୫-ଟି ସ୍କୁଲରେ ଜମୁଛି ପାଣି

ବାଲିଅନ୍ତା,୨୨।୯(ଡି.ଏନ୍‌.ଏ.): ବାଲିଅନ୍ତା ହାଇସ୍କୁଲକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଇଛି। କିନ୍ତୁ ବିଦ୍ୟାଳୟ ପରିସର ଓ ପ୍ରବେଶ ପଥ ଅସରାଏ ବର୍ଷା ପାଣିରେ ଜଳମଗ୍ନ ହୋଇପଡୁଛି। ବୁଧବାର ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଦ୍ୟାଳୟ ପରିସରରେ ପାଣି ଜମି ରହିଥିଲା। ଫଳରେ ଛାତ୍ରୀଛାତ୍ରଙ୍କୁ ପାଣି ଭିତରେ ପଶି ଯିବାଆସିବା କରିବାକୁ ପଡୁଛି। ଗତ ୭୨ ବର୍ଷ ଏହି ପୁରାତନ ସ୍କୁଲ ଦେଢ ବର୍ଷ ତଳେ ସ୍ମାର୍ଟ ସ୍କୁଲରେ ପରିଣତ ହୋଇଛି। କିନ୍ତୁ ବର୍ଷା ପାଣି ନିଷ୍କାସନର ବ୍ୟବସ୍ଥା କରାଯାଇ ନ ଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପାଣିରେ ପଶି ଯାତାୟାତ କରିବା ଫଳରେ ଛାତ୍ରୀଛାତ୍ରଙ୍କ ଜୋତା ଭିଜି ପାଦରେ ଲାଗୁଛି। ଫଳରେ ଜୋତା ନଷ୍ଟ ହେବା ସହ ପାଦ କୁଣ୍ଡାଇ ହେଉଥିବା ଅଭିଭାବକ ବାବୁଲା ନାୟକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଭବାନୀ କୁମାରୀ ମହାପାତ୍ରଙ୍କୁ ପଚାରିବାରେ, ବିଦ୍ୟାଳୟ ସମ୍ମୁଖ ରାସ୍ତା ଉଚ୍ଚା ହେବା ପରେ ରାସ୍ତାର ମଇଳା ପାଣି ବିଦ୍ୟାଳୟ ଭିତରକୁ ପ୍ରବେଶ କରୁଛି। ଫଳରେ ସେହି ପାଣି ପାଦରେ ଲାଗି ପାଦ କୁଣ୍ଡାଇ ହେଉଛି। ଏନେଇ ସେ ସ୍ଥାନୀୟ ଲୋକ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି। ଏଥିସହ ସେ ବିଦ୍ୟାଳୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ବିଦ୍ୟାଳୟ ପ୍ରବେଶ ପଥକୁ ଉଚ୍ଚା କରିବେ ବୋଲି କହିଛନ୍ତି।