ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ ରଙ୍ଗବେରଙ୍ଗ କାହିଁକି? ଆମେରିକାର ପ୍ରସିଦ୍ଧ ‘ଅବର୍ଣ୍ଣ ବିଶ୍ୱବିଦ୍ୟାଳୟ’, ‘କାଲିଫର୍ନିଆ ବିଶ୍ୱବିଦ୍ୟାଳୟ’ ଏବଂ ଭାରତର ‘କେନ୍ଦ୍ରୀୟ ମତ୍ସ୍ୟ ଶିକ୍ଷା ସଂସ୍ଥାନ, ମୁମ୍ବାଇ’ର ବୈଜ୍ଞାନିକମାନଙ୍କ ଦୀର୍ଘ ବର୍ଷର ଗବେଷଣାରୁ ଏହାର ଏକ ଚମକପ୍ରଦ ରହସ୍ୟ ପଦାକୁ ଆସିଛି। ଗବେଷକଙ୍କ ତଥ୍ୟ ଅନୁସାରେ, ଏହି ଜୀବମାନଙ୍କ ସୌନ୍ଦର୍ଯ୍ୟ ପଛରେ ସେମାନଙ୍କ ଖାଦ୍ୟରେ ଥିବା ପ୍ରଚୁର ପରିମାଣର ‘କାରୋଟିନଏଡ୍ସ’ ଦାୟୀ।
କାରୋଟିନଏଡ୍ସ ହେଉଛି ଉଦ୍ଭିଦ, ଗଛପତ୍ର, ଶୈବାଳ ଓ ପ୍ଲାଙ୍କ୍‌ଟନରେ ପ୍ରାକୃତିକ ଭାବରେ ମିଳୁଥିବା ଏକ ଶକ୍ତିଶାଳୀ ରଙ୍ଗଦ୍ରବ୍ୟ ବା ପ୍ରାକୃତିକ ପିଗ୍‌ମେଣ୍ଟ। ଆଶ୍ଚର୍ଯ୍ୟର କଥା ହେଉଛି, ଅଧିକାଂଶ ପଶୁପକ୍ଷୀ ନିଜ ଶରୀରରେ ଏହି ରଙ୍ଗ ନିଜେ ପ୍ରସ୍ତୁତ କରିପାରନ୍ତି। ସେମାନେ ଯେତେବେଳେ କାରୋଟିନଏଡ୍ସିଯୁକ୍ତ ଖାଦ୍ୟ ଖାଆନ୍ତି, ସେହି ରଙ୍ଗ ସେମାନଙ୍କ ଶରୀରରେ ଜମାହୋଇ ଚମଡ଼ା, ଡେଣା କିମ୍ବା ପରକୁ ରଙ୍ଗିନ କରିଦିଏ।
ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ’ଫ୍ଲେମିଙ୍ଗୋ’ ପକ୍ଷୀ। ଜନ୍ମ ସମୟରେ ଏମାନେ ଧୂସର ରଙ୍ଗର ହୋଇଥାନ୍ତି, ମାତ୍ର କାରୋଟିନଏଡ୍ସ ଭରା ସାମୁଦ୍ରିକ ଶୈବାଳ ଏବଂ ଚିଙ୍ଗୁଡ଼ି ଜାତୀୟ ଜୀବ ଖାଇବା ଦ୍ୱାରା ସେମାନଙ୍କ ପର ଗୋଲାପୀ ଓ ନାଲି ହୋଇଯାଏ। ସେହିପରି ବିଭିନ୍ନ ସୁନ୍ଦର ଚଢ଼େଇ ଏବଂ ସାଲମନ ମାଛର ଆକର୍ଷଣୀୟ ଗୋଲାପୀ ମାଂସ ମଧ୍ୟ ଏହି ଖାଦ୍ୟ ଯୋଗୁ ହିଁ ହୋଇଥାଏ। ବୈଜ୍ଞାନିକ ଗବେଷଣା ତଥ୍ୟ ଅନୁଯାୟୀ, ଜୀବଜଗତରେ ଏହି ଉଜ୍ଜ୍ୱଳ ରଙ୍ଗର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ। ପ୍ରଜନନ ଋତୁରେ ସବୁଠାରୁ ଉଜ୍ଜ୍ୱଳ ଓ ସୁନ୍ଦର ରଙ୍ଗର ଜୀବମାନଙ୍କୁ ସାଥୀମାନେ ଅଧିକ ପସନ୍ଦ କରନ୍ତି, କାରଣ ଏହା ସେମାନଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଶକ୍ତିଶାଳୀ ରୋଗ ପ୍ରତିରୋଧକ ଶକ୍ତିର ପ୍ରତୀକ। ଶତ୍ରୁଠାରୁ ରକ୍ଷାପାଇବା ପାଇଁ ମଧ୍ୟ ଏହି ରଙ୍ଗ ସେମାନଙ୍କୁ ପ୍ରକୃତି ସହ ମିଶିଯିବାରେ ସାହାଯ୍ୟକରେ। କେତେକ ଜୀବ ନିଜର ଉଜ୍ଜ୍ୱଳ ରଙ୍ଗ ଦ୍ୱାରା ନିଜକୁ ବିଷାକ୍ତ ବୋଲି ଶତ୍ରୁକୁ ସତର୍କ କରାଇଥାନ୍ତି। ସଂକ୍ଷେପରେ କହିଲେ, ପ୍ରକୃତିର ଏହି ରଙ୍ଗିନ ଶୋଭା ପଛରେ କେବଳ ସୌନ୍ଦର୍ଯ୍ୟ ନାହିଁ, ବରଂ ଜୀବନ ବଞ୍ଚାଇବାର ଏବଂ ଜୈବିକ ବିବର୍ତ୍ତନର ଏକ ବଡ଼ ରହସ୍ୟ ଲୁଚି ରହିଛି ବୋଲି ଆମେରିକା ଓ ବିଶ୍ୱର ବିଭିନ୍ନ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share