ସ୍କିନ୍‌ ରହିବ ସ୍ପଟ୍‌ଲେସ୍‌

ମୁହଁ ଯେତେ ସୁନ୍ଦର ହୋଇ ଥାଉ ନା କାହିଁକି ସେଥିରେ ଦାଗ ଥିଲେ ତାହାର ଆକର୍ଷଣ କମିଯାଏ। ଆଉ ଏପରି ନ ହେବା ଲାଗି ଅନେକେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ହେଲେ କେବେ କେବେ ବିଭିନ୍ନ ପାର୍ଶ୍ୱପ୍ରତିକ୍ରିୟା ଯୋଗୁ କମିବା ବଦଳରେ ସମସ୍ୟା ବଢିଯାଏ। ତେଣୁ ସ୍ପଟ୍‌ଲେସ୍‌ ସ୍କିନ୍‌ ପାଇବାକୁ ଚାହୁଁଥିଲେ କେତେକ ଘରୋଇ ଉପଚାର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରିବ। ଜାଣି ରଖନ୍ତୁ ସେ ସମ୍ପର୍କରେ …

ବେଦାଗ ତ୍ୱଚା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସନ୍ତୁଳିତ ଆହାର। କାରଣ ଆପଣ ମୁହଁରେ ଯାହାବି ଲଗାନ୍ତୁ ନା କାହିଁକି ତେଲ ମସଲାଯୁକ୍ତ ଖାଦ୍ୟ ହେଉ ଅବା ଫାଷ୍ଟଫୁଡ଼, ଜଙ୍କଫୁଡ଼ ଆଦି ଖାଇବା ଦ୍ୱାରା ବ୍ରଣ ଦାଗ ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେଣୁ ଏସବୁ ଖାଦ୍ୟ ପରିବର୍ତ୍ତେ ତଟକା ପନିପରିବା, ଫଳ, ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ ଏବଂ ପର୍ଯ୍ୟାପ୍ତ ପାଣି ପିଅନ୍ତୁ।
ଅନେକଙ୍କ ମନରେ ଧାରଣା ଥାଏ ଯେ, ବାରମ୍ବାର ଫେସ୍‌ଓ୍ବାଶ୍‌ ଲଗାଇ ମୁହଁ ଧୋଇଲେ ଦାଗ ଛାଡ଼ିଯାଏ। ହେଲେ ଏପରି କରିବା ଦ୍ୱାରା ସ୍କିନ୍‌ ଡ୍ରାଏ ହୋଇଯାଏ, ବିଶେଷ କରି ଯେଉଁମାନଙ୍କର ଡ୍ରାଏ ସ୍କିନ୍‌ ସେମାନେ ଏପରି ଆଦୌ କରିବା ଠିକ୍‌ ନୁହେଁ। ଏପରି ତ୍ୱଚା ପାଇଁ ଏକ ଚାମଚ କ୍ଷୀରରେ ମହୁ ମିଶାଇ ଲଗାଇଲେ ଉପକାର ମିଳିବ। ସେହିପରି ବାଦାମକୁ ପାଉଡ଼ର କରି ସେଥିରେ ମହୁ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୫-୬ ମିନିଟ୍‌ ରଖିବା ପରେ ପାଣିରେ ଧୀରେ ଧୀରେ ଧୋଇଦିଅନ୍ତୁ। କିଛିଦିନ ଏପରି କରିବା ପରେ ଆପଣ ଫରକ ନିଜେ ଜାଣି ପାରିବେ।
୨ ଚାମଚ ଓଟ୍‌ ନେଇ ଏହାକୁ ଗୁଣ୍ଡ କରିଦିଅନ୍ତୁ। ସେଥିରେ ଅଳ୍ପ କ୍ଷୀର ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ୧୦ ମିନିଟ୍‌ ପରେ ଥଣ୍ଡା ପାଣିରେ ଧୀରେ ଧୀରେ ଘଷି ଧୋଇ ଦିଅନ୍ତୁ। ମନେରଖନ୍ତୁ ମୁହଁକୁ ଆଦୌ ରଗଡ଼ନ୍ତୁ ନାହିଁ ନଚେତ୍‌ ଏହା ଡ୍ରାଏ ହୋଇଯିବ। କିଛି ଦିନ ଏହି ପ୍ୟାକ୍‌ ବ୍ୟବହାର କଲେ ଧୀରେ ଧୀରେ ଦାଗ ଦୂର ହୋଇଯିବ।
ଏକ ଚାମଚ ଶୁଖିଲା ଲିମ୍ବ ପତ୍ର ଗୁଣ୍ଡ, ଦୁଇ ଚାମଚ ଲେଖାଏ ଯଅ ଅଟା, ଚଣା ଅଟା ଏବଂ ମୁଲତାନୀ ମାଟି, ଅଧା ଚାମଚ ମହୁ, ଅଳ୍ପ ଲେମ୍ବୁ ରସ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ସପ୍ତାହକୁ ଦୁଇରୁ ତିନି ଥର ମୁହଁରେ ଲଗାଇଲେ ଦାଗ ସମସ୍ୟା ଦୂର ହୋଇଥାଏ।