Posted inଫୁରସତ

ଉତ୍ସବ ସ୍ବାଧୀନତାର…

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନ ହେଲା। ଏହି ସମୟକୁ ଅପେକ୍ଷା କରି ରହିଥିଲେ ସମଗ୍ର ଦେଶର ଆବାଳବୃଦ୍ଧବନିତା। ତେବେ ଦେଶର ପ୍ରଥମ ସ୍ବାଧୀନତା ଦିବସର ମହତ୍ତ୍ୱ ଅବିସ୍ମରଣୀୟ। ଏହି ଅବସରରେ ସେତେବେଳେ ସମଗ୍ର ଭାରତବର୍ଷରେ କିଏ ଦୀପ ଜାଳିଥିଲେ ତ କିଏ ମିଠା ବଣ୍ଟନ କରିଥିଲେ। କିଏ ବାଜା ବଜାଇ ନାଚି ଉଠିଥିଲେ ତ ଆଉ କିଏ ବାଣଫୁଟାଇ, ଫୁଲବିଛାଇ ସ୍ବାଧୀନତା ଦିବସକୁ ସ୍ବାଗତ କରିଥିଲେ। ଆଉ ସେବେଠାରୁ ଏପର୍ଯ୍ୟନ୍ତ ଅନେକ ଲୋକ ସ୍ବାଧିନତା ଦିବସର ସ୍ମୃତିକୁ ମନେ ପକାଇ ନିଜସ୍ବ ଢଙ୍ଗରେ ସ୍ବାଧିନତା ଦିବସକୁ ଏକ ଉତ୍ସବ ଆକାରରେ ପାଳନ କରୁଛନ୍ତି। ସେମିତି କେତେଜଣ ବ୍ୟକ୍ତିବିଶେଷଙ୍କୁ ନେଇ ଏଥରର ପ୍ରଚ୍ଛଦ…

ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଓ ବାଲୁଗାଁର ହାକିମ୍‌ ଖାଁ: ୧୯୨୭ ମସିହା କଥା। ସେତେବେଳେ ମହାତ୍ମା ଗାନ୍ଧୀଙ୍କ ୧୭ ଦିନିଆ ଓଡ଼ିଶା ଗସ୍ତ। ଏହି ଅବସରରେ ଗାନ୍ଧିଜୀ ଥରେ ଚିଲିକା ଅଞ୍ଚଳର-ବାଲୁଗାଁ ଦେଇ ବାଣପୁରକୁ ଆସିଥିଲେ। କିନ୍ତୁ ସେତେବେଳେ ବାଲୁଗାଁର ଯେଉଁଠାରେ ଗାନ୍ଧିଜୀଙ୍କୁ ସ୍ବାଗତ କରାଯାଇଥିଲା, ସମୟକ୍ରମେ ବାଲୁଗାଁର ସେହି ବଜାରଛକଠାରେ ରାଜମିସ୍ତ୍ରି ଗଣେଶ ପଲାଇଙ୍କ ଦ୍ୱାରା ଗାନ୍ଧିଜୀଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ସ୍ଥାପନ କରାଯାଇଛି। ବାଲୁଗାଁ ଅଞ୍ଚଳର ପାଇକମାନେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। କିନ୍ତୁ ଏହି ପ୍ରତିମୂର୍ତ୍ତିକୁ ଖୁବ୍‌ ଆପଣାର ଭାବୁଥିଲେ ବାଲୁଗାଁ ଅଞ୍ଚଳର ଜଣେ ଗାନ୍ଧୀପ୍ରେମୀ ମଣିଷ। ସେ ହେଲେ ବାଲୁଗାଁ ମୁସ୍‌ଲିମ ସାହିର ହାକିମ ଖାଁ, ଯେକି ସେ ଅଞ୍ଚଳର ଜଣେ ସୁପରିଚିତ ବ୍ୟକ୍ତି। ତାଙ୍କର ମଝିଆ ପୁଅ ଅଜିଦି ଖାଁ କୁହନ୍ତି- ବାପା ପ୍ରତିଦିନ ସକାଳୁ ଧୋତି, ପାଇଜାମା ଓ ମୁଣ୍ଡରେ ଧଳାଟୋପି ପିନ୍ଧି ବାଲୁଗାଁ ବଜାର ଛକରେ ସ୍ଥାପନା ହୋଇଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ପାଖରେ ପହଞ୍ଚି ଯାଉଥିଲେ। ଏଠାର ପରିବେଶକୁ ପରିଷ୍କାର ପରିଛନ୍ନ କରୁଥିଲେ। ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ପାଣିରେ ଧୋଇ ଫୁଲମାଳ ପିନ୍ଧାଇ ଦେଉଥିଲେ। ଆଉ କିଛି ସମୟ ଏଠାରେ ଠିଆ ହୋଇ ଗାନ୍ଧିଜୀଙ୍କ ଦର୍ଶନ ସମ୍ପର୍କରେ ଲୋକଙ୍କୁ କିଛି କଥା ଶୁଣାଉଥିଲେ। ଏମିତିରେ ଅଗଷ୍ଟ ୧୫, ଜାନୁୟାରୀ ୨୬, ରକ୍ଷାବନ୍ଧନ ଉତ୍ସବରେ ମଧ୍ୟ ଦେଶ ପ୍ରେମ ସମ୍ପର୍କରେ ଓ ଗାନ୍ଧିଜୀଙ୍କ ଦର୍ଶନ ବିଷୟରେ ମହତ କଥା କହିଥାନ୍ତି। ଏହା ତାଙ୍କର ନିତିଦିନିଆ ଅଭ୍ୟାସ ହୋଇ ଯାଇଥିଲା। ତାଙ୍କ ସମ୍ପର୍କରେ ଡାକ୍ତର ତ୍ରୈଲୋକ୍ୟନାଥ ମହାରଣା କୁହନ୍ତି- ହାକିମ୍‌ ଖାଁଙ୍କୁ ବାଲୁଗାଁ ଅଞ୍ଚଳର ଲୋକେ ଗାନ୍ଧୀବାଦୀ ହାକିମ ମିଅଁା ବୋଲି ଜାଣନ୍ତି। ହାକିମ୍‌ ଖାଁ ପ୍ରତ୍ୟେକ ଜାତୀୟ ଦିବସରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ପରିଷ୍କାର କରି ଫୁଲମାଳ ପିନ୍ଧାଉଥିଲେ। ଗାନ୍ଧିଜୀଙ୍କ ତିରୋଧାନ ଦିବସରେ ସେ ମୌନବ୍ରତ ପାଳନ କରୁଥିଲେ। ପ୍ରତିବର୍ଷ ସ୍ବାଧୀନତା ଦିବସରେ ଗାନ୍ଧୀ ପ୍ରେମୀମାନଙ୍କୁ ମିଠା ବଣ୍ଟନ କରୁଥିଲେ । ୧୯୯୩ ମସିହାରେ ଏହି ଗାନ୍ଧୀବାଦୀଙ୍କ ସମ୍ପର୍କରେ ସୂଚନା ପାଇ ରାଜ୍ୟର କେତେଜଣ ଗାନ୍ଧୀପ୍ରେମୀ ତାଙ୍କୁ ସମ୍ମାନିତ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ସେ ଏଥିରୁ ନିବୃତ୍ତ ରହିଥିଲେ। ସେ ସର୍ବଦା ପ୍ରଚାର ପ୍ରସାରଠାରୁ ଦୂରେଇ ରହୁଥିଲେ। ଅବଶ୍ୟ ସେ ଆଉ ଏବେ ନାହାନ୍ତି। ପ୍ରାୟ ୯୪ ବର୍ଷ ବୟସରେ ୧୭ ଫେବୃୟାରୀ ୨୦୨୨ ମସିହାରେ ତାଙ୍କର ଦେହାନ୍ତ ଘଟିଥିଲା। କିନ୍ତୁ ସ୍ବାଧୀନତା ଦିବସ ଆସିଲେ ଚିଲିକା-ବାଲୁଗାଁ ଅଞ୍ଚଳର ଜଣାଶୁଣା ଗାନ୍ଧୀପ୍ରେମୀ ହାକିମ ଖାଁଙ୍କ କଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ମନକୁ ଆସେ।

ଅଗଷ୍ଟ ୧୫ରେ ଚାରାରୋପଣ ଓ ପତାକା ଉତ୍ତୋଳନ: ଦେଶର ସ୍ବାଧୀନତା ଦିବସକୁ ଅନେକ ନାନା ପ୍ରକାର ଖୁସିରେ ପାଳନ କରିଥା’ନ୍ତି। ସବୁରି ମୂଳରେ ଥାଏ ଦେଶଭକ୍ତି। କିନ୍ତୁ ପ୍ରତିବର୍ଷ ଏହି ଦିବସରେ କିଛି ଗଛ ଓ ଚାରାରୋପଣ କରି ସ୍ବାଧୀନତା ଦିବସ ପାଳନ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ଖୋର୍ଦ୍ଧା ବାଘମାରି ଅଞ୍ଚଳର ଜଣାଶୁଣା ଶିଳ୍ପୀ କଳ୍ପତରୁ ପଣ୍ଡା। ସେ କୁହନ୍ତି- ବିଭିନ୍ନ ଉତ୍ସବ ଅବସରକୁ ମୁଁ ନିଆରା ଢଙ୍ଗରେ ପାଳନ କରିଥାଏ। କିନ୍ତୁ ଏକ ଘଟଣାକ୍ରମରେ ସ୍ବାଧୀନତା ଦିବସ ଅବସରରେ ବୃକ୍ଷରୋପଣ କରିବା ପାଇଁ ମନସ୍ଥ କରିଥିଲି। ଏମିତି ଥିଲା ସେଦିନର ଏକ ଘଟଣା। ୨୦୧୫ ମସିହା ମାର୍ଚ୍ଚ ମାସର କଥା। ଜମିରେ ଚାଷକାମରେ ସହାୟତା କରୁଥାନ୍ତି କୃଷ୍ଣଚନ୍ଦ୍ର ଖୁଣ୍ଟିଆ। ବୟସ ପ୍ରାୟ ୫୦ ବର୍ଷ ହେବ। ସେ ବିଲରେ କାମ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ଅନୁଭବ କରି ଅଚେତ ହୋଇ ଭୂଇଁରେ ପଡ଼ିଗଲେ। ସେତେବେଳେ ଏହି ଘଟଣାରେ ମୁଁ ଟିକେ ହଡ଼ବଡ଼େଇ ଯାଇଥିଲି। ତା’ପରେ ତାଙ୍କୁ ସେଠାରୁ ଆଣି ନିକଟରେ ଥିବା ଏକ ଗଛମୂଳ ଛାଇରେ କିଛି ସମୟ ବିଶ୍ରାମ ପାଇଁ ନେଇଥିଲୁ। କିଛି ସମୟ ପରେ ତାଙ୍କର ଚେତା ଫେରିଥିଲା। ସେତେବେଳକୁ ସମୟ ପ୍ରାୟ ସକାଳ ୧୦ଟା ହେବ। ତା’ପରେ ସେଠାରୁ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯିବାରୁ ଜଣାପଡ଼ିଥିଲା ଯେ ଅଂଶୁଘାତ ଯୋଗୁ ଏପରି ଘଟିଥିଲା। ସେହିଦିନଠାରୁ ଶପଥ ନେଇ ବୃକ୍ଷରୋପଣ ପାଇଁ ମନସ୍ଥ କରିଥିଲି। ଆଉ ଅପେକ୍ଷା କରିଥିଲି ବର୍ଷାରେ ବୃକ୍ଷରୋପଣ କରିବି। ତେଣୁ ଅଗଷ୍ଟର ଏକ ସ୍ମରଣୀୟ ଦିନ କଥା ମନକୁ ଆସିଲା। ଆଉ ସେହିବର୍ଷ ଅଗଷ୍ଟ ୧୫ ତାରିଖରେ କିଛି ବୃକ୍ଷରୋପଣ ସହିତ ପତାକା ଉତ୍ତୋଳନ କରିଥିଲି। ବୃକ୍ଷରୋପଣରେ ସାମିଲ ହେଉଥିବା ବ୍ୟକ୍ତିଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥାଏ। ଏମିତି କାର୍ଯ୍ୟ ପ୍ରାୟ ୨୦୧୫ ମସିହାଠାରୁ ଚାଲିଛି। ପ୍ରତିବର୍ଷ ଅଗଷ୍ଟ୧୫ ଆସିଲେ ସେହିଦିନ କିଛି ଗଛ ନେଇ ସ୍ଥାନୀୟ ପଡ଼ିଆ ଓ ବିଲର ହୁଡ଼ା କଡ଼ରେ ଲଗାଇ ତା’ର ଯତ୍ନ ନେଇଥାଏ।

ବସ୍ତି ପିଲାଙ୍କ ସହିତ ସ୍ବାଧୀନତା ଦିବସ ପାଳନ କରେ: ପ୍ରତିବର୍ଷ ଅଗଷ୍ଟ ୧୫ ହେଉ କି ଜାନୁୟାରୀ ୨୬ କିମ୍ବା ଗାନ୍ଧୀ ଜୟନ୍ତୀ ଅବା ନେତାଜୀ ଜୟନ୍ତୀ, ସ୍ଥାନୀୟ ବସ୍ତି ଅଞ୍ଚଳର ପିଲାମାନେ ତାଙ୍କୁ ଖୋଜନ୍ତି। ସେ ବି ପିଲାଙ୍କୁ ବିସ୍କୁଟ ଓ ଚକୋଲେଟ ପୁଣି ମିଠେଇ ବଣ୍ଟନ କରି ଆନନ୍ଦ ପାଆନ୍ତି । କେବଳ ସେତିକି ନୁହେଁ, ଦଶହରା ବେଳେ ବିଭିନ୍ନ ମହାପୁରୁଷ ଓ ଦେବଦେବୀଙ୍କ ବେଶଭୂଷାରେ ପିଲାଙ୍କୁ ସଜାଇ ସାହି ବସ୍ତିରେ ବୁଲାନ୍ତି। ବିଭିନ୍ନ ସମୟରେ ଏମିତି ଜନସଚେତନତା କାର୍ଯ୍ୟକ୍ରମ କରିଥାନ୍ତି । ସେ ହେଲେ ୮୨ ବର୍ଷୀୟ ଏନ୍‌. ଦୁର୍ଗା ରାଓ । ସେ କୁହନ୍ତି- ପ୍ରଥମେ ରହୁଥିଲୁ କଟକ ବକ୍ସି ବଜାରରେ। ଏବେ କିନ୍ତୁ ପ୍ରାୟ ୪୮ ବର୍ଷ ଧରି ରହିଆସୁଛୁ ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ଜଗନ୍ନାଥ ନଗର ରୋଡ଼ ନଂ.୧୧ରେ। ସେତେବେଳେ ରେଭିନ୍ୟୁ ଡିପାର୍ଟମେଣ୍ଟରେ କାମ କରୁଥିଲି। ଚାକିରି କାଳ ସରିଗଲା ପରେ କିଛି କାମ କରିବା ପାଇଁ ମନକୁ ଘାରିଲା। ମାତ୍ର ଏଥିପାଇଁ ବସ୍ତି ପିଲାଙ୍କ ଖୁସି ପାଇଁ ବିଭିନ୍ନ ପର୍ବ ଓ ଜାତୀୟ ଦିବସଗୁଡ଼ିକରେ ନିଆରା ଢଙ୍ଗରେ ନିଜସ୍ବ ଉଦ୍ୟମରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରିଆସୁଛି । ଏଥିରେ ମାନସିକ ଶାନ୍ତି ମିଳୁଛି। ଘରେ ପୁଅ, ପତ୍ନୀ, ପୁତ୍ରବଧୂ, ନାତି ନାତୁଣୀ ଅଛନ୍ତି। କିନ୍ତୁ ମୁଁ ଦେଖିଲି, ବସ୍ତିପିଲାମାନେ ବିଶେଷ ପାଠ ପଢୁ ନାହାନ୍ତି। ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଏମିତିକି ମହାତ୍ମା ଗାନ୍ଧୀ, ସୁଭାଷ ବୋଷ ଏବଂ ଅନ୍ୟ ମହାପୁରୁଷଙ୍କୁ ଅନେକେ ଜାଣନ୍ତି ନାହିଁ। କିନ୍ତୁ ଜାତୀୟ ଦିବସଗୁଡ଼ିକରେ ବିଭିନ୍ନ ସ୍କୁଲ ଓ କଲେଜରେ ସକାଳୁ ସକାଳୁ ହେଉଥିବା ପ୍ରଭାତଫେରି, ସଫେଇ କାର୍ଯ୍ୟକ୍ରମ ସତେ ଯେମିତି ହଜି ଗଲାଣି। ଆମ ସମୟରେ ସେତେବେଳେ ଗାଁସାରା ବୁଲିବୁଲି ପିଲାମାନେ ଧାଡ଼ି ହୋଇ ବନ୍ଦେ ମାତରଂ ଗାନ କରୁଥିଲେ। ଜାତୀୟ ସଂଗୀତ ବୋଲୁଥିଲେ। ବନ୍ଦେ ମାତରଂ, ସୁଭାଷ ବୋଷ, ମହାତ୍ମା ଗାନ୍ଧୀ, ଭାରତ ମାତାକୀ ଜୟ ସ୍ଲୋଗାନ ଦେଉଥିଲେ। ହେଲେ ଆଜିକାଲି ଏଭଳି ଶବ୍ଦ ଆଉ ସେମିତି ଢଙ୍ଗରେ ଶୁଭୁନି। କିନ୍ତୁ ସେଭଳି ସେଇ ପିଲାଦିନର ସ୍ମୃତିକୁ ମନେପକାଇ ପିଲାମାନଙ୍କ ମଧ୍ୟରେ ସେଦିନର ସେଇ ଭାବକୁ ଫେରାଇ ଆଣିବାକୁ ପ୍ରୟାସ କରୁଛି। ଏଥିପାଇଁ ସ୍ବାଧୀନତା ଦିବସରେ ସକାଳୁ ସକାଳୁ ନିଜସ୍ବ ଉଦ୍ୟମରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିରଠାରେ ପତାକା ଉତ୍ତୋଳନ କରିଥାଏ। ଏଠାରେ ଉପସ୍ଥିତ ପିଲାଙ୍କୁ ବିସ୍କୁଟ, ଚକୋଲେଟ ଓ ମିଠେଇ ବାଣ୍ଟିଥାଏ। ଏବେ ବସ୍ତି ଅଞ୍ଚଳର ପିଲାମାନେ ମୋତେ ଦେଖିଲେ ଖୁବ୍‌ ଖୁସି ହୁଅନ୍ତି। ପୁଣି ପ୍ରତିବର୍ଷ ସ୍ବାଧୀନତା ଦିବସ ଦିନ ମୁଣ୍ଡରେ ଗାନ୍ଧୀ ଟୋପି, ଧଳାପୋଷାକ ପିନ୍ଧି ସାହି ବୁଲିଥାଏ। ଏହି ଦିନ ନିକଟସ୍ଥ ବସ୍ତିପିଲାଙ୍କୁ ଡାକି ଅରୁଆଡାଲମା ଖାଇବାକୁ ଦେଇଥାଏ। ଏଥିଯୋଗୁ ବସ୍ତି ପିଲାମାନଙ୍କର ପାଲଟିଗଲି ଅଜା। ସେମାନଙ୍କ ମଧ୍ୟରେ କେହି କେହି ମତେ ଡାକନ୍ତି ଗାନ୍ଧୀବାଦୀ ଅଜା। ପିଲାମାନଙ୍କ ପାଇଁ ଅଗଷ୍ଟ ୧୫ ହେଉ କି ଜାନୁୟାରୀ ୨୬, ଅନେକ ସମୟରେ ବିଭିନ୍ନ ଚିତ୍ରାଳୟରୁ ବିଭିନ୍ନ ପୋଷାକପତ୍ର ଆଣିଥାଏ। ମହାପୁରୁଷଙ୍କ ବେଶପୋଷାକରେ ପିଲାଙ୍କୁ ସଜାଇ ଆନନ୍ଦ ପାଇଥାଏ। ପତାକା ଉତ୍ତୋଳନ କରିସାରିବା ପରେ ପିଲାଙ୍କ ମଧ୍ୟରେ ସ୍ବାଧୀନତା ଦିବସ ବିଷୟରେ ଆଲୋଚନା କରିଥାଏ। ସ୍ବାଧୀନତା କ’ଣ, କେଉଁମାନଙ୍କ ପାଇଁ ଆମେ ସ୍ବାଧୀନ ହୋଇଛେ ଇତ୍ୟାଦି। ଏମିତି ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କରିଆସୁଛି। ଏବେ ଆଖପାଖ ବସ୍ତିର ପିଲାମାନେ ଏମିତି କାର୍ଯ୍ୟରେ ଯୋଗଦେବାକୁ ଆସିଥା’ନ୍ତି। ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥିଭାବେ ଡାକି ପତାକା ଉତ୍ତୋଳନ କରାଇଥାଏ। ଏମିତି ବସ୍ତିପିଲାଙ୍କୁ ନେଇ ପ୍ରତିବର୍ଷ ପାଳନ କରିଆସୁଛନ୍ତି ସ୍ବାଧୀନତା ଦିବସ। କାହାରି କଥାକୁ କିଛି ଖାତିର ନ କରି ନିଜର ପେନ୍‌ସନ ଟଙ୍କାରୁ ଖର୍ଚ୍ଚକରି ଏହି ପବିତ୍ର କାର୍ଯ୍ୟ କରିପାରୁଥିବାରୁ ନିଜକୁ ଧନ୍ୟ ମଣୁଛି। ଏହାବ୍ୟତୀତ ସ୍ଥାନୀୟ ମନ୍ଦିର ସଫେଇ କରିବା, ଶୀତଦିନେ ଗରିବ ବୁଢ଼ାବୁଢ଼ୀଙ୍କୁ କମ୍ବଳ ବଣ୍ଟନ ଆଦି ଜନମଙ୍ଗଳ କାର୍ଯ୍ୟ ଯୋଗୁ ଏହି ଅଞ୍ଚଳରେ ଭିନ୍ନ ପରିଚୟ ସୃଷ୍ଟି ହୋଇପାରିଛି।

ଜଳଯୋଗରେ ସ୍ବାଧୀନତା ଦିବସ ପାଳନ କରିଥାଏ: ଘରର ବିଭିନ୍ନ କାମ କରିବା ସହିତ ବଳକା ସମୟରେ ସେ ଜନସଚେତନା ପାଇଁ ସୂଚନା ଅଧିକାର କର୍ମୀ ଭାବେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥା’ନ୍ତି। ପରିବାର ଚଳେଇବା ପାଇଁ ବୁଲାବିକାଳି ଭାବେ ବିଭିନ୍ନ ଘରୋଇ ବ୍ୟବହୃତ ରାଶନ ପଦାର୍ଥ ବେପାର କରନ୍ତି। ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏ ନିଜ ରୋଜଗାର ପାଇଁ ବିଭିନ୍ନ ଗଁାକୁ ଗଁା ଘୂରି ବୁଲିବାକୁ ପଡ଼ିଥାଏ। ସେହେଲେ ଖୋର୍ଦ୍ଧା ଜିଲାର ଟାଙ୍ଗି ବ୍ଲକ ଅନ୍ତର୍ଗତ ସରପାରି ଗାଁର ସୁଦାମ ଚରଣ ସାହୁ। ସେ କୁହନ୍ତି- ପ୍ରତିଦିନ ସକାଳୁ ସକାଳୁ ଗାଁ ନିକଟରେ ଥିବା ନଦୀ କମ୍ବା ପୋଖରୀକୁ ଯାଇ ଜଳରେ କିଛି ସମୟ ଧରି ଯୋଗ କରିଥାଏ। ଏହାକୁ ଜଳଯୋଗ କୁହନ୍ତି। ଅନ୍ୟପକ୍ଷେ ଯଦି କୌଣସି ଦିନ ବନ୍ଧୁଙ୍କ ଘରକୁ ଯାଇଥାଏ, ସେଠାର ଥିବା ଜଳାଶୟରେ ମଧ୍ୟ ଏମିତି ଯୋଗ କରି ସାଧନା ଜାରି ରଖିଥାଏ। ଶରୀର ସୁସ୍ଥ ରହିବା ଲାଗି ଘରେ ଯୋଗ କରୁଥିଲି। ମାତ୍ର ଯେତେବେଳ ନଦୀକୁ ଗାଧୋଇ ଯାଉଥିଲି, ସେଠାରେ ଜଳଯୋଗ ଅଭ୍ୟାସ ହୋଇଗଲା। ତେବେ ଏମିତି କାର୍ଯ୍ୟକୁ ବିଭିନ୍ନ ଜାତୀୟ ଦିବସ ଓ ବିଭିନ୍ନ ପର୍ବପର୍ବାଣୀ ସମୟରେ ଟିକେ ନିଆରା ଢଙ୍ଗରେ ପାଳନ କରିଆସୁଛି। ଏମିତିରେ ପ୍ରତିବର୍ଷ ସ୍ବାଧୀନତା ଦିବସ ଦିନ ଜାତୀୟ ପତାକା ଓ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଧରି ଜଳଯୋଗ ମାଧ୍ୟମରେ ଉକ୍ତ ଦିନକୁ ସ୍ବାଗତ କରିଥାଏ। ଏମିତି ପ୍ରାୟ ୧୨ ବର୍ଷ ଧରି ପ୍ରତିବର୍ଷ ଜାନୁୟାରୀ ୨୬ ଓ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସକୁ ପାଳନ କରିଆସୁଛି। ଏହି କାର୍ଯ୍ୟକ୍ରମ ଦେଖୁଥିବା ଛୋଟ ଛୋଟ ପିଲାଙ୍କୁ ଚକୋଲେଟ ବାଣ୍ଟିଥାଏ। ଏହା ମତେ ଆନନ୍ଦ ଦେଇଥାଏ।
ସ୍ବାଧୀନତା ଦିବସରେ ଦେଶପ୍ରେମ କଥା ମନରେ ଉଙ୍କି ଉଠେ: ସେ ଜଣେ ଉଚ୍ଚ ଶିକ୍ଷିତ ଯୁବକ। ଗାଁରେ ପ୍ରତିବର୍ଷ ନିଜସ୍ବ ଉଦ୍ୟମରେ ସ୍ବାଧୀନତା ଦିବସ ପାଳନ କରିଥାନ୍ତି। ଏଥିରେ ଅନ୍ୟମାନେ ମଧ୍ୟ ତାଙ୍କୁ ସହଯୋଗ କରନ୍ତି। ସେ ହେଲେ କାହ୍ନୁ ଚରଣ ପାଇକରାୟ। ତାଙ୍କ ଘର ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅନ୍ତର୍ଗତ ତିରିମଲ୍ଲ ଗାଁରେ। ସେ କୁହନ୍ତି- ସ୍କୁଲରେ ସ୍ବାଧୀନତା ଦିବସ ବେଳେ ଗାଁ ବୁଲୁଥିଲୁ। ସମୟକ୍ରମେ ଗାଁର କେତେକ ଯୁବକ ଏକାଠି ହୋଇ ଜାନୁୟାରୀ ୨୬ ଓ ଅଗଷ୍ଟ ୧୫କୁ ପାଳନ କରିଆସୁଥିଲୁ। ମାତ୍ର ୨୦୦୯ ମସିହାଠାରୁ ନିଜସ୍ବ ଉଦ୍ୟମରେ ଗାଁର ଛୋଟ ଛୋଟ ପିଲାମାନଙ୍କୁ ଏକାଠି କରି ସ୍ବାଧୀନତା ଦିବସ ଅବସରରେ କିଛି ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ, ଗୀତ ଓ ଚିତ୍ର ପ୍ରତିଯୋଗିତା ଆରମ୍ଭ କଲି। ଏଥିରେ କେତେକ ଯୁବକ ବନ୍ଧୁ ସହଯୋଗ କଲେ। ପୁଣି ଗାଁର ୩ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରର ପିଲାଙ୍କୁ ସାମିଲ କରାଇ ଚକୋଲେଟ ବଣ୍ଟନ କଲି। ସ୍ବାଧୀନତା ବିଷୟରେ କିଛି ଆଲୋଚନା ହୁଏ। ପତାକା ଉତ୍ତୋଳନ କରିଥାଉ। ଏହି କାର୍ଯ୍ୟକ୍ରମରେ ମୋ ମନରେ ଦେଶପ୍ରେମ ଜାଗ୍ରତ ହୋଇଥାଏ। ପୁଣି ପିଲାମାନେ ସାମିଲ ହେଉଥିବାରୁ ଖୁସି ଲାଗିଥାଏ। ଚଳିତବର୍ଷ ଆଜାଦୀ କା ଅମୃତ ମହୋତ୍ସବ ପାଳନ ପାଇଁ ମନରେ ଖୁବ୍‌ ଉତ୍କଣ୍ଠା ବଢ଼ିଯାଇଛି। ତେବେ ଏମିତି ଅନେକ ବ୍ୟକ୍ତି ଅଛନ୍ତି, ସ୍ବାଧୀନତା ଦିବସ ପାଳନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି। ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀମାନଙ୍କ କାହାଣୀକୁ ମନେପକାଉଥିବାରୁ ଦେଶପ୍ରେମର ପ୍ରେରଣା ମିଳିଥାଏ।

– ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri