ଶିକ୍ଷକ ଅଭାବରେ ଚାଲିଛି ବିଦ୍ୟାଳୟ: ୧୫୩ ଛାତ୍ରୀଛାତ୍ରଙ୍କୁ ମାତ୍ର ୪ ଶିକ୍ଷକ

କର୍ଲାମୁଣ୍ଡା,୩।୧୧(ପ୍ରଦୀପ କୁମାର ସାହୁ): ଶିକ୍ଷାର ବିକାଶ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଅନେକ ବିଦ୍ୟାଳୟରେ ଏବେ ବି ଶିକ୍ଷକ ଅଭାବ ଓ ଭିତ୍ତିଭୂମି ସମସ୍ୟା ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ହେଉଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏଠାରେ ୧୫୩ ଜଣ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଉଛନ୍ତି ମାତ୍ର ୪ ଜଣ ଶିକ୍ଷକ। ଏପରିକି ବିଦ୍ୟାଳୟର ନିଜସ୍ବ ଜମି ମଧ୍ୟ ନାହିଁ।

ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ଶିଶୁ ବାଟିକାରେ ଜଣେ, ପ୍ରଥମ ଶ୍ରେଣୀରେ ୫ ଜଣ, ଦ୍ୱିତୀୟରେ ୭ ଜଣ, ତୃତୀୟରେ ୧୩ ଜଣ, ଚତୁର୍ଥରେ ୧୩ ଜଣ, ପଞ୍ଚମରେ ୧୮ ଜଣ, ଷଷ୍ଠରେ ୩୭ ଜଣ, ସପ୍ତମରେ ୨୬ ଜଣ ଓ ଅଷ୍ଟମ ଶ୍ରେଣୀରେ ୩୩ ଜଣ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ଏତେ ସଂଖ୍ୟକ ପିଲାଙ୍କ ପାଇଁ ମାତ୍ର ୪ ଜଣ ଶିକ୍ଷକ ଥିବାରୁ ପାଠପଢ଼ା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପମଣି ସାହୁ ଭାରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଦାୟିତ୍ୱରେ ମଧ୍ୟ ରହିଛନ୍ତି। ଫଳରେ ତାଙ୍କୁ ପ୍ରଶାସନିକ କାର୍ଯ୍ୟ ସହ ଶିକ୍ଷାଦାନ ଦାୟିତ୍ୱ ମଧ୍ୟ ତୁଲାଇବାକୁ ପଡ଼ୁଛି। ଏହାଦ୍ୱାରା ବିଦ୍ୟାଳୟର ଶିକ୍ଷାଦାନ ଓ ପରିଚାଳନା ପ୍ରଭାବିତ ହେଉଥିବା ଜଣାପଡ଼ିଛି।

୧୯୬୪ ମସିହାରେ ସ୍ଥାପିତ ଏହି ପୁରାତନ ବିଦ୍ୟାଳୟର ଆଜି ପର୍ଯ୍ୟନ୍ତ ନିଜସ୍ବ ଜମି ନାହିଁ। ଜଣେ ଆଦିବାସୀ ବ୍ୟକ୍ତିଙ୍କ ଜମିରେ ବିଦ୍ୟାଳୟ ଚାଲିଥିବାରୁ ନୂତନ ଶ୍ରେଣୀଗୃହ ନିର୍ମାଣରେ ଜମି ସମସ୍ୟା ବାଧକ ସାଜିଛି। ଏହି କାରଣରୁ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ ହୋଇପାରୁନାହିଁ। ୮ଟି ଶ୍ରେଣୀର ପିଲାଙ୍କ ପାଇଁ ମାତ୍ର ୫ଟି ଶ୍ରେଣୀଗୃହ ରହିଛି। ଏଥିସହ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଯୁକ୍ତ ଶୌଚାଳୟ ବ୍ୟବସ୍ଥା ମଧ୍ୟ ନାହିଁ।

ଏଭଳି ପରିସ୍ଥିତିରେ ପିଲାମାନେ କିପରି ସୁରକ୍ଷିତ ଓ ଉପଯୁକ୍ତ ପରିବେଶରେ ଶିକ୍ଷାଲାଭ କରିବେ, ତାହାକୁ ନେଇ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି। ଦୀର୍ଘ ୬୨ ବର୍ଷର ଏହି ଶିକ୍ଷାନୁଷ୍ଠାନର ଜମି ସମସ୍ୟାର ସମାଧାନ, ଆବଶ୍ୟକ ଶିକ୍ଷକ ନିଯୁକ୍ତି, ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଓ ଉନ୍ନତ ଶୌଚାଳୟ ବ୍ୟବସ୍ଥା ପାଇଁ ଶିକ୍ଷା ବିଭାଗ ଓ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚନ୍ଦ୍ରଭାନୁ ସାହୁ ଓ କମିଟି ସଦସ୍ୟ ପ୍ରଦୀପ ସାହୁ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 

Share