାଇଥିଲା। ଜୁଲାଇ ୨୦୧୯ରେ ବିଭାଗ ପକ୍ଷରୁ ଗେଟର ଥିବା ୫ଟି କବାଟକୁ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯାଇଥିଲା। ସ୍ଲୁଇସ ଗେଟର ଚାବି ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖରେ ଥିବାବେଳେ ମାଫିଆ ଉକ୍ତ ଗେଟକୁ ବିଭିନ୍ନ ଉପାୟରେ ଖୋଲୁଛନ୍ତି। ଫଳରେ ୫ଟି ଗେଟ ମଧ୍ୟରୁ ୩ ଟିରେ ଜଳ ନିଷ୍କାସନ ହୋଇ ପାରୁନାହିଁ। ଫଳରେ ଚାଷ ଜମି ଜଳମଗ୍ନ ହେବାକୁ ବସିଲାଣି। ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳରେ ଧାନ ରୁଆ ଆରମ୍ଭ କରାଯାଇଛି। ନଦୀରେ ଉଦବୃତ ବର୍ଷା ଜଳ ଆସିଥିବାରୁ ବାଉଁଶ ଯୋରୀ ଓ ଗୋବରୀ ନଦୀ ଦେଇ ଉକ୍ତ ଜଳ ଚାଷ ଜମିକୁ ପ୍ରବେଶ କରୁଛି। ହେଲେ ସ୍ଲୁଇସ ଗେଟ ଠିକରେ କାର୍ଯ୍ୟ କରୁ ନ ଥିବାରୁ ଜଳ ନିଷ୍କାସନ ହୋଇ ପାରୁ ନାହିଁ। ତେଣୁ ସ୍ଲୁଇସ ଗେଟକୁ ଠିକ ଭାବେ ପରିଚାଳନା କରିବା ପାଇଁ ଚାଷୀମାନେ ପ୍ରଶସାନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଅନିଲ ରାଉତ କହିଛନ୍ତି, ୩ଟି ଗେଟର ତଳ ଭାଗରେ ତ୍ରୁଟି ରହିଛି। ଉକ୍ତ ଭାଗଟି ପାଣିରେ ବୁଡି ରହିଥିବାରୁ ମରାମତି କରାଯାଇ ପାରୁନାହିଁ। ତଥାପି ଶୀଘ୍ର ବାକି ଗେଟ ଖୋଲା ଯିବାର ବ୍ୟବସ୍ଥା କରାଯିବ। ମାଛ ମାଫିଆଙ୍କ ସମ୍ପର୍କରେ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।