ଦ ସି ଆଣ୍ଡ ସେଭେନ ଭିଲେଜେସ ସିନେମାକୁ ଆଉ ଏକ ସଫଳତା

ରାଜନଗର, ୨୭ା୧୦ (ଭାସ୍କର ରାଉତରାୟ): ବଙ୍ଗୋପସାଗର ତଟବର୍ତ୍ତୀ କିମ୍ବଦନ୍ତୀର ଅନନ୍ୟ ସ୍ବାକ୍ଷର ସାତଭାଇର ଗାଁ ସାତଭାୟାବାସୀଙ୍କ ଜୀବନ ଜୀବିକାକୁ ନେଇ ଓଡ଼ିଶାର ଅନ୍ୟତମ ଖ୍ୟାତାନାମା ଚଳଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ଓ କିଟ୍‌ ଏବଂ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିବେଦିତ ତଥା ଡ. ଇତି ସାମନ୍ତଙ୍କ ପ୍ରଯୋଜିତ କାଦମ୍ବିନୀ ମିଡିଆ ଦ୍ୱାରା ପ୍ରସ୍ତୁତ ଚଳଚ୍ଚିତ୍ର ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ ଜାତୀୟ ନନ୍‌ ଫିଚର ଫିଲ୍ମ ବିଭାଗରେ ମନୋନୀତ ହୋଇଛି। ଏହି ବିଭାଗରେ ସମଗ୍ର ଭାରତ ବର୍ଷରୁ ୨୫ଟି ଫିଚର ଓ ୨୦ଟି ନନ୍‌ ଫିଚର ଫିଲ୍ମ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଫିଚର ବିଭାଗରେ ମାଲାୟଲମ ଫିଲ୍ମ ଆଟମ୍‌ ଥିବା ବେଳେ ନନ୍‌ ଫିଚର ବିଭାଗରୁ ଆଣ୍ଡ୍ରୋ ଡ୍ରିମ୍ସ ମଣିପୁରୀ ଚଳଚ୍ଚିତ୍ରକୁ ପ୍ରଦର୍ଶିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ଦ ସି ଆଣ୍ଡ ସେଭେନ ଭିଲେଜେସଟି ଦେଶ ବିଦେଶରେ ବିଭିନ୍ନ ଚଳଚ୍ଚିତ୍ର ଉତ୍ସବରେ ସ୍ଥାନ ପାଇବା ସହ ଅଜସ୍ର ସଫଳତା ସାଉଁଟିଛି। ଜଳବାୟୁର ପରିବର୍ତ୍ତନ ଯୋଗୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ସାତଭାୟାର ୭ଟି ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି। ସାତଭାୟାବାସୀଙ୍କୁ ବଗପାଟିଆଠାରେ ଥଇଥାନ କରାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ କୌଣସି ପଞ୍ଚାୟତ ବିସ୍ଥାପିତ ହେବା ପ୍ରଥମ ଘଟଣା। ଜଳବାୟୁ ପରିବର୍ତ୍ତନ ଓ ସାତଭାୟାବାସୀଙ୍କ ସଂଘର୍ଷର କାହାଣୀକୁ ନେଇ ଏହି ଚଳିଚ୍ଚିତ୍ର ପ୍ରସ୍ତୁତ କରାଯାଇଛି।