ହାତୀପଲ ଭାଙ୍ଗିଲେ ସ୍କୁଲ

ଲୋଇସିଂହା,୨୪।୩: ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ଅଞ୍ଚଳରେ ଦୁଇଦିନ ହେଲା ହାତୀ ଉପଦ୍ରବ ଦେଖାଦେଇଛି। ଅଞ୍ଚଳରେ ବ୍ୟାପକ ଉପଦ୍ରବ ପରେ ହାତୀ ଏବେ ବରଗଡ ଜିଲାକୁ ଚାଲିଯାଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି। ଗତ ୨୦ତାରିଖ ସକାଳେ ସୁବର୍ଣ୍ଣପୁର ଜିଲା ବାଙ୍କତେନ୍ତୁଲି ଗାଁର ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ମାରି ଦେଇଥିଲା। ପରେ ହାତୀ ସୀମାନ୍ତ ଲୋଇସିଂହା ରେଞ୍ଜକୁ ଆସି ଆତଙ୍କ ସୃଷ୍ଟି କରିଥିଲା। ଯୋଗୀସର୍ଡା-ଖୁଣ୍ଟଲିମୁଣ୍ଡା ଆରଡି ରାସ୍ତାର ବାଦିବାହାଲ ଗାଁ ହନୁମାନ ଛକରେ ହାତୀମଳ ପଡିଥିବା ମଙ୍ଗଳବାର ସକାଳେ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ସୋମବାର ରାତିରେ ବାଦିବାହାଲ ଗ୍ରାମର ପୋଖରୀ ନିକଟରେ ବସୁଦେବ ମେହେର ଓ ରତ୍ନାକର ମେହେରଙ୍କ ରବିଧାନ ଚାଷକୁ ମାଡି ଦଳି ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାପରେ ବେନ୍ଦ୍ରା ହାଇସ୍କୁଲ ନିକଟରେ ରହୁଥିବା ରାଧାକାନ୍ତ ମେର୍ଲିଙ୍କ ଘରପାଚେରି ହାତୀ ଭାଙ୍ଗି ଦେଇଛି। ସେହି ରାତିରେ ହାତୀ ଛେଳିଆପାଟ ସଂରକ୍ଷିତ ଜଙ୍ଗଲୁ ଚାଲି ଯାଇଥିଲା ା ମଙ୍ଗଳବାର ରାତିରେ ଛେଳିଆପାଟ ଜଙ୍ଗଲରୁ ବାହାରି ଖଲିଆପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଶି ଶ୍ରେଣୀ ଗୃହର କବାଟ ଭାଙ୍ଗିଦେଇଛି। ପଥରୁଣ୍ଡା ଗ୍ରାମର ଏକ ଇଟା ଭାଟିରେ କାମ କରିବାକୁ ଆସିଥିବା ଶ୍ରମିକଙ୍କ କୁଡିଆକୁ ଦନ୍ତା ଭାଙ୍ଗି ପକାଇଛି। ସେତେବେଳେ ସେଠାରେ କୌଣସି ଶ୍ରମିକ ନ ଥିବା ଫରେଷ୍ଟ ମଧୂସୁଦନ ଗଡୁଆ କହିଛନ୍ତି। ଗତ ଦୁଇଦିନ ଭିତରେ ହାତୀ ଉପଦ୍ରବରେ ନଷ୍ଟ ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ବିଭାଗୀୟ କର୍ମଚାରୀଙ୍କୁ କୁହାଯାଇଛି ବୋଲି ସେ କହିଛନ୍ତି।