Categories: ମେଟ୍ରୋ

ରାତି ଅଧରେ ଜେସିବି ଲଗାଇ ସ୍କୁଲ ଭାଙ୍ଗିଲେ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଲକ୍ଷ୍ମୀସାଗର ଥାନାଞ୍ଚଳରେ ଥିବା ଏକ ଘରୋଇ ସ୍କୁଲକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ସ୍କୁଲଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ କମ୍ପ୍ୟୁଟର, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ରବିବାର ସ୍କୁଲର ସମ୍ପାଦିକା ଲକ୍ଷ୍ମୀ ପାଣିଗ୍ରାହୀ ଜମି ମାଲିକଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ସ୍କୁଲରେ ଥିବା ୨ଲକ୍ଷ ଟଙ୍କା ଚୋରି ହୋଇଥିବା ଲକ୍ଷ୍ମୀ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ପୋଲିସ ଆଇପିସି ଦଫା ୨୯୪, ୪୨୭, ୪୫୭, ୩୮୦, ୫୦୬ ଓ ୩୪ରେ ଏକ ମାମଲା (ନଂ.୨୨୮/୨୧) ରୁଜୁ କରି ତଦନ୍ତ ଚଳାଇଛି।
ଲକ୍ଷ୍ମୀଙ୍କ ଅଭିଯୋଗ ଅନୁଯାୟୀ, ୨୦୦୪ରେ ତାଙ୍କ ସ୍ବାମୀ ଚିନ୍ତାମଣିଶ୍ୱରରେ ଦୁଇଟି ଘରକୁ ଭଡାରେ ନେଇ ଏକ ଘରୋଇ ସ୍କୁଲ କରିଥିଲେ। ପରବର୍ତ୍ତୀ ସମୟରେ ସେଠାରେ ଆଉ ୭ଟି ଘର ତିଆରି କରିଥିଲେ। ତେବେ ୨୦୧୦ରେ ତାଙ୍କ ସ୍ବାମୀ ଉକ୍ତ ଜମିକୁ କ୍ରୟ କରିବାକୁ ମାଲିକଙ୍କୁ ୧୫ଲକ୍ଷ ଟଙ୍କା ଦେଇଥିଲେ। ହେଲେ ଦୁର୍ଭାଗ୍ୟବଶତଃ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଉକ୍ତ ଟଙ୍କାକୁ ଜମି ମାଲିକ ଆଉ ଫେରସ୍ତ କରି ନ ଥିଲେ। ଏଥିସହ ଘର ଭଡା ବାବଦକୁ ଟଙ୍କା ନେଉଥିଲେ। ଜୁନ ୨୪ରେ ଘର ମାଲିକ ଘର କରିବାକୁ କହି ଜାଗା ଛାଡିବାକୁ କହିଥିଲେ। ଫଳରେ ଲକ୍ଷ୍ମୀ ଘର ଛାଡିବା ପାଇଁ କିଛିଦିନ ସମୟ ମାଗିଥିଲେ ମଧ୍ୟ ସେ କିଛି ଶୁଣି ନ ଥିଲେ। ଶନିବାର ରାତି ପ୍ରାୟ ଗୋଟାଏରେ ୫୦ରୁ ଊର୍ଦ୍ଧ୍ୱ ଲୋକ ପହଞ୍ଚତ୍ ଜେସିବି ଲଗାଇ ସ୍କୁଲ ଭାଙ୍ଗି ଦେଇଥିଲେ।