ଆର୍‌ଟିଓ ଘେରିଲା ମୋଟର ସଂଘ

ବାଲେଶ୍ୱର ଅଫିସ, ୧।୪

ବାଲେଶ୍ୱର ଜିଲା ଆଞ୍ଚଳିକ ପରିବହନ ଅଫିସ୍‌ (ଆର୍‌ଟିଓ)କୁ ଗୁରୁବାର ବାଲେଶ୍ୱର ମୋଟର ସଂଘ ପକ୍ଷରୁ ବେଆଇନ ଜରିମାନା ଆଦାୟ ଓ ଅଡିଟ୍‌ ସରିଥିବା ଫାଇଲ୍‌କୁ ରି-ଓପନ୍‌ କରି ମନଇଚ୍ଛା ଲାଞ୍ଚ ନେବା ଅଭିଯୋଗରେ ଘେରାଉ କରାଯାଇଥିଲା। ଜିଲାରେ ଚଳାଚଳ ହେଉଥିବା ବସ୍‌ଗୁଡ଼ିକରୁ ବିଭିନ୍ନ ଆଳ ଦେଖାଇ ଜରିମାନା ଆଦାୟ କରୁଥିବା ଅଭିଯୋଗରେ ସଂଘ ସଦସ୍ୟମାନେ ଆର୍‌ଟିଓ ଅଫିସ୍‌ ପରିସରରେ ହୋହଲ୍ଲା କରିଥିଲେ। କାର୍ଯ୍ୟାଳୟକୁ ଘେରାଉ କରିବା ସହ କିଛି ସମୟ ଧରି ଗେଟ୍‌ ବନ୍ଦ କରିଦେଇଥିଲେ। ଆର୍‌ଟିଓଙ୍କ ବଦଳି ସହ ଏପରି କାର୍ଯ୍ୟରୁ ବିଚ୍ୟୁତି ରହିବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିଲା। ଉଭୟ ସଂଘ ମାଲିକ ଏବଂ ଆର୍‌ଟିଓଙ୍କ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ମୋଟର ସଂଘର ସମ୍ପାଦକ ଅଜୟ ବିଶ୍ୱାଳ କହିଛନ୍ତି, ଆର୍‌ଟିଓ ଅଫିସ୍‌ରେ ଅରାଜକତା ବଢ଼ିଛି। ବସ୍‌ ମାଲିକମାନେ ଅପମାନିତ ହେଉଛନ୍ତି। ଗାଡ଼ିର ସାମାନ୍ୟ ତ୍ରୁଟି ଦେଖି ବାରମ୍ବାର ଫେରାଉଛନ୍ତି। ପଇସା ନ ଦେଲେ କିଛି କାମ ହେଉ ନାହଁି। ପ୍ରତ୍ୟେକ ବସ୍‌ ମାଲିକଙ୍କୁ ୫ହଜାରରୁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଜାଣିଶୁଣି କରାଉଛନ୍ତି। ବାହାର ଗାଡ଼ିକୁ ଜରିମାନା କରୁନାହାନ୍ତି। ଗୁରୁବାର ୪୦ରୁ ୫୦ହଜାର ଟଙ୍କା ବିଭିନ୍ନ ଗାଡ଼ି ଉପରେ ଜରିମାନା କରାଯାଇଛି। ଆର୍‌ଟିଓଙ୍କ ବଦଳି ସହ ଅନିୟମିତ ଭାବେ ହୋଇଥିବା ଜରିମାନାକୁ ପ୍ରତ୍ୟାହାର ଦାବି କରିଛନ୍ତି। ଆର୍‌ଟିଓ ରଶ୍ମିରଞ୍ଜନ ଦଳ ବେହେରା କହିଛନ୍ତି, ୮ରୁ ୧୦ଦିନ ପୂର୍ବରୁ ବିଭାଗ ପକ୍ଷରୁ ମିଳିଥିବା ନିର୍ଦ୍ଦେଶ ଏବଂ ଲୋକଙ୍କ ଅଭିଯୋଗ ଅନୁସାରେ ଗାଡ଼ି ତଦନ୍ତ କରାଯାଉଛି। ବସ୍‌ଗୁଡ଼ିକରେ କୌଣସି ନିର୍ଦ୍ଧାରିତ ଦରର ସୂଚୀ ନ ଲଗାଯାଇ ମନ ଇଚ୍ଛା ଭଡ଼ା ନିଆଯାଉଛି। ସେଥିପାଇଁ ବସ୍‌ଗୁଡ଼ିକର ଚେକିଂ ଜାରି ରହିଛି। ୬ରୁ ୭ଟି ବସ୍‌ ଚେକିଂ କରାଯାଇ ଫାଇନ୍‌ କରାଯାଇଛି। ବସ୍‌ଗୁଡ଼ିକ ଅଧିକ ଭଡ଼ା ନେବା ସହ ଟଙ୍କା ନେଇ ଟିକେଟ ନ ଦେବା ଭଳି ଘଟଣାରେ ଜରିମାନା କରାଯାଇଛି। କିନ୍ତୁ ବସ୍‌ ଆସୋସିଏଶନ ପକ୍ଷରୁ ହୋଇଥିବା ଅଭିଯୋଗ ଭିତ୍ତିହୀନ। ଫିଟନେସ୍‌ ଓ ପରମିଟ୍‌ରେ କାହାରିକୁ ହଇରାଣ କରାଯାଏ ନାହଁି କିମ୍ବା ଲାଞ୍ଚ ନିଆ ଯାଏ ନାହଁି ବୋଲି ସ୍ପଷ୍ଟ କରିଛନ୍ତି। ଅଭିଯୋଗର ସତ୍ୟାସତ୍ୟ ନାହଁି। ଯଦି ପ୍ରମାଣ ହୁଏ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରକାଶ କରିଛନ୍ତି।