ଆତ୍ମହତ୍ୟା କଲେ ସରପଞ୍ଚ ପ୍ରାର୍ଥୀଙ୍କ ଭାଇ

ଦଶରଥପୁର,୧୯।୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଯାଜପୁର ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ଭୋଟର ଛଳନା କରିଥିବା ଆଶଙ୍କାକରି ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଭାଇ ରଶି ଲଗାଇ ଆତ୍ମହତ୍ୟା କରିଥିବା ସମ୍ପୃକ୍ତ ପରିବାର ପକ୍ଷରୁ ସୂଚନା ମିଳିଛି। ସେ ହେଲେ ଦଶରଥପୁର ବ୍ଲକ୍‌ କମାରଡିହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁବାସ ସେଠୀଙ୍କ ସାନଭାଇ ସୁଶାନ୍ତ ସେଠୀ। ମତଦାନ ଚାଲିଥିବାବେଳେ ନିଜ ଘର ପଛପଟ ବାଡ଼ି ଚାକୁଣ୍ଡା ଗଛରେ ସୁଶାନ୍ତ ରଶି ଲଗାଇ ଦେଇଥିଲେ। ପରିବାରଲୋକେ ତାଙ୍କୁ ଉଦ୍ଧାରକରି ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମଙ୍ଗଳପୁର ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମିଳିଥିବା ସୂଚନା ଅନୁଯାୟୀ, କମାରଡ଼ିହି ପଞ୍ଚାୟତ ଲାଗି ସୁବାସ ସାହିବାସୀଙ୍କ ପ୍ରତିଶ୍ରୁତି ପାଇ ପ୍ରାର୍ଥୀ ହୋଇଥିଲେ। ମାତ୍ର ଯେଉଁମାନେ ସୁବାସଙ୍କୁ ନିର୍ବାଚନରେ ଛିଡ଼ା କରାଇଥିଲେ ସେମାନଙ୍କ ମଧ୍ୟରୁ ବହୁ ଭୋଟର ସୁବାସଙ୍କ ବିପକ୍ଷରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ସହ ବୁଲିଥିଲେ। ତେଣୁ ଭାଇ ହାରିଯିବା ଆଶଙ୍କାକରି ସୁଶାନ୍ତ ଭାରସାମ୍ୟ ହରାଇଥିଲେ। ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।