ଅଜଣା ଗାଡ଼ି ଧକ୍କାରେ ପରିବା ଦୋକାନୀଙ୍କ ଜୀବନ ଗଲା

ବନ୍ତ,୯ା୧(ଡି.ଏନ୍‌.ଏ.): ସୋମବାର ଭୋର୍‌ ସମୟରେ ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଲକ୍ଷ୍ମୀବଜାରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ପରିବା ଦୋକାନୀଙ୍କର ମୃତ୍ୟୁ ଘଟିଛି। ମୃତ ଦୋକାନୀ ଜଣକ ଚଣ୍ଡିପୁର ଗ୍ରାମର ଜାହାଙ୍ଗୀର ଖାଁ ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି।

ପ୍ରକାଶ ଯେ, ମୃତ ଜାହାଙ୍ଗୀର ବନ୍ତ ଲକ୍ଷ୍ମୀବଜାରଠାରେ ଏକ ପରିବା ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ସବୁଦିନ ପରି ସେ ଆଜି ଭୋର୍‌ ସମୟରେ ଦୋକାନ ଖୋଲିବା ପାଇଁ ବଜାରକୁ ଆସି ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଭଦ୍ରକରୁ ଆନନ୍ଦପୁର ଅଭିମୁଖେ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପରିବାରଲୋକଙ୍କ ସମେତ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ରାସ୍ତାରେ ରଖି ରାସ୍ତାରୋକୋ କରିଥିଲେ। ଦୀର୍ଘ ୪ ଘଣ୍ଟା ଧରି ରାସ୍ତାରୋକୋ ହେବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନା ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଏଥିରେ କୌଣସି ସୁଫଳ ମିଳି ନ ଥିଲା। ପରେ ଥାନାଧିକାରୀଙ୍କଠାରୁ ଖବର ପାଇ ତହସିଲଦାର ଅଙ୍କିତା ବାରିକ ଘଟଣାସ୍ଥଳରେ ପହଞ୍ଚତ୍ ପରିବାରବର୍ଗଙ୍କ ସହିତ ଆଲୋଚନା କରିବା ସହିତ ଜିଲା ରେଡ୍‌କ୍ରସ୍‌ରୁ ୧୫ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପରେ ରାସ୍ତାରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଖବର ପାଇ ବିଧାୟକ ପ୍ରତିିନିଧି ଇଂ.ପ୍ରୟାସକାନ୍ତି ସାମଲ ମୃତକ ପରିବାରଙ୍କୁ ସମବେଦନା ଜଣାଇବା ସହିତ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଅଜଣା ଗାଡ଼ି ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି। ଜାହାଙ୍ଗୀରଙ୍କ ସ୍ତ୍ରୀ, ୨ ଝିଅ, ୩ ପୁଅଙ୍କ ସମେତ ସମସ୍ତ ପରିବାରବର୍ଗ ବେସାହାରା ହୋଇପଡ଼ିଛନ୍ତି।