ଡକାୟତି ଅଭିଯୁକ୍ତ ୩୭ ବର୍ଷ ପରେ ଗିରଫ

ପାଟକୁରା,୧୪ା୩(ଡି.ଏନ.ଏ.): କମିଶନରେଟ୍‌ ପୋଲିସ ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ଘଟଣାର ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଗିରଫ କରିଥିଲା। ଏହି ଚର୍ଚ୍ଚା ସରି ନ ଥିବା ବେଳେ କେନ୍ଦ୍ରାପଡା ଜିଲା ପାଟକୁରା ଥାନା ପୋଲିସ ଜଣେ ଡକାୟତଙ୍କୁ ୩୭ ବର୍ଷ ପରେ ଗିରଫ କରିଛି। ସେ ହେଲେ ପାଟକୁରା ଥାନା ପଳସୁଧା ଗ୍ରାମପଞ୍ଚାୟତ ଅଧୀନ ଭଦିଳୋ ଗ୍ରାମର ଅକ୍ଷୟ ଜେନା (୫୫)। ୧୯୮୪ ମସିହାରେ ଯାଜପୁର ରୋଡ଼ ଥାନା ଅଞ୍ଚଳରେ ଏକ ଡକାୟତି ଘଟଣା ଘଟିଥିଲା। ସେହି ଘଟଣାରେ ଅକ୍ଷୟ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ସେତେବେଳେ ଅକ୍ଷୟଙ୍କ ବୟସ ୧୮ ବର୍ଷ ଥିଲା। ଜେଏମ୍‌ଏଫ୍‌ସି ଯାଜପୁର ରୋଡରେ ଏହି ମାମଲାର ଚାର୍ଜଶିଟ ପୋଲିସ ଦାଖଲ କରିଥିଲା। ଜିଆର କେସ ନଂ- ୩୫୦/୮୪, ୪୫୭, ୩୯୫, ୩୪ ଧାରାରେ ମାମଲା ରୁଜୁ ହୋଇଥିଲା। ସେଦିନଠାରୁ ଅକ୍ଷୟ ଫେରାର ଥିଲେ। ତାଙ୍କ ନାମରେ ୱାରେଣ୍ଟ ଇସ୍ୟୁ କରାଯାଇଥିଲା। ତାଙ୍କୁ ଗିରଫ କରିବା ପାଇଁ କୋର୍ଟ ପାଟକୁରା ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ତତ୍କାଳୀନ ପୋଲିସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳତା ପାଇ ନ ଥିଲା। ଗତ କିଛିମାସ ହେବ ଅକ୍ଷୟ ନିଜ ଘରେ ରହୁଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇବା ପରେ ତାଙ୍କୁ ଗିରଫ ପାଇଁ ଯୋଜନା ଆରମ୍ଭ କରିଥିଲା। ଶୁକ୍ରବାର ପାଟକୁରା ଥାନା ଆଇଆଇସି ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ସବ୍‌ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ମହାନ୍ତି ଓ ଭାଗ୍ୟଲକ୍ଷ୍ମୀ ଦାସ ସଦଳବଳ ତାଙ୍କ ଘର ଉପରେ ଚଢ଼ାଉ କରି ଅକ୍ଷୟଙ୍କୁ ଗିରଫ କରିଥିଲେ। ଶନିବାର ଅକ୍ଷୟଙ୍କୁ କୋର୍ଟରେ ହାଜର କରାଯାଇଛି।