ମା’ରାମଚଣ୍ଡୀଙ୍କ ସାମ୍ନାରେ ରଡ଼ ନିଆଁରେ ଚାଲିଲେ ସେବକ: ୭ଥର ପରେ ଘଟିଲା…

ମହାକାଳପଡ଼ା,୧୫ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପୀଠରେ ଝାମୁଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୋର ସାଢ଼େ ଚାରିଟାରୁ ମନ୍ଦିର ଦ୍ୱାର ଫିଟା ହେବା ପରେ ମା’ଙ୍କ ନୀତିକାନ୍ତି ଯଥା ରୀତିନୀତି ଅନୁସାରେ ପାଳନ କରାଯାଇଥିଲା। ମହାସ୍ନାନ ପରେ ମାଜଣା ହୋଇଥିଲା। ପରେ ମା’ଙ୍କୁ ପାଟବସ୍ତ୍ର ପରିଧାନ କରି ବିଭିନ୍ନ ଅଳଙ୍କାର ସୁନା, ରୁପାରେ ସୁସଜ୍ଜିତ କରାଯାଇଥିଲା। ପରେ ମା’ଙ୍କଠାରେ ପଣା ଭୋଗ ଲାଗି ହୋଇଥିଲା। ପରେ ମଧ୍ୟାହ୍ନରେ ମା’ଙ୍କ ଖିରି, ଖେଚୁଡ଼ି, ଅନ୍ନ, ଡାଲମା, ବେସର, ମହୁର ଆଦି ପ୍ରସାଦ ଲାଗି କରାଯାଇଥିଲା। ହୁରିଆ ସେବାୟତମାନେ ସଂକୀର୍ତ୍ତନ ମଣ୍ଡଳୀ ଘଣ୍ଟ ଘଣ୍ଟା ବାଦ୍ୟ ବାଦନ ସହିତ ଏକ ସୁସଜ୍ଜିତ ବିମାନରେ ମା’ଙ୍କ ଚଳନ୍ତି ପ୍ରତିମା ମନ୍ଦିର ଚାରି ପାଖରେ ୭ଥର ପରିକ୍ରମା କରାଯାଇଥିଲା। ପରେ ମା’ଙ୍କ ବିମାନ ମନ୍ଦିର ସମ୍ମୁଖରେ ଅବସ୍ଥାନ କରାଯାଇଥିଲା। ମା’ଙ୍କ ଚଳନ୍ତି ପ୍ରତିମା ସମ୍ମୁଖରେ ରାଉଳ ସମ୍ପ୍ରଦାୟ ସେବକମାନେ ଏକ ଗର୍ତ୍ତରେ ଖାଲି ପାଦରେ ରଡ଼ ନିଅଁାରେ ୭ ଥର ପରିକ୍ରମା କରିଥିଲେ। ମାନସିକଧାରୀ ପାଟୁଆମାନେ ମା’ଙ୍କ ବିମାନ ସମ୍ମୁଖରେ ନୃତ୍ୟଗୀତ ପରିବେଷଣ କରିଥିଲେ। ସାରେ ମା’ଙ୍କ ଆଳତି ପରେ ରାତି ୧୦ଟା ପରେ ମା’ ମହାସିଂହାର ବେଶ କରାଯାଇଥିଲା। ସେହିପରି ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ଅନିତା ସ୍ବାଇଁଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ପୀଠ ପରିସର ମଧ୍ୟରେ ମା’ ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ ୫ମ ବାର୍ଷିକ ମା’ଙ୍କ ଅଲୌକିକ ଘଟଣା, କିମ୍ବଦନ୍ତୀ, ଅନୁଭୂତି ସମ୍ପର୍କରେ ଏକ ଧାର୍ମିକ ପୁସ୍ତକ ”ମା’ ଦରିଆ ରାଣୀ“କୁ ଅତିଥିମାନେ ଉନ୍ମୋଚିତ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଗନ୍ଧର୍ବ ଚନ୍ଦ୍ର ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଶିଶୁମାନଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଉଥିଲା। ଉପସ୍ଥିତ ଥିବା ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ତଥା ମନ୍ଦିର ସୋଲ ଟ୍ରଷ୍ଟ ରବି ନାରାୟଣ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ସେନା ଆବାହକ ଲକ୍ଷ୍ମୀଧର ସ୍ବାଇଁ, ସମ୍ପାଦକ ବିରଞ୍ଚତ୍ ନାରାୟଣ ଦାସଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily