ବିଦ୍ୟାଳୟ ପାଚେରି ଭୁଶୁଡ଼ିଲା

ବାହାନଗା,୧୯ା୯(ଡି.ଏନ.ଏ.):ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ଗ୍ରାମର ଥିବା ୫-ଟି ଉଚ୍ଚ ବିଦ୍ୟାଳୟର ପାଚେରି ଭୁଶୁଡ଼ି ପଡ଼ିଛି। ଠିକାଦାରଙ୍କ ଖାମଖିଆଲି ମନୋଭାବରୁ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ପାଚେରି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ୱାରା ୮ ବର୍ଷ ତଳେ ଉକ୍ତ ପାଚେରି ନିର୍ମାଣ ହୋଇଥିଲା। ତେବେ ବିଦ୍ୟାଳୟର ଉତ୍ତର ପାର୍ଶ୍ୱ ତଥା ବିଦ୍ୟାଳୟ ସାମ୍ନାରେ ଥିବା ଗେଟ୍‌ ପାଖରୁ କିଛି ଦୂର ପର୍ଯ୍ୟନ୍ତ ପାଚେରିକୁ ଲଗାଇ ଠିକାଦାର ବାଲି,ମେଟାଲ ଓ ଚିପ୍‌ସ ଆଦି ଜମା କରିଥିବାରୁ ବର୍ଷା ସମୟରେ ପାଚେରିଟି ଭାରସାମ୍ୟ ସହି ନ ପାରି ଭୁଶୁଡ଼ି ପଡ଼ିଥିବା ଗ୍ରାମବାସୀ କହିଛନ୍ତି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବିଦ୍ୟାଳୟ ପାଚେରି କଡ଼ରେ ଠିକାଦାର ବେଆଇନ ଭାବେ ବାଲି, ଚିପସ୍‌ ଆଦି ଜମା କରିଥିବା ସମ୍ପର୍କରେ ଗ୍ରାମବାସୀ ପୂର୍ବରୁ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ ତହସିଲଦାର କିଛି ପଦକ୍ଷେପ ଗ୍ରହଣ କରି ନ ଥିବାରୁ ପାଚେରି ଭୁଶୁଡ଼ି ପଡ଼ିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।