ମେରାଇନ୍‌ ରାସ୍ତାକୁ ବିପଦ

ପାରାଦୀପ,୯ା୨(ସ୍ବ.ପ୍ର.): ପାରାଦୀପର ଷଣ୍ଢକୁଦ ସୀମାଠାରୁ ତୈଳ ବିଶୋଧନାଗାର ସାଉଥଗେଟ୍‌ ପର୍ଯ୍ୟନ୍ତ ସମୁଦ୍ର କୂଳରେ ଏବେ ଅବାଧରେ ବାଲି ଓ ମାଟି ଖୋଳା ଯାଉଥିବା ଦେଖିବାକୁ ମିଳିଛି। ଏହାଦ୍ୱାରା କେତେକ ଜାଗାରେ ସମୁଦ୍ର ଢେଉ ମେରାଇନ୍‌ ରାସ୍ତା ପାଖରେ ପହଞ୍ଚତ୍ ଗଲାଣି। ଏହାକୁ ପାରାଦୀପ ଓ ଢ଼ିଙ୍କିଆ ଅଞ୍ଚଳର କେତେଜଣ ବ୍ୟବସାୟୀ ଲଗାତାର ଭାବେ ଖନନ କରି ନିକଟସ୍ଥ ଏକ କମ୍ପାନୀ ପରିସରରେ ଭରଣା କରୁଛନ୍ତି। ଯାହାକୁ ସ୍ଥାନୀୟ ପ୍ରଶାସନ ନ ଦେଖିଲା ପରି ରହୁଥିବା ଅଭିଯୋଗ ହେଉଛି। ଏମିତି ବାଲି ମାଟି ଖନନ ହେବା ଦ୍ୱାରା ସେଠାରେ ପୋଖରୀ ସଦୃଶ୍ୟ ହୋଇଗଲାଣି। ସମୁଦ୍ର ଢେଉ ମେରାଇନ୍‌ ରାସ୍ତା ପାଖରେ ପହଞ୍ଚତ୍ ଗଲାଣି। ଫଳରେ ଏହା ପୁରୀର କୋଣାର୍କ ମେରାଇନ ରାସ୍ତା ସମୁଦ୍ର ଗର୍ଭକୁ ଚାଲିଯିବା ଭଳି ସମସ୍ୟା ଉପୁଜିବାକୁ ଯାଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଏକ କମ୍ପାନୀର ୨୩୪ ଏକର ଖାଲକୁ ଭରଣା କରିବାକୁ ସମୁଦ୍ରରେ ଡ୍ରେଜିଂ କରି ବାଲି ଉଠାଇବାକୁ ସରକାରୀ ଭାବେ ସ୍ବୀକୃତି ମିଳିଛି। କିନ୍ତୁ ପାରାଦୀପ ପାଖ ସମୁଦ୍ର ଗଭୀର ସହ ଅତ୍ୟଧିକ କରେଣ୍ଟ ରହୁଥିବାରୁ ଡ୍ରେଜିଂ କାମ ସହଜ ହେଉନାହିଁ। ଯାହାଦ୍ୱାରା କମ୍ପାନୀ ବାହାରୁ ବାଲି ମାଟି ଆଣିବା ପାଇଁ କେତେଜଣ ଠିକାଦାରଙ୍କ ଜରିଆରେ କାମ କରୁଛନ୍ତି। ଠିକାଦାରମାନେ ଦୂରରୁ ବାଲି ଆଣି ପକାଇବା ପାଇଁ ଅର୍ଥ ପାଉଛନ୍ତି। କିନ୍ତୁ ସେମାନେ କେତେଜଣ ସ୍ଥାନୀୟ ମୁଷ୍ଟିମେୟ ଲୋକଙ୍କ ଜରିଆରେ ତ୍ରିଲୋଚନପୁରଠାରୁ ଷଣ୍ଢକୁଦ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ବାଲି ଆଣି କମ୍ପାନୀ ପରିସରରେ ପକାଉଛନ୍ତି। ଏଥିପାଇଁ ଗୋଟିଏ ଗାଡି ଟ୍ରିପ ପିଛା ୩ରୁ ୪ ହଜାର ଟଙ୍କା ଫାଇଦା ପାଉଛନ୍ତି ବୋଲି ଜଣେ ବାଲି ବେପାରୀ କୃଷ୍ଣ ମଣ୍ଡଳ ସ୍ବୀକାର କରିଥିଲେ।

ସୂଚନାଯୋଗ୍ୟ, ଏହି ଅଞ୍ଚଳ ପାରାଦୀପର ବୋଲି କୁହାଯାଉଛି। ବାସ୍ତବରେ ଏହା ଏରସମା ତହସିଲ ଅଧୀନରେ ରହିଛି। ଉକ୍ତ ଅଞ୍ଚଳର ଅର୍ଦ୍ଧେକ ସୀମା ଅଭୟଚାନ୍ଦପୁର ଥାନାରେ ଥିବା ବେଳେ ଷଣ୍ଢକୁଦ ପାଖ ରହିଛି ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅଞ୍ଚଳରେ। ଏମିତି ସ୍ଥିତିରେ ବାଲି ଉଠାଉଥିବା ବେପାରୀମାନେ ଦୁଇ ଥାନା ପୋଲିସକୁ ହାତ କରି ଏପରି ବେପାର ଚଳାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଅଭୟଚାନ୍ଦପୁର ଆଇଆଇସି ରାଜକିଶୋର ବେହେରାଙ୍କୁ ପଚାରିଲେ ଆମେ ସମୟାନୁସାରେ ଧରପଗଡ଼ କରୁଛୁ। କିନ୍ତୁ ରାତିରେ ଏପରି ହେଉଥିବାରୁ ସବୁବେଳେ ଚଢ଼ାଉ କରିବା ସମ୍ଭବ ହେଉନାହିଁ।

ସେହିପରି ଜଟାଧାର ମୁହାଣ ସାମୁଦ୍ରିକ ଥାନା ଆଇଆଇସି ଦେବେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରେ ବାଲି ମାଟି ଉଠୁଥିବା ସୀମା ଆମର ନୂହେଁ। ଷଣ୍ଢକୁଦ ପାଖରେ ଆମେ ଗାଡି ଯାଞ୍ଚ କଲେ ସେମାନେ ବାହାରୁ ଆଣୁଛନ୍ତି ବୋଲି କାଗଜ ଦେଖାଉଛନ୍ତି। ଏମିତି ସ୍ଥିତିରେ କେତେଜଣ ଲାଭଖୋର ଲୋକଙ୍କ ପାଇଁ କୁଜଙ୍ଗ ଢିଙ୍କିଆ ୪ ଦେଶର ପ୍ରାକୃତିକ ବାଲି ସୁରକ୍ଷା କବଚ ଉଜୁଡି ଯିବାକୁ ବସିଲାଣି। ବାତ୍ୟା ବେଳେ ଏହା ବିପର୍ଯ୍ୟୟ ସୃଷ୍ଟି କରିବା କଥା ଏଡାଇ ଦିଆଯାଇ ନ ପାରେ।