ସ୍ବାମୀଙ୍କୁ କିରୋସିନ ଢାଳି ଜାଳିଦେଲେ ଦ୍ୱିତୀୟ ସ୍ତ୍ରୀ

ଭଞ୍ଜନଗର,୫।୪(ଡି.ଏନ୍‌.ଏ): ବୟସର ଅପରାହ୍ଣରେ ବୃଦ୍ଧ ଦମ୍ପତି ମିଳିମିଶି ରହିଥା’ନ୍ତି। କିନ୍ତୁ ବେଳେବେଳେ ପାରିବାରିକ କଳହ ଅସହ୍ୟ ହୋଇପଡ଼ିଥାଏ, ଯାହାର କରୁଣ ପରିଣତି ଭୋଗିଛନ୍ତି ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ଜଣେ ବୃଦ୍ଧ ସ୍ବାମୀ। ମଙ୍ଗଳବାର ସ୍ବାମୀଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଛନ୍ତି ସ୍ତ୍ରୀ। ଗୁରୁତର ସ୍ବାମୀ ପ୍ରଫୁଲ୍ଲ କୁମାର ସାବତ(୭୦)ଙ୍କୁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ପ୍ରଫୁଲ୍ଲଙ୍କ ଅଭିଯୋଗ କ୍ରମେ ପୋଲିସ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ପ୍ରକାଶ ଯେ, ପ୍ରଫୁଲ୍ଲ ଜଣେ ଅବସରପ୍ରାପ୍ତ ବନ କର୍ମଚାରୀ। ପ୍ରଥମ ସ୍ତ୍ରୀଙ୍କ ପରଲୋକ ପରେ ଦ୍ୱିତୀୟ ବିବାହ କରିଥିଲେ। ବିବାହର କିଛି ଦିନ ଠିକ ଚାଲିଥିଲା। ଏହାପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହେଉଥିଲା। ମଙ୍ଗଳବାର ପ୍ରଫୁଲ୍ଲ ଘର ସମ୍ମୁଖରେ ବସି ଥିବା ବେଳେ ସ୍ତ୍ରୀ ଏକ ବୋତଲରେ କିରୋସିନ ଆଣି ସ୍ବାମୀଙ୍କ ଦେହରେ ଢାଳି ନିଆଁ ଲଗାଇ ଦେଇଥିଲେ।