‘ଗଣମାଧ୍ୟମ ସହିତ ଶାସକ ଦଳର ଡିଲ୍‌ ହେଉଛି’

ଭୁବନେଶ୍ୱର, ୫। ୧୦(ବ୍ୟୁରୋ): ଦେଶରେ ଏବେ ଗଣମାଧ୍ୟମ ସହିତ ଶାସକ ଦଳର ଡିଲ୍‌ ହେଉଛି। ଏହି ଡିଲ୍‌ କେବେ ଟଙ୍କା ପାଇଁ ହୁଏ ତ, ଆଉ କେବେ ବିଜ୍ଞାପନ, ସର୍କୁଲେଶନ ପାଇଁ ହୁଏ। ଏହି ଡିଲ୍‌ରେ ସମ୍ପାଦକ କେଉଁଠି ରହୁନାହାନ୍ତି। ପଲିଟିକାଲ ମାଷ୍ଟର ଓ ଗଣମାଧ୍ୟମ ମାଲିକ ସହିତ ଏହି ଡିଲ୍‌ ହେଉଛି ବୋଲି ସ୍ତମ୍ଭକାର, ରାଜନୈତିକ ସମୀକ୍ଷକ ତଥା ସାମାଜିକକର୍ମୀ ଯୋଗେନ୍ଦ୍ର ଯାଦବ କହିଛନ୍ତି। ସୋମବାର ରବୀନ୍ଦ୍ରମଣ୍ଡପରେ ଅନୁଷ୍ଠିତ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସ୍ବନକ୍ଷତ୍ର ଉତ୍ସବରେ ସେ ଅତିଥି ଭାବେ ଯୋଗଦେଇ ଭାରତରେ ଗଣମାଧ୍ୟମ କାର୍ଯ୍ୟଧାରା ଉପରେ ତୀବ୍ର ସମାଲୋଚନା କରିଛନ୍ତି। ଏକ ଉଦାହରଣ ଦେଇ ସେ କହିଛନ୍ତି, କିଛି ମାସ ତଳେ ଭାରତରେ କରୋନାଜନିତ ମୃତ୍ୟୁକୁ ନେଇ ଏକ ଖବର ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶ ପାଇଥିଲା। ତାହାକୁ ଆମ ଦେଶରେ ଏକ ଖବରକାଗଜ ପ୍ରକାଶ କରିଥିଲା। ସେହି ଗଣମାଧ୍ୟମ ପୁଣି ଗଙ୍ଗାରେ ଶବ ଭାସୁଥିବାର ଖବର ଏବଂ ଗୁଜରାଟ ଓ ମଧ୍ୟପ୍ରଦେଶରେ ଶବଦାହର ସଂଖ୍ୟାକୁ ନେଇ ଖବର ଛାପିିଥିଲା। ଏହାପରେ ସେହି ଖବରକାଗଜର ଦେଶରେ ଥିବା ସବୁ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ ହେଲା। ଉକ୍ତ ଖବରକାଗଜରେ ଏବେ ଖବର ପ୍ରକାଶନରେ ପରିବର୍ତ୍ତନ ଦେଖାଦେଇଛି। ଏହାକୁ ସେ ଡିଲରଶିପ୍‌ ଭାବନ୍ତି ବୋଲି ଯୋଗେନ୍ଦ୍ର କହିଛନ୍ତି। ସେହିପରି ଉତ୍ତରପ୍ରଦେଶରେ ଲଖିମପୁରରେ ହୋଇଥିବା ଘଟଣାରେ କିପରି ଏକ ଅନ୍ତର୍ଜାତୀୟ ମୁଦ୍ରିତ ଗଣମାଧ୍ୟମ କୃଷକଙ୍କୁ ଦୋଷ ଦେଇ ଖବର ପ୍ରକାଶ କରିଥିବା ବିଷୟ ସେ ଉଲ୍ଲେଖ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗଦ ଯୋଗଦେଇ ତାଙ୍କ ସଂଘର୍ଷର କାହାଣୀ ବଖାଣିଥିଲେ। ପ୍ରଥମ ଟୁର୍ନାମେଣ୍ଟରୁ ପ୍ରଥମ ରୋଜଗାରର ଖୁସୀ ସ୍ବର୍ଣ୍ଣ ପଦକ ହାସଲଠାରୁ ବି ଅଧିକ ଥିଲା ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଏମ୍‌ଡି ମୋନିକା ନାୟର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ‘ସମ୍ବାଦ’ର ବାର୍ତ୍ତା ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।