କୋଭିଡ୍‌ ହସ୍ପିଟାଲରେ ଆର୍‌ଟିପିସିଆର୍‌ ଟେଷ୍ଟ ଆରମ୍ଭ

ପୁରୀ ଅଫିସ,୨୫ା୯:ପୁରୀ ଜିଲାରେ କରୋନା ସଂକ୍ରମଣ ଏବେ ଅଣାୟତ୍ତ ହୋଇପଡ଼ିିଛି। ଖୋର୍ଦ୍ଧା ଓ କଟକ ପରେ ସଂକ୍ରମିତଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛି ପୁରୀ। ଦୈନିକ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ପୁରୀ ଉପରେ ଏବେ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଗୁରୁତ୍ୱ ଦେଇଛନ୍ତି। ଜିଲାରେ ପ୍ରାୟ ପ୍ରତିଦିନ ୧,୨୦୦ କୋଭିଡ୍‌ ଟେଷ୍ଟ କରାଯାଉଛି। ଏହାବ୍ୟତୀତ କୋଭିଡ୍‌ ହସ୍ପିଟାଲରେ ଥିବା ଭାଇରୋଲୋଜି ଲାବ୍‌ରେ ବୁଧବାରଠାରୁ ଆର୍‌ଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି। ଏଠାରେ ଦୈନିକ ପ୍ରାୟ ୧୦୦ ଆର୍‌ଟିପିସିଆର ଟେଷ୍ଟ ହୋଇପାରିବ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି। ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଛନ୍ତି, ଜିଲାରେ ଏବେ ପଜିଟିଭ ସଂଖ୍ୟା ବଢୁଛି। ତଥାପି ୮୦ ପ୍ରତିଶତରୁ ଅଧିକ ସଂକ୍ରମିତ ସୁସ୍ଥ ହେଲେଣି। କିନ୍ତୁ ଏବେ ସମସ୍ତଙ୍କୁ ଅଧିକ ସତର୍କ ହେବାକୁ ପଡ଼ିଛି। କୌଣସି କାମରେ ଘରୁ ବାହାରୁ ଥିଲେ ଭଲ ଭାବେ ମାସ୍କ ପିନ୍ଧିବା ଦରକାର। ସେହିପରି କୌଣସି ଗହଳି ସ୍ଥାନକୁ ନ ଯିବା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି।
ଅନେକ ବ୍ୟକ୍ତି କୋଭିଡ୍‌ ଗାଇଡ୍‌ଲାଇନ କଟକଣା ଉଲ୍ଲଂଘନ କରୁଛନ୍ତି। ବିଶେଷକରି ପଜିଟିଭ ଚିହ୍ନଟ ପରେ ଯେଉଁମାନେ ହୋମ୍‌ ଆଇସୋଲେଶନରେ ଅଛନ୍ତି ସେମାନେ ୧୭ ଦିନର ଅବଧି ନ ସରିବା ପର୍ଯ୍ୟନ୍ତ ଆଦୌ ଘରୁ ବାହାରନ୍ତୁ ନାହିଁ। ଯଦି ଏହାକୁ ନ ମାନି କେହି ବାହାରୁଥାନ୍ତି ତେବେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହୋମ୍‌ ଆଇସୋଲେଶନରେ ଥାଇ ଯଦି କେହି ନିଃଶ୍ୱାସ ନେବା କିମ୍ବା ଅନ୍ୟ କୌଣସି ସମସ୍ୟା ଅନୁଭବ କରନ୍ତି ତେବେ ଆର୍‌ଆର୍‌ଟିଙ୍କୁ ସଙ୍ଗେ ସଙ୍ଗେ ଜଣାନ୍ତୁ। ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ଅଣାଯିବ। ହସ୍ପିଟାଲରେ ଅକ୍ସିଜେନ ସୁବିଧା ଥାଇ ପର୍ଯ୍ୟାପ୍ତ ପରିମାଣରେ ବେଡ୍‌ ଏବଂ ଆଇସିୟୁର ବ୍ୟବସ୍ଥା ରହିଛି ବୋଲି ଜିଲାପାଳ କହିଛନ୍ତି।