୪ ଛାତ୍ରୀଙ୍କୁ ପାଇଖାନାରେ ବନ୍ଦ କରି ସ୍କୁଲ ସଭାପତି ଗିରଫ

ବଲାଙ୍ଗୀର/କଣ୍ଟାବାଞ୍ଜି, ୧୦ା୮(ବୀରେନ୍ଦ୍ର କୁମାର ଝାଙ୍କର/ଗୁରଦୟାଲ ହଂସ)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଧୀନ ବୁରୋମାଲ ସରକାରୀ ଉନ୍ନୀତ ହାଇସ୍କୁଲ ପାଇଖାନା ଭିତରେ ଦଶମ ଶ୍ରେଣୀର ୪ ଛାତ୍ରୀଙ୍କୁ ମଙ୍ଗଳବାର ଅଧଘଣ୍ଟା କାଳ ବନ୍ଦ କରାଯାଇଥିଲା। ଏହି ଘଟଣାର ଅଭିଯୁକ୍ତ ହାଇସ୍କୁଲ ପରିଚାଳନା କମିଟି ସଭାପତି ଅଶୋକ ଓରଫ ସଦାନନ୍ଦ ବନ୍‌ଛୋର(୩୫)ଙ୍କୁ ପୋଲିସ ଗିରଫ କରିଛି। ବୁଧବାର ତାଙ୍କୁ ବଲାଙ୍ଗୀର ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
୪ ଛାତ୍ରୀଙ୍କୁ ବନ୍‌ଛୋର ମଙ୍ଗଳବାର ବିନା କାରଣରେ ଗାଳିଗୁଲଜ କରିଥିଲେ। ପରେ ସେମାନଙ୍କୁ ସ୍କୁଲର ଏକ ପାଇଖାନାରେ ବନ୍ଦ କରି ବାହାର ପଟୁ କବାଟ ବନ୍ଦ କରିଦେଇଥିଲେ। ପ୍ରାୟ ଅଧଘଣ୍ଟା ପରେ ଛାତ୍ରୀମାନେ ପାଇଖାନାରୁ ମୁକୁଳିବା ପରେ ଘରକୁ ପଳାଇଥିଲେ। ସେମାନଙ୍କଠାରୁ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହା ପରେ ଛାତ୍ରୀମାନଙ୍କ ଅଭିଭାବକ କଣ୍ଟାବାଞ୍ଜି ଥାନାରେ ବନ୍‌ଛୋରଙ୍କ ଉନ୍ମତ୍ତ କାଣ୍ଡ ବିଷୟରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତା ଛାତ୍ରୀଙ୍କୁ ସଭାପତି ବନ୍‌ଛୋର ହାତ ଧରି ଟଣାଓଟରା କରିବା ଅଭିଯୋଗ କରିଥିଲେ। ଏପରିକି ସେମାନେ ପାଇଖାନା ଭିତରେ ଭୟରେ ଚିତ୍କାର ଛାଡିବା ପରେ ପାଇଖାନା କବାଟ ଖୋଲାଯାଇଥିଲା। ଶିକ୍ଷୟିତ୍ରୀ ଶିକ୍ଷକମାନେ ଶ୍ରେଣୀରେ ପାଠ ପଢ଼ାଉ ଥିବାରୁ ଘଟଣା ସମ୍ପର୍କରେ ଜାଣି ପାରି ନ ଥିବା କୁହାଯାଉଛି। ଅଭିଭାବକଙ୍କଠାରୁ ଅଭିଯୋଗ ପାଇବା ପରେ ପୋଲିସ ଅଧିକାରୀ ପୀଡିତା ୪ ଛାତ୍ରୀଙ୍କୁ ପଚରାଉଚରା କରି ସତ୍ୟାସତ୍ୟ ଯାଞ୍ଚ କରିଥିଲେ। ଏହାପରେ ପୋଲିସ ସ୍କୁଲ ସଭାପତି ବନ୍‌ଛୋରଙ୍କୁ ଘରୁ ଆଣି ଅଟକ ରଖିଥିଲେ। ପୋଲିସ ଆଇପିସି ଦଫା ୩୪୧, ୨୯୪, ୪୪୮, ୩୪୨, ୩୫୪ ଏବଂ ଆରଡବ୍ଲ୍ୟୁ ସେକ୍ସନ ୧୨ ପୋସ୍କୋ ଆକ୍ଟରେ ଏକ ମାମଲା (୨୨୩/୨୩) ରୁଜୁ କରିଥିବା କଣ୍ଟାବାଞ୍ଜି ଥାନା ଅଧିକାରୀ ରଶ୍ମିତା ବେହେରା କହିଛନ୍ତି। ଘଟଣା ସମ୍ପର୍କରେ ସ୍କୁଲ ପ୍ରଧାନଶିକ୍ଷକ ବିଭୁଦତ୍ତ ସାହୁଙ୍କୁ ପଚାରିବାରୁ ସେ ଛୁଟିରେ ଥିବା କହିଛନ୍ତି। ତେବେ ସେଦିନ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଜଣକ ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ କିଭଳି ଜାଣି ପାରିଲେ ନାହିଁ ବୋଲି ଚର୍ଚ୍ଚାର ବିଷୟ ହୋଇଛି।