ଅଗଷ୍ଟରେ ୪ ଜିଲା ସମେତ ରାଉରକେଲା ମ୍ୟୁନିସପାଲଟି ସପ୍ତାହାନ୍ତ ଶଟଡାଉନ

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ରାଜ୍ୟ ସରକାର ଅଗଷ୍ଟ ମାସରେ ୪ଟି ଜିଲା ଓ ଗୋଟିଏ ମ୍ୟୁନିସପାଲଟିରେ ସାପ୍ତାହିକ ଶଟଡାଉନ ଘୋଷଣା କରିଛନ୍ତି। ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଟକ ଓ ରାଉରକେଲା ମ୍ୟୁନିସପାଲଟିରେ ମାସର ପ୍ରତି ଶନିବାର ଓ ରବିବାର ଶଟଡାଉନ ରହିବ। ଏ ନେଇ ଶୁକ୍ରବାର ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ପ୍ରଦୀପ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଅଗଷ୍ଟ ୧ ଓ ୨ ରେ ଶଟଡାଉନ କୋହଳ କରାଯିବ। ଅଗଷ୍ଟ ୧ ଓ ୨ରେ ଦିନ ୧ଟାରୁ ରାତି ୯ଟା ଯାଏ ଶଟଡାଉନ ଜାରି ରହିବ। ୧ ଓ ୨ ତାରିଖରେ ଦିନ ୧ଟା ଯାଏ ସବୁ ଖୋଲା ରହିବ। ପରବର୍ତ୍ତୀ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟଡାଉନ ଲାଗୁ ହେବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏଣିକି ସକାଳ ୫ରୁ ରାତି ୯ଟା ଯାଏ ସାଧାରଣ ଯାତାୟତ ଏବଂ ଦୋକାନ ବଜାର ଚାଲୁ ରହିବ। ରାତି ୯ରୁ ସକାଳ ୫ ଯାଏଁ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ସେହିପରି ବାହାଘରରେ କୌଣସି ପରିସ୍ଥିତିରେ ୫୦ରୁ ଅଧିକ ଲୋକ ରହିପାରିବେ ନାହିଁ। ଶୁଦ୍ଧିକ୍ରିୟା କାର୍ଯ୍ୟରେ ୨୦ରୁ ଅଧିକ ଲୋକ ରହିପାରିବେନି। ବାହାଘର ଓ ଶୁଦ୍ଧିରେ ଗାଇଡ ଲାଇନ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।