ନୂଆ ଷ୍ଟ୍ରେନ୍‌ର ଗତି ପ୍ରଖର, ପଡିଛି ଭାଳେଣି

ଭୁବନେଶ୍ୱର, ୪।୪(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ବହୁଶୀଘ୍ର ଚାରିଆଡକୁ ବ୍ୟାପିଯାଇଛି। ଦୈନିକ ପଜିଟିଭ୍‌ ସଂଖ୍ୟା ୫ଶହ ପାଖାପାଖି ପହଞ୍ଚତ୍ଥିବାବେଳେ ନୂଆ ଷ୍ଟ୍ରେନ୍‌କୁ ନେଇ ଭାଳେଣି ପଡିଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ଯେଉଁ ଷ୍ଟ୍ରେନ୍‌ ଆସିଛି, ତା’ର ଗତି ପ୍ରଖର। ସଂକ୍ରମଣ ମାଡ଼ି ଚାଲୁଥିବାରୁ ସେ ଚେତାବନୀ ଦେଇଛନ୍ତି। ଛତିଶଗଡ଼ ସୀମାରେ ଥିବାରୁ ନୂଆପଡ଼ାରେ ସଂକ୍ରମଣ ହାର ଅଧିକ ରହୁଛି। ଏହାବ୍ୟତୀତ ରାଜ୍ୟର ଅନ୍ୟ ଜିଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଟିକାକରଣକୁ ବଢ଼ାଇ ଦିଆଯାଇଛି। ଦୈନିକ ୨ଲକ୍ଷରୁ ଅଧିକ ଲୋକ ଟିକା ନେଉଛନ୍ତି। ଇତିମଧ୍ୟରେ ୩୧,୩୭,୬୯୮ଜଣ ଟିକା ନେଇ ସାରିଲେଣି। ଏବେ ଯେତିକି ଟିକା ଅଛି ଆଉ ୪ ଦିନ ଟିକାକରଣ କରିହେବ। ଆଗକୁ ଟିକାକରଣ ଜାରି ରଖିବାକୁ ପ୍ରାୟ ୩୦ ଲକ୍ଷ ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଛି। ତେବେ ଟିକା ନେବା ପରେ କେତେଜଣ ସଂକ୍ରମିତ ହୋଇଛନ୍ତି, ତାହା ଜାଣିବାକୁ ସର୍ଭେ ହେବ। ଏବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଗୁରୁତର ତଥା ମୃତକଙ୍କ ସଂଖ୍ୟାରେ ବୃଦ୍ଧି ହେଉନି। ରାଜ୍ୟରେ ଲୋକଙ୍କ ଭିତରେ ଆଣ୍ଟିବଡି ଡେଭଲପ୍‌ ହୋଇଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ପାଣିଗ୍ରାହୀ କହିଛନ୍ତି।

ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟରେ ସଂକ୍ରମଣ ଦ୍ୱିତୀୟ ଦିନ ପାଇଁ ୪ଶହ ଉପରେ ରହିଛି। ୨୪ ଘଣ୍ଟା ମଧ୍ୟରେ ୪୫୨ ସଂକ୍ରମିତ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୨୨୪କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୭ଜଣ ରହିଥିବାବେଳେ ଏହା ତଳକୁ ସୁନ୍ଦରଗଡ଼ ୭୫ ଓ ନୂଆପଡ଼ାରେ ୭୧ଜଣ ରହିଛନ୍ତି। ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଓଡ଼ିଶା ସ୍ଥିତି ଭଲ ଅଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି। ସେ କହିଛନ୍ତି, ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ସରକାର କରୋନା ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛନ୍ତି। ସବୁ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୀମାବର୍ତ୍ତୀ ଜିଲାଗୁଡ଼ିକର ଜିଲାପାଳମାନଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି। ଯେଉଁମାନେ ବାହାର ରାଜ୍ୟରୁ ଆସିବେ ସେମାନଙ୍କର ସ୍କ୍ରିନିଂ କରାଯାଇ ଆଣ୍ଟିଜେନ୍‌ ଟେଷ୍ଟ ପାଇଁ କୁହାଯାଇଛି। ଏହାସହ ଅଟୋ ଚାଳକ, ମାଂସ ବିକାଳି, ହୋଟେଲ୍‌ କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।