ଖୋଲିଲା ଶ୍ରୀମନ୍ଦିର: ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ

ପୁରୀ ଅଫିସ,୧୬ା୮: ଦୀର୍ଘ ୪ ମାସ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ସୋମବାରଠାରୁ ଖୋଲିଛି ଶ୍ରୀମନ୍ଦିର। ଆଜି କେବଳ ପୁରୀବାସୀ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କରିଥିବା ଟୋକନ ବ୍ୟବସ୍ଥା ଅନୁସାରେ ସକାଳ ୭ଟାରୁ ଓ୍ବାର୍ଡ ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । କୋଭିଡ୍‌ କଟକଣା ଭିତରେ ଆବଶ୍ୟକ ଫଟୋ ଥିବା ପରିଚୟ ପ୍ରମାଣପତ୍ର ଦେଖାଇ ପୁରୀ ବାସିନ୍ଦା ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି।

ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ୮ଟି କିଓସ୍କି କରାଯାଇଛି। ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବି ହୋଇଛି। ତିନୋଟି ପର୍ଯ୍ୟାୟରେ ସକାଳ ୭ଟାରୁ ଦିନ ସାଢ଼େ ୧୦ଟା, ଦିନ ୧୧ଟାରୁ ସାଢ଼େ ୨ଟା ଓ ଶେଷରେ ଅପରାହ୍ନ ସାଢ଼େ ୩ଟାରୁ ସନ୍ଧ୍ୟା ୭ଟା ଯାଏ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ। ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ୩ଟି ରଙ୍ଗର ଟୋକନ ବଣ୍ଟାଯାଇଛି।

ଯେଉଁମାନେ ଟୋକନ ପାଇ ନାହାନ୍ତି ସେମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଥିବା ଅସ୍ଥାୟୀ କାଉଣ୍ଟରରୁ ଟୋକନ ସଂଗ୍ରହ କରିପାରିବେ। ଭଡ଼ାଟିଆଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅଲଗା ଟୋକନ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଦର୍ଶନ ସାରି ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରିବେ।

ଆଜିଠୁ ୫ ଦିନ ପୁରୀ ସହରବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ତେବେ ଆସନ୍ତା ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ପ୍ରତି ଶନିବାର ଏବଂ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ ଯୋଗୁ ଶ୍ରୀମନ୍ଦିର ବନ୍ଦ ରହିବ। କୋଭିଡ୍‌ କଟକଣାକୁ କଡ଼ାକଡ଼ି ପାଳନ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।