ସମ୍ବେଦନଶୀଳ ବର୍ଗଙ୍କୁ ନେଇ ହେବ ଏସ୍‌ଏଚ୍‌ଜି

ଭୁବନେଶ୍ୱର(ବ୍ୟୁରୋ),୧୦ା୨: ଏବେ ସ୍ବତନ୍ତ୍ର ବର୍ଗଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗଠନ କରାଯିବ। ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପାହାଚ ସ୍ବରୂପ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛି। ରାଜ୍ୟ ସରକାରଙ୍କ ଏପ୍ରକାର ଯୋଗାଯୋଗକୁ ଆଧାର କରି ବିଏମ୍‌ସି ତରଫରୁ ମଙ୍ଗଳବାର ଗୋଷ୍ଠୀ ସଂଗଠକଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଏସ୍‌ଏଚ୍‌ଜି କେବଳ ମହିଳାଙ୍କ ପାଇଁ ନୁହେଁ ବରଂ ପରିମଳ ପାଇଁ ତ୍ୟାଗଶୀଳ ହୋଇ କାର୍ଯ୍ୟ କରୁଥିବା ବ୍ୟକ୍ତି, ବର୍ଜ୍ୟ ସଂଗ୍ରହକାରୀ, ରିକ୍ସା ଚାଳକ, ଭିନ୍ନକ୍ଷମ, କିନ୍ନର ବା ତୃତୀୟ ଲିଙ୍ଗ ଏବଂ ନିର୍ମାଣ ଶ୍ରମିକମାନଙ୍କୁ ନେଇ କରାଯିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ତେଣୁ କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ବିଏମ୍‌ସି ଅଞ୍ଚଳରେ ଥିବା ଉକ୍ତ ବର୍ଗର ନାଗରିକଙ୍କ ପାଇଁ ଏସ୍‌ଏଚ୍‌ଜି ସଙ୍ଗଠନ କରିବା ଏବଂ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏହି ଅବସରରେ ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ଏବଂ ଡେପୁଟି କମିଶନର ସ୍ବାସ୍ଥ୍ୟ ଓ ପରିମଳ ଶୁଭେନ୍ଦୁ କୁମାର ସାହୁ ଏବଂ ନେହା ମୋଦି-ପ୍ରୋଗ୍ରାମ୍‌ କୋଅର୍ଡିନେଟର ଅର୍ବାନ ମ୍ୟାନେଜ୍‌ମେଣ୍ଟ ସେଣ୍ଟର ମୁଖ୍ୟ କାର୍ଯ୍ୟାଳୟ ଅହମଦାବାଦଙ୍କ ଉପସ୍ଥିତିରେ ଗୋଷ୍ଠୀ ସଂଗଠିକାସଂଗଠକଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣରେ ୟୁଏମ୍‌ସିର ସୁଗମକାରୀ ଭାବେ ମନୋରମା ମଲ୍ଲିକ ଏବଂ ଲୋପାମୁଦ୍ରା ଦାସ ଯୋଗ ଦେଇଥିଲେ।