ସାମାଜିକ ଜୀବନରେ ଚାପଗୋଷ୍ଠୀର ଭୂମିକା

ଅଲେଖ ଚନ୍ଦ୍ର ମିଶ୍ର

ପ୍ରଖ୍ୟାତ ଗ୍ରୀକ୍‍ ଦାର୍ଶନିକ ଆରିଷ୍ଟଟଲଙ୍କ ଭାଷାରେ ମଣିଷ ଏକ ସାମାଜିକ ପ୍ରାଣୀ। ସମାଜରେ ତାର ଜନ୍ମ, ସମାଜରେ ସ୍ଥିତି ଏବଂ ସମାଜରେ ହିଁ ତାର ବିଲୟ। ତେବେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମାଜର ଯେଉଁ ପ୍ରକ୍ରିୟା ମନୁଷ୍ୟର ଜୀବନଶୈଳୀକୁ ବିଶେଷ ଭାବରେ ପ୍ରଭାବିତ ଓ ଅନେକାଂଶରେ ନିୟନ୍ତ୍ରିତ କରିଥାଏ ତାହା ହେଉଛି ଚାପ ଶକ୍ତି। ଚାପ ପ୍ରକ୍ରିୟାର ସୃଷ୍ଟି ପରିବାରରୁ ହୁଏ ଏବଂ ପରିବେଶ ଦ୍ୱାରା ପୁଷ୍ଟ ହୋଇଥାଏ। ସାଇପଡ଼ିଶା, ବନ୍ଧୁବାନ୍ଧବ, ଗୁରୁଜନ, ବିଦ୍ୟାଳୟ, ସାଙ୍ଗସାଥୀ, କର୍ମକ୍ଷେତ୍ର ଇତ୍ୟାଦି ଯେଉଁମାନଙ୍କ ସଂସ୍ପର୍ଶରେ ସେ ଆସେ ସେମାନେ ସମ୍ମିଳିତ ଭାବରେ ଏକ ଚାପଗୋଷ୍ଠୀ ( ପ୍ରେସର୍‍ ଗ୍ରୁପ୍‍) ସୃଷ୍ଟି କରନ୍ତି, ଯାହାର ପ୍ରଭାବ ଏତେ ସୁଦୂରପ୍ରସାରୀ ହୋଇଥାଏ ଯେ ସେଥିରୁ ନିବୃତ୍ତ ହେବା ଅସମ୍ଭବ। ଶୈଶବ, କୈଶୋର, ଯୌବନ, ପ୍ରୌଢ,ବାର୍ଦ୍ଧକ୍ୟ ଇତ୍ୟାଦି ଯେତେସବୁ ସ୍ତର ଦେଇ ସେ ଗତିକରେ ପ୍ରତ୍ୟେକ କ୍ଷେତ୍ରରେ ସେ ଏପରି ଶିକ୍ଷାଲାଭ କରେ ଯେ ସେ ସବୁ ଦ୍ୱାରା ପରିଚାଳିତ ହୋଇ ଶେଷରେ ସେ ନିଜର ମାତାପିତାଙ୍କୁ ବି ବେଳେ ବେଳେ ନିଜର ନୂତନ ଲବ୍ଧଜ୍ଞାନ ଦ୍ୱାରା ପ୍ରଭାବିତ କରିବାକୁ ଚେଷ୍ଟା କରେ ଏବଂ ସେହିଠାରୁ ହିଁ ଆରମ୍ଭ ହୁଏ ପିଢ଼ିର ବ୍ୟବଧାନ ବା ଜେନେରେଶନ ଗ୍ୟାପ୍‍।
