Categories: ଫୁରସତ

ଏହି ଫୁଲର ଦୁର୍ଗନ୍ଧରେ ନାକ ଫାଟିପଡୁଛି, ତଥାପି ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼; ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ଆମେରିକାର ସବୁଠୁ ସୁନ୍ଦର ସହର କୁହାଯାଉଥିବା ଫ୍ରାନ୍ସିସ୍କୋରେ ଏକ ଦୁର୍ଲଭ ଫୁଲ ଫୁଟିଛି। ଯାହାକୁ ଦେଖିବା ପାଇଁ ହଜାର ହଜାର କିଲୋମିଟର ଦୂରରୁ ଲୋକଙ୍କ ସୁଅ ଛୁଟୁଛି। ସବୁ ଫୁଲର ବାସ୍ନା ଥିବା ବେଳେ ଏହି ଫୁଲଟି କିନ୍ତୁ ଦୁର୍ଗନ୍ଧରେ ଫାଟିପଡୁଛି। ତଥାପି ଲୋକେ ଫୁଲ ଦେଖିବାକୁ ଆସିବା ସହ ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଆସନ୍ତୁ ଜାଣିବା କାହିଁକି ଏହି ଫୁଲ ଲୋକଙ୍କୁ ଏତେ ଆକର୍ଷିତ କରୁଛି।

the guardian ଓ୍ବେବ୍‌ସାଇଟ୍‌ ଅନୁଯାୟୀ, ଫ୍ରାନ୍ସିକୋ ଅଞ୍ଚଳର ଏକ ନର୍ସରୀରେ ଏହି ଫୁଲ ଫୁଟିଛି। ଫୁଲଟି ଫୁଟିବା ପରେ ନର୍ସରୀ ମାଲିକ ସୋଲମନ ଲେବା ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପରେ ସୋସିଆଲ ମିଡିଆରେ ହଜାର ହଜାର ଲୋକ ପସନ୍ଦ କରିବାରେ ଲାଗିଲେ। ଫୁଲ ବିଷୟରେ ପଡ଼ୋଶୀଙ୍କୁ ବି ସୂଚନା ଦେଲେ।

ଏହି ସପ୍ତାହ ଆରମ୍ଭରେ ସୋଲମନଙ୍କ ନର୍ସରୀରେ ଏହି ଫୁଲଟି ଫୁଟିଥିଲା। ଏହାକୁ ‘କାପର୍ସ ଫ୍ଲାଓ୍ବାର’ କୁହନ୍ତି। ଫୁଲ ଦେଖିବାକୁ ପ୍ରତିଦିନ ଲୋକଙ୍କ ଭିଡ଼ ଜମୁଛି। ଯେଉଁଦିନ ଫୁଲଟି କ୍ରୋନିକଲ ଭବନରେ ରଖାଗଲା ସେହିଦିନ ଫୁଲଟିକୁ ଦେଖିବା ପାଇଁ ୧୨୦୦ ଲୋକ ଆସିଥିଲେ ।

ସୋସିଆଲ ମିଡିଆରେ ଫୁଲର ଫଟୋ ଦେଖି ସୟାଲି ଜୈନ ନାମକ ଜଣେ ମହିଳା ତାଙ୍କ ୩ ବର୍ଷର ପୁଅକୁ ଆଣି ଆସିଥିଲେ। ସେ କହିଛନ୍ତି, ଫୁଲ ଦୁର୍ଗନ୍ଧ ହେଉଛି ସତ ମାତ୍ର ଦେଖିବାକୁ ଖୁବ୍‌ ଆକର୍ଷଣୀୟ। ନର୍ସରୀ ମାଲିକଙ୍କୁ ଧନ୍ୟବାଦ। ମୁଁ ଆଗରୁ ଏମିତି ଫୁଲ କେବେ ଦେଖି ନ ଥିଲି।

ୟୁଏସ୍‌ ବଟାନିକ୍‌ ଗାର୍ଡେନ ଅନୁସାରେ, ଏହି ଫୁଲ ଅତ୍ୟନ୍ତ ଦୁର୍ଲଭ। ଏହା ୧୨ ଫୁଟ ଲମ୍ବର। ଏହା ୧୦ ବର୍ଷରେ ଥରେ ଫୁଟେ। ଏହି ଫୁଲ ଖୁବ୍‌ ଦୁର୍ଗନ୍ଧ ହୋଇଥାଏ ଏବଂ ଫୁଟିବାର କିଛିଦିନ ମଧ୍ୟରେ ମଉଳି ଯାଇଥାଏ। ଏହାର ବାସ୍ନା ନାହିଁ ମାତ୍ର କଞ୍ଚା ମାଂସ କିମ୍ବା ପଚାସଢ଼ା ମୃତଦେହ ପରି ଗନ୍ଧାଇ ଥାଏ।

Share