Categories: ଜାତୀୟ

‘ଜାମିନ ପାଇଁ ରାଖି’ ନିର୍ଦ୍ଦେଶ ଖାରଜ

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ‘ଜାମିନ ପାଇଁ ରାଖି’ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଏକ ଅସଦାଚରଣ ମାମଲାରେ ଅଭିଯୁକ୍ତ ପୀଡ଼ିତାଙ୍କ ହାତରୁ ରାଖି ବନ୍ଧାଇବା ସର୍ତ୍ତରେ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ। ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉକ୍ତ ନିର୍ଦ୍ଦେଶକୁ ଖାରଜ କରିଦେବା ସହ ବିଚାରପତିମାନେ ଏଭଳି ଋଢ଼ିବାଦୀ ଚିନ୍ତାଧାରାଠାରୁ ଦୂରେଇ ରହିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି। ବିଚାରପତି ଓ ଆଇନଜୀବୀମାନଙ୍କ ସମ୍ବେଦନଶୀଳତାକୁ ନେଇ ଖଣ୍ଡପୀଠ କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହାଇକୋର୍ଟଙ୍କ ଜାମିନ ସର୍ତ୍ତକୁ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ମଧ୍ୟ ବିରୋଧ କରିଥିଲେ।
ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରାୟ ବିରୋଧରେ ଆଇନଜୀବୀ ଅପର୍ଣ୍ଣା ଭଟ୍ଟ ଏବଂ ଅନ୍ୟ ୮ ମହିଳା ଓକିଲ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ଆବେଦନକାରୀମାନେ ଜାମିନ ସର୍ତ୍ତକୁ ଚ୍ୟାଲେଞ୍ଜ କରିଥିଲେ। ଏଭଳି ନିର୍ଦ୍ଦେଶ ମହିଳାଙ୍କୁ ବସ୍ତୁରେ ପରିଣତ କରିଥିବା ସେମାନେ ଯୁକ୍ତି କରିଥିଲେ। ଜାମିନ ସର୍ତ୍ତ ପୀଡ଼ିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ପର୍କ ପାଇଁ ଅନୁମତି ଦେବା ଉଚିତ ନୁହେଁ। ଅଭିଯୁକ୍ତଙ୍କ ଉତ୍ପୀଡ଼ନରୁ ମହିଳାଙ୍କୁ କିପରି ସୁରକ୍ଷା ମିଳିବ ତାହା ଉପରେ ସର୍ତ୍ତ ରଖାଯିବା ଉଚିତ ବୋଲି ଖଣ୍ଡପୀଠ କହିଥିଲେ। ପଡୋଶୀ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଉଜ୍ଜୟିନୀ ଜେଲ୍‌ରେ ଥିବା ଅଭିଯକ୍ତ ବିକ୍ରମ ବାଗ୍ରି ଗତବର୍ଷ ଏପ୍ରିଲରେ ଜାମିନ ଆବେଦନ କରିଥିଲେ। ଜୁଲାଇ ୩୦ରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ବେଞ୍ଚ୍‌ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ସେଥିରେ ଗୋଟିଏ ସର୍ତ୍ତ ଥିଲା ରକ୍ଷାବନ୍ଧନ ଦିନ ଅଭିଯୁକ୍ତ ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ ହାତରୁ ରାଖି ବନ୍ଧାଇବେ।

Share