ବିଦ୍ୟାଳୟ ଶିକ୍ଷା ପ୍ରଦାନ କରେ, କିନ୍ତୁ ପରିବେଶ ବାସ୍ତବ ଅଭିଜ୍ଞତା ଦିଏ। ଏହି ଅଭିଜ୍ଞତାର ଉତ୍ସ ହେଉଛି ସମାଜରେ ପ୍ରଚଳିତ ନାନା ପ୍ରକାରର ଚଳଣି, ଚାଲିଚଳନ,ବିଧିବିଧାନ, ନୀତି ନିୟମ, ରୀତିନୀତି, ବୋଲିବାଣୀ, ଢଗଢମାଳି, ଲୋକଚରିତ୍ର, ଲୌକିକ ବଚନିକା, ପ୍ରବାଦ, ପ୍ରହେଳିକା ଆଦି ଚାପଗୋଷ୍ଠୀ। ଏହାର ପରିସର ଏତେ ବ୍ୟାପକ ଯେ ସେ ସବୁର ଅବତାରଣା କରିବା ସମ୍ଭବ ନୁହେଁ। ତେବେ କେତୋଟିର ଉଦାହରଣ ଦିଆଯାଇପାରେ।
ସମାଜ ଦୃଷ୍ଟିରେ କେତେକ କର୍ମ ସହିତ କୁଅଭ୍ୟାସ ଏପରି ଓତପ୍ରୋତ ଭାବରେ ଜଡ଼ିତ ଯେ ସେଥିରେ ଯେତେ ଭଲ ଉଦ୍ଦେଶ୍ୟ ଥିଲେ ବି କେହି ବିଶ୍ୱାସ କରନ୍ତିନି ଯେପରି ଖଜୁରି ଗଛ ମୂଳରେ ବସି କ୍ଷୀର ପିଇଲେ କଣ ପିଉଛି ନ ଦେଖି, ନ ଜାଣି ଲୋକେ ଧରିନେବେ ଯେ ମଦ ପିଉଛି, କାରଣ ଏହା ଏକ ଜନଶ୍ରୁତି ସମ୍ବଳିତ ସାଧାରଣ ଧାରଣା। ବାଟରୁ ଉଠ ମୁଁ ହାଟକୁ ଯିବି ସେହିଭଳି ଏକ ଲୌକିକ ବଚନିକା ଯାହା ସ୍ବୈରିଣୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏକ ପରୋକ୍ଷ ଉକ୍ତି। ବାଲ୍ୟାବସ୍ଥାରେ ବିଦ୍ୟା ଓ ଧର୍ମ ସଞ୍ଚୟ କରିବା ପାଇଁ ଏକ ଉପଦେଶାତ୍ମକ ବାଣୀ ହେଲା , ବାଲ୍ୟକାଳୁ ବିଦ୍ୟା ଧର୍ମ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ। ସେହିପରି ଠେକୁଆ କଇଁଛ କଥା କାହାକୁ ଅବା ଅଜଣା? ଲକ୍ଷ୍ୟ ହାସଲ ପାଇଁ ନିରବଚ୍ଛିନ୍ନ ଉଦ୍ୟମ ଉପରେ ଆଧାରିତ ଏହି ଉପାଖ୍ୟାନଟି ଯୁଗ ଯୁଗ ଧରି ଲୋକ ଚରିତ୍ରକୁ ଦିଗ୍ଦର୍ଶନ ଦେଇ ଆସିଛି। ସାଧାରଣତଃ ନୀଚ ଲୋକଟିଏ ଉଚ୍ଚ ସ୍ଥାନ ଅଧିକାର କରିଲା ପରେ ଆପଣାର ପୂର୍ବାବସ୍ଥାକୁ ଭୁଲି ଯାଇ ଧରାକୁ ସରା ଜ୍ଞାନ କରୁଥିବା ବେଳେ ସମାଜ ତାକୁ ପରୋକ୍ଷ ଉକ୍ତିରେ ଉପହସିତ କରେ, କାଣ୍ଡିଆ କୁଣ୍ଡାରେ ଦିନ ସରେନି ଏବେ ରୁଚୁ ନାହିଁ ସର ଲବଣୀ । ଏହାଛଡା ଲୋକଲଜ୍ଜା, ଚକ୍ଷୁ ଲଜ୍ଜା ବା ଧର୍ମକୁ ଆଖିଠାର ଏହିଭଳି ଏକ ସାମାଜିକ ପ୍ରତିବନ୍ଧକ ଯାହା କୁକର୍ମ କରିବାରୁ ନିବୃତ୍ତ ହେବା ପାଇଁ ଲୋକଙ୍କ ଉପରେ ନୈତିକ ଚାପ ପ୍ରୟୋଗ କରେ, ଯାହାଫଳରେ ସର୍ବସାଧାରଣରେ ମଦ୍ୟପାନ, ନିଶା ସେବନ, ଚୋରି, କୁତ୍ସାରଟନା ଭଳି କର୍ମ ନ କରି ଲୋକଟିଏ ସୁଯୋଗକୁ ଅପେକ୍ଷା କରେ। ସମାଜରେ ପ୍ରଚଳିତ ଅନ୍ୟ ଏକ ଚାପ ପ୍ରୟୋଗକାରୀ ଶକ୍ତି ହେଉଛି ଘରର ଭିତିରି କଥା, ଗୁମର, ଗୋଇ ବା ଇଜ୍ଜତ। ଥରେ ସେଥିରେ ଦାଗ ଲାଗିଗଲେ ଆଉ ଲିଭେନା। ଲୋକମୁଖରେ ପିଢ଼ି ପିଢ଼ି ଧରି ସଂପୃକ୍ତ ପରିବାରର ଏକ କଳଙ୍କ ଭାବରେ ତାହା ଗଡିଚାଲେ। ତେଣୁ ଯେତେ ବଡ଼ ହେଲେ ମଧ୍ୟ ଏଭଳି ଦୁର୍ବଳତା ଥିବା ପରିବାରର ବଂଶଧରମାନେ ମଥାନତ କରିବାକୁ ବାଧ୍ୟ ହୁଅନ୍ତି।
ଏହିପରି ଭାବରେ ଆମ ସମାଜରେ ଅସଂଖ୍ୟ ଚଳଣି ଓ ପରମ୍ପରା ରହିଛି ଯାହାକୁ ପ୍ରଶ୍ନ କରିହେବ ନାହିଁ, କାରଣ ଏସବୁ ଯୁଗ ଯୁଗର ଅଭିଜ୍ଞତା ଏବଂ ଆବଶ୍ୟକତା ଉପରେ ପର୍ଯ୍ୟବସିତ ତଥା ପରୀକ୍ଷିତ। ତେଣୁ ବାହୁ, ଧନ, ଜନ ବଳରେ ଯେତେ ବଳୀୟାନ ହେଲେ ଶକ୍ତି, କ୍ଷମତା, ପ୍ରତିପତ୍ତି,ପ୍ରାଧାନ୍ୟ ଆଦି ଯେତେ ଥିଲେ ବି ଏଭଳି ଚାପଶକ୍ତିକୁ ମାନି ନେବାକୁ ଲୋକ ବାଧ୍ୟ ହୁଏ। କେହି କେହି ଆତ୍ମଗର୍ବୀ ବା ହେତୁବାଦୀ ଏ ସବୁକୁ ଅନ୍ଧବିଶ୍ୱାସ ବୋଲି ହେୟଜ୍ଞାନ କରିବାକୁ ଚାହିଁଲେ ସେଥିପାଇଁ କିଛି ଅନ୍ତରାୟ ନ ଥାଏ; କିନ୍ତୁ ଯେତେବେଳେ ସେମାନେ କୌଣସି ଅଘଟଣର ସମ୍ମୁଖୀନ ହୁଅନ୍ତି ସେତେବେଳେ ତାଙ୍କ ମନ ଭିତରେ ଚାପି ହୋଇ ରହିଥିବା ଚାପଗୋଷ୍ଠୀର ଉପାଦେୟତାକୁ ସେମାନେ ମନେପକାନ୍ତି।
ଆଗେ ବୟୋଜ୍ୟେଷ୍ଠ ବ୍ୟକ୍ତି, ଗୁରୁଜନ, ଶିକ୍ଷକ, ପଡୋଶୀ, ସମ୍ପର୍କୀୟ ଏମାନେ ସମସ୍ତେ ଅଳ୍ପ ବହୁତେ ଚାପଶକ୍ତିର ବାହକ ଥିଲେ। ଗ୍ରାମ୍ୟ ଚଳଣିକୁ ଶୃଙ୍ଖଳିତ କରିବା ପାଇଁ ମୁଖିଆ, ପୂଜକ, ମୁରବି, ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ ଯେଉଁମାନେ ଗ୍ରାମ ବା ସହର ମଧ୍ୟରେ ଉପୁଜୁଥିବା ମନୋମାଳିନ୍ୟ କିମ୍ବା ଅବୁଝାମଣାକୁ ନିଜ ନିଜ ଭିତରେ ସମାଧାନ କରି ଦେଉଥିଲେ। ସେହିପରି ଧାର୍ମିକ ଅନୁଷ୍ଠାନ ତଥା ମଠ ମନ୍ଦିର ଇତ୍ୟାଦି ଆଧ୍ୟାତ୍ମିକ ଚାପ ମାଧ୍ୟମରେ ସାମାଜିକ ସଂହତି ରକ୍ଷା କରୁଥିଲେ। କାଳକ୍ରମେ ଗଣମାଧ୍ୟମ(ଛାପା ଓ ବୈଦ୍ୟୁତିକ) ନିଜ ନିଜ ସ୍ତରରେ ଏ ବିଷୟରେ ସଚେତନତା ସୃଷ୍ଟି କରି ଆଦର୍ଶ ସମାଜର ବାର୍ତ୍ତା ପ୍ରସାର କରୁଛନ୍ତି ଏବଂ ସରକାରୀ ତଥା ବେସରକାରୀ ସ୍ତରରେ ଘଟୁଥିବା ଅନିୟମିତତାକୁ ଲୋକଲୋଚନକୁ ଆଣିବାକୁ ଯଥାସମ୍ଭବ ପ୍ରୟାସ କରୁଛନ୍ତି। ସମ୍ପ୍ରତି ବହୁଳ ବ୍ୟବହୃତ ହେଉଥିବା ଇଣ୍ଟରନେଟ୍‍, ୱାଇଫାଇ, ଆଇଟି, ସ୍ମାର୍ଟଫୋନ ଇତ୍ୟାଦି ପୃଥିବୀର କୋଣ ଅନୁକୋଣରେ ଘଟୁଥିବା ଘଟଣାବଳୀକୁ ନିମିଷକରେ ସର୍ବତ୍ର ପହଞ୍ଚେଇ ଦେଇ ସାମଗ୍ରିକ ଚାପଗୋଷ୍ଠୀର ଭୂମିକା ନିଭାଉଛି। ଚାପଗୋଷ୍ଠୀ ଆଦର୍ଶ ଓ ଶୃଙ୍ଖଳିତ ଜୀବନ ଗଠନର ଏକ ବଳିଷ୍ଠ ମାଧ୍ୟମ ହେବା ବ୍ୟତୀତ ବାସ୍ତବ ଜ୍ଞାନର ଅଧିକାରୀ କରେଇ ଥାଏ, ଯାହାର ଅଭାବରେ ସାଧାରଣ ଶିକ୍ଷାଗତ ଯୋଗ୍ୟତା ମୂଲ୍ୟହୀନ ହୋଇଯାଏ। ଅତଏବ ଏକ ସ୍ବୟଂସମ୍ପୂର୍ଣ୍ଣ ଜୀବନଯାପନ ପାଇଁ ଚାପଗୋଷ୍ଠୀର ଆବଶ୍ୟକତାକୁ ଏଡେଇ ହେବନାହିଁ।
ଶାସ୍ତ୍ରୀନଗର, ୟୁନିଟ -୪, ଭୁବନେଶ୍ୱର ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri