ଆମ ଭବିଷ୍ୟତ ବଂଶଧରଙ୍କ ଆକାର

ଡ. ନିଖିଳାନନ୍ଦ ପାଣିଗ୍ରାହୀ

 

ବହୁ ବର୍ଷ ପୂର୍ବେ ଆମ ପୂର୍ବଜ ସିମ୍ପାଞ୍ଜିଙ୍କଠାରୁ ଆମେ ବିବର୍ତ୍ତିତ ହୋଇ ଆଧୁନିକ ମଣିଷ (ହୋମୋ ସେପିଆନ) ହୋଇଛନ୍ତି। ଏହି ପ୍ରକ୍ରିୟାରେ ଡାରଉଇନଙ୍କ ବିବର୍ତ୍ତନ ତତ୍ତ୍ୱ ନିହିତ। ତନ୍ମଧ୍ୟରେ ରହିଛି ପ୍ରାକୃତିକ ଚୟନ (ନାଚୁରାଲ ସିଲେକ୍‌ସନ)। ତେବେ ଆମକୁ ଏବେ ଅନ୍ୟ ପ୍ରକାର ଚୟନ ଅକ୍ତିଆର କରିଛି। ଏହାକୁ କୃତ୍ରିମ ଚୟନ ଆଖ୍ୟା ଦିଆଯାଇପାରେ। ଜଳବାୟୁ ପରିବର୍ତ୍ତନ, ଶିଳ୍ପାୟନ, ସହର ସଂସ୍କୃତି ଇତ୍ୟାଦି ଅନେକ ପ୍ରସଙ୍ଗ ଏମିତି ରୂପ ନେଇପାରେ ଯେ, ଉଭୟ ଭଲ ଓ ମନ୍ଦ କାରଣରୁ ଆମ ଚେହେରା ବଦଳିଯିବ। ମୋଟ ଉପରେ ଶରୀରର ସାମଗ୍ରିକ ଆକାର ଉପରେ ଚର୍ଚ୍ଚା କରାଯାଉ। ବିଗତ ୧ ଲକ୍ଷ ବର୍ଷ ପୂର୍ବେ ଆମ ଆକାର ଯାହା ଥିଲା, ଏବେ ତଦପେକ୍ଷା ଛୋଟ ହୋଇଯାଇଛି। ଆମର ଅସ୍ଥି କ୍ଷୁଦ୍ରତର ଓ ଅଧିକ ହାଲୁକା କ୍ରମଶଃ ହୋଇଥିବା ଜଣାପଡ଼େ। ବିଶେଷଭାବେ ଦଶ ହଜାର ବର୍ଷ ତଳେ ଏହା ସୁସ୍ପଷ୍ଟ ହେଲା। କିନ୍ତୁ ଗତ ଅଳ୍ପ କିଛି ଶତାବ୍ଦୀ ତଳେ ଏଥିରେ ବ୍ୟତିକ୍ରମ ପରିଦୃଷ୍ଟ ହୋଇ ଆମର ଉଚ୍ଚତା ବଢ଼ିଲା। ବାସ୍ତବରେ ଶରୀର ପରିବର୍ତ୍ତନ ଏକ ଜଟିଳ ପ୍ରକ୍ରିୟା। ଏଥିରେ ଜେନେଟିକ୍ସ (ଅନୁବଂଶ ବିଜ୍ଞାନ), ପରିବେଶ, ଖାଦ୍ୟ ଓ ପ୍ରଯୁକ୍ତି ବିଦ୍ୟା ସହ ଜଡ଼ିତ ଜୀବନଶୈଳୀ ଇତ୍ୟାଦି ବହୁ କାରକଙ୍କ ଭୂମିକା ରହିଛି। ଯଦି ଆମେ ୟୁରୋପର ପୁରୁଷମାନଙ୍କ ମାପ ଉପରେ ନଜର ରଖିବା, ତେବେ ନିମ୍ନ ସଂଖ୍ୟାରୁ ଏହାର ବିଭିନ୍ନ ସମୟର ଚିତ୍ର ସାମ୍ନାକୁ ଆସିବ।
ଚାଳିଶ ହଜାର ବର୍ଷ ତଳେ ଲୋକେ ବଞ୍ଚତ୍ବା ପାଇଁ ଶିକାର ଉପରେ ନିର୍ଭର କରୁଥିବାରୁ ସେମାନଙ୍କ ଶାରୀରିକ ଆକାର ଏବଂ ଶକ୍ତି ଉଲ୍ଲେଖନୀୟ ଭାବେ ଅଧିକ ଥିଲା। ସେମାନଙ୍କ ଉଚ୍ଚତା ହାରାହାରି ଛଅ ଫୁଟ ଥିଲା। ଏହି ଅଧିବାସୀମାନେ ହେଉଛନ୍ତି ଆଧୁନିକ ମଣିଷ (ହେମୋ ସେପିଆନ) ଅର୍ଥାତ୍‌ ଆମ ମଣିଷ। ତେବେ ଆଉ ତିରିଶ ହଜାର ବର୍ଷ ପରେ ଅର୍ଥାତ୍‌ ଆଜକୁ ଦଶ ହଜାର ବର୍ଷ ତଳେ ସେମାନେ କୃଷି କର୍ମରେ ନିୟୋଜିତ ହୋଇଥିଲେ। ଏହି କାଳରେ ସେମାନଙ୍କ ଉଚ୍ଚତାରେ ନାଟକୀୟ ପରିବର୍ତ୍ତନ ଘଟି ପାଞ୍ଚ ଫୁଟ ଚାରି ଇଞ୍ଚକୁ ଖସିଗଲା। ଏହାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ ଯୋଗୁ ସେମାନଙ୍କ ଫସଲ ଉତ୍ପାଦନ ବାଧାପ୍ରାପ୍ତ ହେଲା। ଖାଦ୍ୟାଭାବ ଓ ଅପପୁଷ୍ଟିରେ କେବଳ ସେମାନେ ଦୁର୍ଦ୍ଦଶା ଭୋଗିଲେ ନାହିଁ, ସେମାନଙ୍କ ପାଳିତ ପଶୁ ରୋଗାକ୍ରାନ୍ତ ହେବାରୁ ସେମାନେ ସଂକ୍ରମଣ ଦ୍ୱାରା ପୀଡ଼ିତ ହେଲେ। ଏହି ଦୁଃସ୍ଥିତିରେ ସେମାନେ ହନ୍ତସନ୍ତ ହୋଇଥିଲେ। ଗତ ଛଅଶହ ବର୍ଷ ବେଳକୁ ସେମାନଙ୍କ ଉଚ୍ଚତା ବଢ଼ିବାରେ ଲାଗିଲା, ଯାହାକି ବର୍ତ୍ତମାନ ପାଞ୍ଚ ଫୁଟ୍‌ ନଅ ଇଞ୍ଚରେ ପହଞ୍ଚତ୍ଛି। ଶିଳ୍ପର ବିକାଶ ଓ ପ୍ରସାର ଯୋଗୁ ସହରମାନଙ୍କରେ ବିଭିନ୍ନ ଅଞ୍ଚଳ, ଏପରିକି ଅନ୍ୟାନ୍ୟ ଦେଶରୁ ଲୋକେ ଆସି ଏକତ୍ର ବସବାସ କଲେ। ଏହା ପୂର୍ବ ପ୍ରଚଳିତ ଅନ୍ତର୍ଜନନ (ଇନ୍‌ବ୍ରିଡିଙ୍ଗ୍‌) ମାତ୍ରା କମାଇଦେଲା। ତେଣୁ ଏହି ପ୍ରକାରେ ବିଭିନ୍ନ ଜାତି ମଧ୍ୟରେ ସହବାସରୁ ଜନ୍ମିତ ସନ୍ତାନମାନେ ଅଧିକ ସୁସ୍ଥ ଓ ସବଳ ହେବା ଦେଖାଗଲା। ତତ୍‌ସହିତ ପୁଷ୍ଟିକର ଖାଦ୍ୟ ଓ ଉତ୍ତମ ଚିକିତ୍ସା ସେମାନଙ୍କ ଶାରୀରିକ ଅଭିବୃଦ୍ଧି ସକାଶେ ସହଯୋଗ କଲା।
ଅଷ୍ଟ୍ରେଲିଆନ ମ୍ୟୁଜିୟମ ତରଫରୁ ପ୍ରକାଶିତ ଉପରୋକ୍ତ ସର୍ଭେ ‘ହାଓ ଉଇ ହେଭ ଚେଞ୍ଜ ଦ ସିନ୍ସ ଆଓ୍ବାର ସ୍ପେଶିଷ ଫାଷ୍ଟ ଏପିଅରଡ’ ଶୀର୍ଷକ ନିବନ୍ଧରେ ଫ୍ରାନ ଡୋରେ ୮ ଫେବୃଆରୀ ୨୦୨୧ରେ ପ୍ରକାଶ କରିଛନ୍ତି। ଅବଶ୍ୟ ଏହା ୟୁରୋପୀୟମାନଙ୍କ ଉପରେ ପର୍ଯ୍ୟବଶିତ। ସେଥିରେ ଅନ୍ୟ ଏକ ପ୍ରସଙ୍ଗ ସମ୍ପର୍କରେ ଡେଟା ଉଲ୍ଲେଖ କରାଯାଇଛି। ମସ୍ତିଷ୍କର ବିକାଶର ଗତି ଏହା ସୂଚାଏ। ତଦନୁସାରେ ଏକ ଲକ୍ଷ ବର୍ଷ, ବାର ହଜାର ବର୍ଷ ଓ ସାଂପ୍ରତିକ କାଳରେ ମସ୍ତିଷ୍କର ଘନଫଳ ସିସି (କ୍ୟୁବିକ୍‌ ସେଣ୍ଟିମିଟର)ରେ ଯଥାକ୍ରମେ ୧୫୦୦, ୧୪୫୦ ଓ ୧୩୫୦। ଏଥିରୁ ସ୍ପଷ୍ଟ ହୁଏ ଆମ ମସ୍ତିଷ୍କର ସଂକୋଚନ, ଯାହାକି ଅନ୍ୟ ଅନୁଧ୍ୟାନ ଦ୍ୱାରା ସମର୍ଥିତ।
ପୁଣି ଆମ ଉଚ୍ଚତା ବଢ଼ିବା ସମ୍ବନ୍ଧରେ ଅନ୍ୟ ଜଣେ ଗବେଷକଙ୍କ ମତ ଉଦ୍ଧାର କରିବା ସମୀଚୀନ ହେବ। ସେଥିରେ ଉଚ୍ଚତା ବଢ଼ିବା ସମ୍ପର୍କରେ ଅନ୍ୟ ଏକ କାରଣ ଯୋଡ଼ା ଯାଇଛି। ଆଜିକାଲି ନାରୀମାନେ ଲମ୍ବା ପୁରୁଷଙ୍କୁ ଜୀବନସାଥୀ ଭାବେ ପସନ୍ଦ କରୁଛନ୍ତି। ଅନ୍ୟ କାରଣ ମଧ୍ୟରେ ସେ ଏହାକୁ ବିଚାର କରି ଜଣାଇଛନ୍ତି ଯେ, ପୁରୁଷ ଓ ସ୍ତ୍ରୀ ଯଥାକ୍ରମେ ଛଅ ଫୁଟ ଓ ପାଞ୍ଚ ଫୁଟ୍‌ ସାତ ଇଞ୍ଚକୁ ଏକ ଉତ୍ତମ ମାନଦଣ୍ଡ ଭାବେ ଗ୍ରହଣ କରି ଏହି ଦିଗରେ ଉଦ୍ୟମଶୀଳ। ଏଥିରେ ପ୍ରତିଫଳିତ ଆମ ସମୟର ଲୋକଙ୍କ ମନୋଭାବ, ଦୃଷ୍ଟିଭଙ୍ଗୀ ଓ ଅଭିଳାଷ। ତେବେ ଏଥିରେ ସୀମା ରହିବାକୁ ବାଧ୍ୟ, ନଚେତ୍‌ ଶରୀରର ଉତକ ବା ତନ୍ତୁ ଚାପଗ୍ରସ୍ତ ହେବ। ତେଣୁ ଏକତରଫା ଭାବେ ଉଚ୍ଚତା ବୃଦ୍ଧି ପ୍ରମାଦପୂର୍ଣ୍ଣ। ଏହି ଯୁଗରେ ଅନ୍ୟ ଏକ ଶକ୍ତିଶାଳୀ ପ୍ରଭାବ ଉନ୍ନତ ପ୍ରଯୁକ୍ତି ବିଦ୍ୟାଜନିତ। ଫଳତଃ ଶାରୀରିକ ବଳର ପ୍ରାଧାନ୍ୟ ପୂର୍ବାପେକ୍ଷା ହ୍ରାସ ପାଇଛି। ଏହି ପ୍ରକାରେ ମାଂସପେଶୀ ସଂକୁଚିତ ହେଉଛି। କଙ୍କାଳର ଓଜନ ହ୍ରାସ ହେବ। ବଳବାନ ବା ଟାଣୁଆ ଶରୀର ପାଇଁ ଚାହିଦା ନ ରହିବାରୁ ଏହା କାଳକ୍ରମେ ଅଗୋଚର ହୋଇଯିବ। ଅସ୍ଥି ସାନ୍ଧ୍ରତା ନିମ୍ନଗାମୀ ହେବ ବୋଲି ଗବେଷଣାରୁ ଜଣାପଡ଼ିଛି।
ଚିକିତ୍ସା ଶାସ୍ତ୍ରରେ ତ୍ୱରିତ ପ୍ରଗତି ଏବଂ ପ୍ରସାର ଯୋଗୁ ଆମ ଆୟୁକାଳ ବଢ଼ିବ। ତେଣୁ ଜଣେ ଶୀଘ୍ର ବିବାହ କରି ପାରିବାରିକ ଜୀବନ ନିର୍ବାହ ଓ ସନ୍ତାନ-ପ୍ରାପ୍ତି ପାଇଁ ତତ୍ପର ହେବ ନାହିଁ। ଦୀର୍ଘକାଳ ଆଦ୍ୟ ଜୀବନରେ ପଢ଼ାପଢ଼ି ଓ ତାଲିମ ନେଇ ଉତ୍ତମ ବୃତ୍ତି ଆପଣେଇବା ପାଇଁ ସେ ଅଧିକ ଧ୍ୟାନ ଦେବ। ତତ୍‌ସହ ପରିବାର ନିୟନ୍ତ୍ରଣ କରି ଛୋଟ ଓ ସୁଖୀ ପରିବାର ପସନ୍ଦ କରିବ। ତେବେ ଦୀର୍ଘ ଜୀବନରେ ଅନ୍ତିମ ଅବସ୍ଥା ନାନା ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ। ଔଷଧ ସେବନ ଓ ଚିକିତ୍ସା ତା’ ପାଇଁ ପ୍ରୟୋଜନ ହେବ। କେବଳ ଦେହ ନୁହେଁ, ମନ ମଧ୍ୟ ବ୍ୟାଧିଗ୍ରସ୍ତ ହୋଇପାରେ। ବିଶେଷ ଭାବେ ନିଃସଙ୍ଗତା ତାକୁ ଘାରିବ। ଜୀବନର ମୂଲ୍ୟ ଏବଂ ଅନ୍ତିମ ଲକ୍ଷ୍ୟ ଖୋଜି ନ ପାଇବାରୁ ସେ ଅବସାଦଗ୍ରସ୍ତ ହେବା ସମ୍ଭାବନା ରହିଛି।
ଯାତାୟାତ ବର୍ତ୍ତମାନ ବିମାନ, ଜାହାଜ, ରେଳ ଇତ୍ୟାଦି ଦ୍ୱାରା ସୁଗମ ହୋଇଯାଉଛି। ପୃଥିବୀ ଯଥେଷ୍ଟ ପରିମାଣରେ ସଙ୍କୁଚିତ ହୋଇ ଗଲାଣି। ଏହାଦ୍ୱାରା ବିବର୍ତ୍ତନ ଏକରକମ ନୂତନ ପରିସ୍ଥିତି ଜାତ କରିବା ଆଶଙ୍କା ଦେଖାଗଲାଣି। ବିବର୍ତ୍ତନ ପାଇଁ ମୁଖ୍ୟ କାରକ ହେଉଛି; ଭୌଗୋଳିକ ଭାବେ ପରସ୍ପରଠାରୁ ବିଚ୍ଛିନ୍ନ ଭିନ୍ନ ଭିନ୍ନ ଗୋଷ୍ଠୀ, ଯେଉଁମାନଙ୍କ ମଧ୍ୟରେ ସଂପର୍କ ସ୍ଥାପନ ହୋଇ ନ ଥାଏ। ଅନ୍ୟ ଦୁଇଟି ହେଉଛି ପ୍ରାକୃତିକ ଚୟନ ଓ ଆନୁବଂଶିକ ଭିନ୍ନତା। ବିଭିନ୍ନ ଅଞ୍ଚଳ ଓ ଦେଶର ଲୋକ ଏକତ୍ର ଗୋଟିଏ ଜାଗାରେ ରହିବା ଫଳରେ ଯେଉଁ ସମାଜ ସୃଷ୍ଟି ହେବ, ଏଥିରେ ଭିନ୍ନ ଭିନ୍ନ ଜାତି ମଧ୍ୟରେ ପ୍ରଜନନ ସଂଘଟିତ ହେବ। ତେଣୁ ଆଦିମ କାଳରେ ଯେପରି ଅସଂଲଗ୍ନ ଦ୍ୱୀପବାସୀ ପରି ଲୋକେ ରହୁଥିଲେ, ସେଥିରେ ଅନ୍ତ ଘଟି ଏକ ନୂତନ ମିଶ୍ରିତ ବୃହତ୍‌ ସମାଜ ସୃଷ୍ଟି ହେବ। ଫଳ ସ୍ବରୂପ ବିଭିନ୍ନ ଦେଶ ବା ଅଞ୍ଚଳରେ ରହୁଥିବା ବିଶ୍ୱବାସୀ ଆଉ ପୂର୍ବ ପରି ନିଜର ସ୍ବତନ୍ତ୍ର ଚେହେରା ମାନ ବଜାୟ ରଖିପାରିବେ ନାହିଁ। ବର୍ଣ୍ଣବୈଷମ୍ୟ ବା ଅନ୍ୟାନ୍ୟ ଦୈହିକ ପାର୍ଥକ୍ୟ ଓ ବୈଶିଷ୍ଟ୍ୟମାନ ଅପସରି ଯାଇ ବିଶ୍ୱବାସୀ ଦେଖିବାକୁ ଗୋଟିଏ ଢାଞ୍ଚାରେ ଏକା ପ୍ରକାର ଶରୀର ନେଇ ଜନ୍ମ ହୋଇଥିବା ଭଳି ପରିସ୍ଥିତି ଲୋକଲୋଚନକୁ ଆସିବ। ଏହା ହେବ ବିଶ୍ୱସ୍ତରୀୟ, ଗ୍ରାଣ୍ଡ ଏଭେରେଜିଂ। ଏଥିରେ ସମସ୍ତଙ୍କ ଉଚ୍ଚତା, ଆଖି, କାନ, ନାକ, ହାତ ଗୋଡ଼ ମୋଟାମୋଟି ଭାବେ ସମାନ ପ୍ରକାର ହୋଇଯିବ। ମଣିଷମାନେ ଏକ ଅଦ୍ଭୁତ ଅକଳ୍ପନୀୟ ଚେହେରା ଧାରଣ କରିବେ। ସମସ୍ତେ ଏକାକାର ହୋଇଯିବେ। ଏବେ ଆମେ ଦେଖୁଛୁ ଭିନ୍ନ ଭିନ୍ନ ଦେଶରେ ସୌନ୍ଦର୍ଯ୍ୟର ମାନଦଣ୍ଡ ଅଲଗା ଅଲଗା। ତେବେ ଗ୍ରାଣ୍ଡ ଏଭେରେଜିଂ ପରେ ଏମିତି ଦେଶ ବା ଅଞ୍ଚଳଭିତ୍ତିକ ମାନଦଣ୍ଡ ଅବାନ୍ତର ହୋଇଯିବ। ଭେଦଭାବର ସମାପ୍ତି ଘଟିବ।
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri