ଆମ ସମ୍ବିଧାନରେ ଦଳତନ୍ତ୍ରର ବୀଜ

ସମ୍ବିଧାନ ପ୍ରଣେତାମାନେ ସମ୍ବିଧାନର କୌଣସି ସ୍ଥାନରେ ‘ରାଜନୈତିକ ଦଳ’ ଶବ୍ଦଦ୍ୱୟ ବ୍ୟବହାର କରିନାହାନ୍ତି। ୧୯୫୦ର ମୂଳ ରିପ୍ରେଜେଣ୍ଟେଶନ୍‌ ଅଫ୍‌ ପିପୁଲ୍‌ସ ଆକ୍ଟ (ଜନପ୍ରତିନିଧି ଆଇନ)ରେ ‘ପଲଟିକାଲ୍‌ ପାର୍ଟି’ ଉଲ୍ଲେଖ ନ ଥିଲା। ଇନ୍ଦିରା ଗାନ୍ଧୀ ଇମର୍ଜେନ୍ସି ଜାରି କରିଥିବା ସମୟରେ ଓ ପରେପରେ ଯେଉଁ ସମ୍ବିଧାନ-ସଂଶୋଧନ ବିଲ୍‌ ଆଣିଲେ ତହିଁରେ ଦଳ ଶବ୍ଦ ବ୍ୟବହାର ହୋଇ ନାହିଁ। କେତେଜଣ ପୁରୁଣା ବୟୋବୃଦ୍ଧ ବ୍ୟକ୍ତିଙ୍କୁ ବାଦ୍‌ ଦେଇ ନିଜର ଦଳ ଗଢ଼ିଲେ ଯାହାକୁ ଆମେ ‘ଇଣ୍ଡିଆନ୍‌ ନ୍ୟାଶନାଲ କଂଗ୍ରେସ (ଇନ୍ଦିରା)’ ନାମରେ ଜାଣିଲୁ, ଭାରତୀୟ ଜାତୀୟ କଂଗ୍ରେସରୁ ସେମାନଙ୍କୁ ବିଦା କରିବା ଚେଷ୍ଟା କରି ନ ଥିଲେ, ବରଂ ନିଜେ ବାହାରିଯିବା ଉଚିତ ମନେକଲେ। ଦଳରେ ଅସନ୍ତୁଷ୍ଟ ବା ବିଦ୍ରୋହୀଙ୍କୁ ତଡ଼ିବାର ଆଇନ ଆଣି ନ ଥିଲେ। କିନ୍ତୁ ଅସନ୍ତୋଷ ପ୍ରକାଶ ବା ବିଦ୍ରୋହକୁ ରୋକିବା ଲାଗି ରାଜୀବ ଗାନ୍ଧୀ ୧୯୮୫ରେ ଆଣ୍ଟିଡିଫେକ୍ସନ୍‌ (ଦଳ ବଦଳ ନିରୋଧ) ବିଲ୍‌ ଆଣିଲେ, ତହିଁରେ ପ୍ରଥମ ଥର ପାଇଁ ‘ରାଜନୈତିକ ଦଳ’ ଉଲ୍ଲେଖ ରହିଲା, ବିଲ୍‌ଟି ପ୍ରଥମେ ଆକ୍ଟ ଓ ପରେ ୫୨ତମ ସମ୍ବିଧାନ ସଂଶୋଧନ ଆକ୍ଟ ହୋଇଗଲାରୁ ସମ୍ବିଧାନରେ ୧୦ମ ପରିଚ୍ଛେଦ ରୂପେ ପୂରେଇ ଦିଆଗଲା। ତହିଁରେ ରହିଲା ଯେ ଦଳ ସମର୍ଥନରେ ଜିତିଥିବା ବିଧାୟକ ଓ ସାଂସଦମାନେ ଦଳର ସଭ୍ୟ ବୋଲି ଧରାଯିବେ, ସେମାନେ ଦଳ ଛାଡିଲେ ବା ଦଳପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୋଟ ନ ଦେଲେ ବା ଭୋଟଦାନରୁ ବିରତ ରହିଲେ ବିଧାୟକ ବା ସାଂସଦ ପଦ ପାଇଁ ଅଯୋଗ୍ୟ ବିବେଚିତ ହେବେ। ଅର୍ଥାତ୍‌ ଦଳର ମର୍ଜି ଭୋଟରଙ୍କ ମତକୁ ରଦ୍ଦ କରିଦେବ। ସମ୍ବିଧାନର ଧାରା ୧୦୧ ଓ ୧୯୧ରେ ଯେଉଁ ଅଯୋଗ୍ୟତା (ଡିସ୍‌କ୍ୱାଲିଫିକେଶନ୍‌) ଥିଲା ତାହା ଯେ କୌଣସି ବ୍ୟକ୍ତିର ପ୍ରାର୍ଥୀହେବାର ଅଯୋଗ୍ୟତା ଥିଲା। ୧୯୮୫ର ୫୨ତମ ସମ୍ବିଧାନ ସଂଶୋଧନ ନିର୍ବାଚିତ/ମନୋନୀତ ବ୍ୟକ୍ତିଙ୍କୁ ତାଙ୍କ ଦଳର ମେମ୍ବର ବୋଲି ଧରିନେଲା, ୯୧ତମ ସଂଶୋଧନ ଆଇନ (କ) ଦଳତ୍ୟାଗୀ ଓ (ଖ) ଦଳର ହ୍ବିପ୍‌ ନ ମାନିବା ବ୍ୟକ୍ତିକୁ ବିଧାୟକ ବା ସାଂସଦ ପଦ ପାଇଁ ଅଯୋଗ୍ୟ କରିଦେଲା, ଅବଶ୍ୟ ବାଚସ୍ପତି ଦଳପତିଙ୍କ ଏ ପ୍ରକାରର ଅନୁରୋଧ ପତ୍ର ପାଇଲେ ଅଯୋଗ୍ୟ ହୋଇଛନ୍ତି କି ନାହିଁ ବିଚାର କରିବେ, ଶାସକ ଦଳରୁ ନିର୍ବାଚିତ ହୋଇଥିବା ବାଚସ୍ପତି ପ୍ରାୟ ହଁ କରନ୍ତି। ପଦ ପାଇଁ ଅଯୋଗ୍ୟତା ଧାରା ୧୦୧ ଓ ୧୯୧ର ଉପଧାରା ୨ରେ ସ୍ଥାନିତ ହୋଇଛି। ଦଳ-ବଦଳ ତ ଜଳଜଳ ଦିଶୁଥିବା ଅଯୋଗ୍ୟତା, କିନ୍ତୁ ଦଳପତିଙ୍କ ନିର୍ଦ୍ଦେଶ (ହ୍ବିପ୍‌) ଅନୁଯାୟୀ ଭୋଟ ନ ଦେବା ବା ଭୋଟଦାନରୁ ବିରତ ରହିବା ପ୍ରମାଣ ଦରକାର କରେ, ତେଣୁ ବାଚସ୍ପତିଙ୍କ ବିଚାରଯୋଗ୍ୟ, ବାଚସ୍ପତି ହଁ ଭରିଲେ ସମ୍ପୃକ୍ତ ଅମାନିଆ ବ୍ୟକ୍ତିର ବିଧାୟକ ବା ସାଂସଦ ପଦ ଗଲା – ଅର୍ଥାତ୍‌ ଲୋକମତ ତୁଚ୍ଛ – ଦଳପତିଙ୍କ ମର୍ଜି ତା’ ଊର୍ଦ୍ଧ୍ୱରେ। ଏ ତ ଗଣତନ୍ତ୍ର (ପ୍ରତିନିଧି ମୂଳକ ଗଣତନ୍ତ୍ର) ନୁହେଁ, ଏ ହେଉଛି ଦଳତନ୍ତ୍ର! ଆମ ଦେଶ ଗଣତାନ୍ତ୍ରିକ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଦଳପତିଙ୍କ ସ୍ବୈରତନ୍ତ୍ର! ଦଳରୁ ବିଦାହେବା ଭୟ ଓ ବିଧାୟକ ବା ସାଂସଦ ପଦ ହରାଇବା ଭୟ – ଉଭୟ ଭୟ ଶାସକ ଦଳର ସଦସ୍ୟମାନଙ୍କୁ ଆଣ୍ଠେଇ ଦେଇଛି! ତେଣୁ ଦଳର ଏମ୍‌ଏଲ୍‌ଏ କାହିଁକି ମନ୍ତ୍ରୀମାନେ ବି ମୁଖ୍ୟମନ୍ତ୍ରୀ ତଥା ଦଳପତିଙ୍କ ନିର୍ଦ୍ଦେଶ ଉପରେ ତୁଣ୍ଡ ଫିଟାଇ ପାରିବେ ନାହିଁ, ମୌନଂ ସମ୍ମତି ଲକ୍ଷଣମ୍‌। ତେଣୁ ଦଳପତିଙ୍କ ନିର୍ଦ୍ଦେଶ ଥିବା କାର୍ଯ୍ୟକ୍ରମରେ ବିରୋଧ ନ ଆଣିବା ଶ୍ରେୟସ୍କର! ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ୧୯୮୫ରେ ଓ ୨୦୦୩ରେ କେନ୍ଦ୍ର ସରକାର ଚଳାଉଥିବା ଦଳମାନେ, ଯଥାକ୍ରମେ ରାଜୀବ ଗାନ୍ଧୀଙ୍କ କଂଗ୍ରେସ ଓ ବାଜପେୟୀଙ୍କ ପରିଚାଳିତ ଏନ୍‌ଡିଏ। ଯେତେବେଳେ ସମ୍ବିଧାନକୁ ସଂଶୋଧନ କରି ଦଳ ଚିହ୍ନରେ ଭୋଟ ପାଇଥିବା ବ୍ୟକ୍ତିକୁ ଦଳର ପ୍ରାର୍ଥୀ (ଲୋକଙ୍କ ପ୍ରାର୍ଥୀ ନୁହେଁ) ବୋଲି ଗଣନା କରାଯିବ ବୋଲି ଆଇନ କରିଦେଲେ, ପରେ ଅନ୍ୟ ଦଳମାନେ ଏହାର ଫାଇଦା ଉଠାଇବେ ବୋଲି ଭାବିପାରିଲେ ନାହିଁ । (୧) ଦଳ ଛାଡିଲେ ତ ବିଧାୟକ/ସାଂସଦ ପଦ ପାଇଁ ଅଯୋଗ୍ୟ ହେବେ (ଅର୍ଥାତ୍‌ ପଦ ହରାଇବେ, ଲୋକଙ୍କ ଭୋଟ ପାଇ ଜିତିଥିଲେ ବି) ଏବଂ (୨) ଦଳର, ମାନେ ଦଳପତିଙ୍କ, ହ୍ବିପ୍‌ (ନିର୍ଦ୍ଦେଶ) ଅନୁଯାୟୀ ସଭାଗୃହରେ ଭୋଟ ନ ଦେଲେ ବା ଭୋଟ ଦେବାରୁ ବିରତ ରହିଲେ ଦଳ ତାଙ୍କୁ ଦଳରୁ ବହିଷ୍କାର କରିପାରିବ ଏବଂ ଦଳରୁ ବହିଷ୍କାର ହେଲେ ବାଚସ୍ପତିଙ୍କ ଅନୁମୋଦନ କ୍ରମେ ବିଧାୟକ ବା ସାଂସଦ ପଦ ହରାଇବେ।
ରିପ୍ରେଜେଣ୍ଟେଶନ୍‌ ଅଫ୍‌ ପିପୁଲ୍‌ସ ଆକ୍ଟରେ ଓ ନିର୍ବାଚନ ଆଚରଣ ବିଧିରେ ରହିଲା ଯେ ଇଲେକ୍ସନ କମିଶନଙ୍କ ପାଖରେ ରେଜିଷ୍ଟର୍ଡ ହୋଇଥିବା ରାଜନୈତିକ ଦଳର ଦଳପତିଙ୍କ ସୁପାରିସପତ୍ର ନେଇ ରିଟର୍ନିଂ ଅଫିସରଙ୍କ ପାଖରେ ଦାଖଲ କଲେ ହିଁ ପ୍ରାର୍ଥୀଟି ଉକ୍ତଦଳର ପ୍ରାର୍ଥୀ ହୋଇପାରିବ ଏବଂ ତାଙ୍କ ନିର୍ବାଚନ-ପ୍ରଚାରରେ ଦଳ ଯାହା ଖର୍ଚ୍ଚ କରିବ ତାହା ପ୍ରାର୍ଥୀର ଖର୍ଚ୍ଚସୀମା ଭିତରେ ଗଣାଯିବ ନାହିଁ। ଦଳର ପ୍ରତିନିଧି ନ ହୋଇ ୧୦ଜଣ ଭୋଟରଙ୍କ ମନୋନୟନରେ ଜଣେ ସ୍ବାଧୀନ ପ୍ରାର୍ଥୀ ହୋଇପାରେ, ବ୍ୟୟବହୁଳ ନିର୍ବାଚନରେ ତା’ର ଜିତିବା ପ୍ରାୟ କଷ୍ଟକର! ରିପ୍ରେଜେଣ୍ଟେଶନ୍‌ ଅଫ୍‌ ପିପୁଲ୍‌ସ ଆକ୍ଟ କାର୍ଯ୍ୟକ୍ଷେତ୍ରରେ ରିପ୍ରେଜେଣ୍ଟେଶନ୍‌ ଅଫ୍‌ ପଲଟିକାଲ୍‌ ପାର୍ଟିଜ୍‌ ଆକ୍ଟ ହୋଇଗଲାଣି। ଭୋଟକାଗଜରେ ଦଳ ଚିହ୍ନ ଉପରେ ରବର ଷ୍ଟାମ୍ପ (ମୋହର) ମାରିଦେଲା ପରେ ପ୍ରାର୍ଥୀଟି ଦଳର ସଦସ୍ୟ ହୋଇଗଲା, ଜନତାର ପ୍ରତିନିଧି ହୋଇ ରହିଲା ନାହିଁ। ଏ ପ୍ରକାରର ଅସ୍ବାଭାବିକତା କେବଳ ଭାରତରେ ସମ୍ଭବ!
ଜଣେ ସଚିବ ମୁଖ୍ୟମନ୍ତ୍ରୀଙ୍କ (ମାନେ ଶାସକ ଦଳର ମୁଖ୍ୟଙ୍କ) ଆଜ୍ଞାମାଳ ଧରି ରାଜ୍ୟ ଗସ୍ତ କଲେ ସେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଭଳି ସମ୍ମାନ ଓ ସାହାଯ୍ୟ ନ ପାଇବେ? ଦଳର ମେମ୍ବରମାନେ ଓ ବିଧାୟକ ତଥା ସାଂସଦମାନେ କାହିଁକି ତାଙ୍କୁ ସାହାଯ୍ୟ ନ କରିବେ? ସାହାଯ୍ୟ ନ କଲେ ଦଳର ନିର୍ଦ୍ଦେଶକୁ ଅମାନ୍ୟ କରୁଛ ବୋଲି ଧରାଯିବ, ତେଣୁ ଆଗାମୀ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ପାଇଁ ଦଳର ଟିକେଟ ନ ପାଇପାର। ଗୋପାଳପୁର ବିଧାୟକ ଦଳରୁ ବହିଷ୍କୃତ ହୋଇଥିଲେ ବି ଦଳର ମୁଖ୍ୟ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇନାହାନ୍ତି ଯେ ତାଙ୍କୁ ବିଧାୟକ ପଦରୁ ଅଯୋଗ୍ୟ ଘୋଷଣା କରାଯାଉ। ଏଭଳି ଝୁଲା ବିଧାୟକ ପଦଟା ସମ୍ଭବତଃ ପାର୍ଟି ସୁପ୍ରିମୋଙ୍କ ଉଦାରତା! ପୂର୍ବ କେନ୍ଦ୍ରାପଡ଼ା ସାଂସଦ ଏଇମିତି ତାଙ୍କ ଅବଧି ସରିବା ଯାଏ ନିଜ ପଦରେ ଥିଲେ! ୨୦୦୩ଠାରୁ ନାଗରିକମାନେ ଖାଲି ମୋହର ମାରିବା ଲୋକ ହୋଇଯାଇଛନ୍ତି, ମତ ପ୍ରକାଶ କରିବାର ବା ପ୍ରତିନିଧି ବାଛିବାର ଅଧିକାର ରାଜନୈତିକ ଦଳମାନେ ଛଡ଼ାଇନେଇଛନ୍ତି। ଦଳର ଚିହ୍ନ ଉପରେ ମୋହର ମାରିବା ହିଁ ତା’ ପାଇଁ ଗଣତନ୍ତ୍ର। ସବୁ ଦିଗରୁ ନିର୍ବାଚିତ ବ୍ୟକ୍ତି ଦଳର ପ୍ରତିନିଧି ଏବଂ ଦଳପତିଙ୍କ ଲିଖିତ ବା ଇଙ୍ଗିତ ଆଜ୍ଞାର ଅଧୀନ। ପ୍ରାର୍ଥୀର ବିଜୟ ସମ୍ଭାବନା (ଉଇନେବିଲିଟି) ତା’ର ବ୍ୟକ୍ତିତ୍ୱ ବା ଆଚରଣ ଉପରେ ନିର୍ଭର କରୁନାହିଁ, ଦଳ କେତେ ପରିମାଣରେ ତା’ ପାଇଁ ଲଢୁଛି ତା’ ଉପରେ ନିର୍ଭର କରୁଛି। ସତେ ଯେପରି ଅସାଧୁତା, ଅପରାଧପ୍ରବଣତା, ଲୋକଙ୍କ ମନରେ ଆତଙ୍କ ସୃଷ୍ଟିକରୁଥିବା ପ୍ରକୃତି, ରାତାରାତି ଧନ ସମ୍ପତ୍ତି ଠୁଳ କରିପାରୁଥିବା ସାମର୍ଥ୍ୟ ଓ ପରିଶେଷରେ ଦଳପତିଙ୍କ ଧ୍ୟାନକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତିର ନଜରରେ ରହିବା ଆଦି ଗୁଣ ଉଇନେବିଲିଟି ସୂଚାଉଛି। ଦଳର କାର୍ଯ୍ୟଧାରା ବା ସମ୍ପାଦନ ଦଳର ପ୍ରାର୍ଥୀର ଉଇନେବିଲିଟି ବଢ଼ାଉଛି, ରାଜକୋଷର ଅହେତୁକ ବୃଦ୍ଧି ସାହାଯ୍ୟ କରୁଛି – ଉଦାହରଣ ସ୍ବରୂପ ଓଡ଼ିଶାର ୨୦୨୩ ବଜେଟ ଅଟକଳ କେନ୍ଦ୍ର ସରକାରଙ୍କ ୨୦୦୩ର ବଜେଟ ଅଟକଳ ସଙ୍ଗେ ସମାନ ହୋଇଗଲାଣି, ତେଣୁ ଫ୍ରିବି ଓ ତତ୍‌କ୍ଷଣାତ୍‌ ଫଳପ୍ରଦ ସୁଦୃଶ୍ୟ ପ୍ରକଳ୍ପ ପ୍ରଦାନ କରିବା ସମ୍ଭବ ହେଲାଣି। ଆର୍ଥିକ ବର୍ଷ ଆରମ୍ଭ ଆଗରୁ ପୂରା ବଜେଟ୍‌ ପାସ୍‌ କରିବା ଦରକାର ନାହିଁ, ମଝିରେ ମଝିରେ କ୍ୟାବିନେଟ୍‌ ଡାକି ଦିଆଯାଇଥିବା ପ୍ରତିଶ୍ରୁତିକୁ ମଞ୍ଜୁର କରିନେଇହେବ।

  • ସହଦେବ ସାହୁ
    sahadevas@yahoo.com

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri