ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା ୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡ଼ଙ୍ଗୀ ସଚେତନତା ସଭାରେ ଅଧ୍ୟକ୍ଷତା କରି ଛାତ୍ରୀଛାତ୍ରଙ୍କ ମଧ୍ୟରେ ନବସୃଜନ, ଉଦ୍ୟୋଗୀ ମନୋଭାବ, ଆତ୍ମନିର୍ଭରଶୀଳତା ଏବଂ ଉଦ୍ଭାବନୀ ଚିନ୍ତାଧାରାର ବିକାଶ ଘଟାଇବା ସହ ସେମାନଙ୍କୁ ନୂତନ ଚିନ୍ତାଧାରାକୁ ବ୍ୟବହାରିକ ରୂପ ଦେବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ। କଲେଜରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କୁ ନବସୃଜନମୂଳକ ଚିନ୍ତାଧାରାର ବିକାଶ, ଗବେଷଣା ପ୍ରତି ଆଗ୍ରହ ଏବଂ ନବଉଦ୍ୟମ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନରେ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ସେ ଅବଗତ କରାଇଥିଲେ। ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ନିଜସ୍ବ ଅଭିନବ ଚିନ୍ତାଧାରାକୁ ସମାଜର ଉପକାରରେ ବିନିଯୋଗ କରିବା ପାଇଁ ସେ ଆହ୍ବାନ ଜଣାଇଥିଲେ। କଲେଜର ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତୀକରଣ କୋଷ (ଆଇକ୍ୟୁଏସି) ଏବଂ ନାକ୍ର ସଂଯୋଜିକା ତଥା ଅଧ୍ୟାପିକା ଡ. ଅନୀତା ପାଣି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରି ଉଚ୍ଚଶିକ୍ଷା କ୍ଷେତ୍ରରେ ନବସୃଜନ ଓ ଗବେଷଣାର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମର ସଂଯୋଜିକା ତଥା ଅଧ୍ୟାପିକା ଡ. ଶାଳିନୀ ସକ୍ସେନା ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା୨୦୨୬’ର ଉଦ୍ଦେଶ୍ୟ, ନିୟମାବଳୀ, ଅଂଶଗ୍ରହଣ ପ୍ରକ୍ରିୟା ଏବଂ ଏହାର ସୁଯୋଗ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ. ହିମାଂଶୁ ମିଶ୍ର ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ, ନବସୃଜନ ଏବଂ ଉଦ୍ୟୋଗୀ ମନୋଭାବର ସମନ୍ବୟ ମାଧ୍ୟମରେ ସମାଜର ବିଭିନ୍ନ ସମସ୍ୟାର ଅଭିନବ ସମାଧାନ ବାହାର କରିବା ପାଇଁ ପ୍ରେରିତ କରିଥିଲେ।
ସଚେତନତା ସଭାରେ ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ବୃନ୍ଦ ଏବଂ ବହୁ ସଂଖ୍ୟକ ଛାତ୍ରୀଛାତ୍ର ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଅର୍ଥନୀତି ବିଭାଗର ଅଧ୍ୟାପକ କୈଳାସ ଦିଓ୍ବାନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଶୁଭାଶିଷ ପାଣିଗ୍ରାହୀ, ବାପୁଜୀ ଦାସ, ଦିଲ୍ଲୀପ କୁମାର ନାୟକ ଏବଂ ଧ୍ରୁବ କୁମାର ବିଶ୍ୱାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା୍ରେ ସହଯୋଗ କରିଥିଲେ।