ଐରାବତର ଆର୍ତ୍ତନାଦ

ସ୍ଥଳଭାଗର ବୃହତ୍ତମ ଜୀବ ତଥା ଐତିହ୍ୟ ପ୍ରାଣୀ ହାତୀ ବା ହସ୍ତୀ ବଂଶର ଜୀବନ ଆଜି ସଙ୍କଟାପନ୍ନ। ରାଜ୍ୟରେ ଗତ ଅଢ଼େଇ ବର୍ଷରେ ଅର୍ଥାତ୍‌ ୨୦୨୦ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ୧୭୫ ହାତୀଙ୍କ ମୃତ୍ୟୁ ଘଟିଲାଣି। ଅର୍ଥାତ୍‌ ପ୍ରତି ୫ ଦିନରେ ଗୋଟିଏ ହାତୀ ମରୁଛି। ୧୭୫ ମୃତ ହାତୀଙ୍କ ମଧ୍ୟରୁ ୩୯ ହାତୀକୁ ଶିକାର କରାଯାଇଛି। ଶିକାରୀମାନେ ଗୁଳି, ବିଷ ଓ ବିଦ୍ୟୁତ୍‌ ଆଘାତ ଦେଇ ହାତୀ ମାରୁଛନ୍ତି। କମ୍‌ ଉଚ୍ଚତାରେ ଥିବା ବିଦ୍ୟୁତ୍‌ ତାରରେ ଲାଗି ୫ ହାତୀଙ୍କ ଜୀବନଯାଇଛି। ଟ୍ରେନ୍‌ ଧକ୍କାରେ ୧୩ ହାତୀଙ୍କ ଜୀବନ ଯାଇଥିବା ବେଳେ ୭୦ ହାତୀ ବିଭିନ୍ନ ରୋଗ, ବୟସାଧିକ ଓ ଖାତରେ ପଡ଼ି ମରିଛନ୍ତି। ୪୧ ହାତୀଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ତେବେ ଏହି ୪୧ ହାତୀଙ୍କ ମଧ୍ୟରୁ ଅଧିକାଂଶ ଶିକାର କରାଯାଇଥିବା ପ୍ରାଣୀ ପ୍ରେମୀମାନେ ମତ ଦିଅନ୍ତି।
ଏଇ ଚଳିତ ମାସ ଜୁନ ପ୍ରଥମ ସପ୍ତାହରେ ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମାଞ୍ଚଳରୁ ଗୋଟିଏ ଦନ୍ତାହାତୀକୁ ଗୁଳିବିଦ୍ଧ କରିବାର ଘଟଣା ଆମ ନଜରକୁ ଆସିଛି। ସୋସିଆଲ ମିଡିଆ ଆକାଉଣ୍ଟରେ ଗୁଳିବିଦ୍ଧ ହାତୀ ସମ୍ପର୍କରେ ପୋଷ୍ଟ କରିବାରୁ ଘଟଣା ପ୍ରଘଟ ହେଲା। କୌଣସି ଜଣେ ଦୁବୃର୍ତ୍ତ ଶିକାରୀ ୧୫/୧୭ ବର୍ଷର ଏହି ହାତୀଟିକୁ ଖୁବ୍‌ ନିକଟରୁ ରାଇଫଲ ନୁହେଁ, ଛରରା ବନ୍ଧୁକରୁ ଗୁଳି କରିଥିଲା। ଏହା ୧ ଏଲ୍‌.ଜି. କାଟ୍ରିଜ୍‌ .୧୨ ବୋର ବନ୍ଧୁକ, ଯେଉଁଥିରେ ୬ଟି କିମ୍ବା ୯ଟି ଗୁଳିଥାଏ। ହାତୀ ନିକଟତର ହୋଇଥିବାରୁ ୬ଟିଯାକ ଗୁଳି ତାଳୁର ଅଗ୍ରଭାଗରେ ବାଜିଛି। ଛରରା .୧୨ ବୋର ବନ୍ଧୁକରେ ହାତୀ ମରାଯାଏ ନାହିଁ। ଏଥିପାଇଁ ଦରକାର ହୁଏ ଶକ୍ତିଶାଳୀ ୪୦୫ ବା ୫୦୦ ବୋର ଏକ୍ସପ୍ରେସର ରାଇଫଲ୍‌ ଗୁଳି। ହାତୀଟି ଛରରା ବନ୍ଧୁକରେ ଆଘାତପ୍ରାପ୍ତ ହେବାରୁ ସଙ୍ଗେ ସଙ୍ଗେ ନ ମରି ଯନ୍ତ୍ରଣାରେ ଛଟପଟ ହେଲା, ଗଜ ଗର୍ଜନରେ ବନଭୂଇଁ ପ୍ରକମ୍ପିତ ହେଲା ଏବଂ ଶେଷରେ ସେ ଗୋଟିଏ ନାଳରେ ପଡ଼ିଗଲା, ଆଉ ଉଠି ପାରିନଥିଲା। ଘଟଣା ଜଣାପଡ଼ିବା ପରେ ନନ୍ଦନକାନନ ଓ ସାତକୋଶିଆର ଡାକ୍ତରୀ ଦଳ ପହଞ୍ଚତ୍ ହାତୀର ଚିକିତ୍ସା କରିଥିଲେ। ତା’ ମୁଣ୍ଡରେ ସୃଷ୍ଟ କ୍ଷତ ୧୫ ଦିନ ତଳର ହୋଇଥିବାରୁ ସେ ଅତ୍ୟନ୍ତ ଦୁର୍ବଳ ଏବଂ କ୍ଷତଗୁଡ଼ିକ ସେପ୍ଟିସେମିଆ ହୋଇଯାଇଥିଲା। ପ୍ରାୟ ସପ୍ତାହେ ଧରି ଚିକିତ୍ସିତ ହେବା ପରେ ହାତୀଟି ଶେଷରେ ଆଖି ବୁଜିଛି। ଏହାପରେ ମଧ୍ୟ ରାଜ୍ୟରେ ହାତୀ ମୃତ୍ୟୁ ବଢିଚାଲିଛି।
ସବୁଠୁ ଉଦ୍‌ବେଗର ବିଷୟ ଯେ, ଆଠଗଡ଼ ବନଖଣ୍ଡରେ ବିଭିନ୍ନ ସମୟରେ ହାତୀ ମୃତ୍ୟୁ ଘଟିବା ଏବଂ ଏହାକୁ ଲୁଚାଇବାରେ ବିଭାଗୀୟ ଅଧିକାରୀମାନେ ଭରପୂର ପ୍ରୟାସ କରୁଥିବା ନଜିର ରହିଛି। ନିକଟ ଅତୀତରେ ଏହି ବନଖଣ୍ଡ ଅଧୀନରେ ବିଭିନ୍ନ ସ୍ଥାନରୁ ହାତୀକଙ୍କାଳ ମାଟିତଳୁ ଉଦ୍ଧାର ହେବା, ଆଉ ଏକ ହାତୀକୁ ବ୍ୟବଚ୍ଛେଦ ନ କରି ଲୁଣ ପକାଇ ପୋତା ହେଉଥିବା ଭିଡିଓ ଭାଇରାଲ ହେବା ଘଟଣା ବିଭାଗୀୟ କାର୍ଯ୍ୟକଳାପକୁ ପଦାରେ ପକାଇଛି। ଏବେ ଏହାର ତନାଘନା ତଦନ୍ତ ଏବଂ ଟିମ୍‌ ଗଠନ ଓ ଆକ୍‌ସନ ଟେକେନ ରିପୋର୍ଟ କେତେଦୂର କାର୍ଯ୍ୟକାରୀ ହେବ ଓ ଅପରାଧ ରୋକିବ ତାହା ଭବିଷ୍ୟତ ହିଁ କହିବ। ଦୁଃଖର ବିଷୟ ଏହିକି ଯେ, ରାଜ୍ୟରେ ୫ ବର୍ଷ ହେଲା ହାତୀଗଣନା ହୋଇନାହିଁ। ଶେଷ ଥର ୨୦୧୭ରେ ରାଜ୍ୟରେ ହାତୀଗଣନା ହୋଇଥିଲା। ସେତେବେଳେ ରାଜ୍ୟରେ ସମୁଦାୟ ହାତୀସଂଖ୍ୟା ୧୯୭୬ ଥିଲା। ଓଡ଼ିଶାରେ ହାତୀମୃତ୍ୟୁ ହାର ଅନ୍ୟ ରାଜ୍ୟଗୁଡ଼ିକ ଅପେକ୍ଷା ଅଧିକ। ଯେତିକି ହାତୀ ଓଡ଼ିଶାରେ ମରିଛନ୍ତି, ସେମାନଙ୍କ ହିସାବ ଦେଖିଲେ ୧୯୯୦ରୁ ୨୦୦୦ (୧୦ ବର୍ଷ) ଭିତରେ ବର୍ଷକୁ ହାରାହାରି ୪୬ ହାତୀ ମୃତ୍ୟୁବରଣ କରିଛନ୍ତି। ୨୦୧୦ରୁ ଏପର୍ଯ୍ୟନ୍ତ ବର୍ଷକୁ ହାରାହାରି ୭୮ ହାତୀ ମରିଛନ୍ତି। ଏଭଳି ଭାବେ ହାତୀମୃତ୍ୟୁ ଗ୍ରାଫ୍‌ ବଢ଼ିଚାଲିଲେ ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ଜଙ୍ଗଲୀ ହାତୀ ଆଉ ଦେଖିବାକୁ ମିଳିବେନି ବୋଲି ଆଶଙ୍କା ଅମୂଳକ ନୁହେଁ।
ଟ୍ରାଙ୍କୁଲାଇଜ୍‌ କରି ହତ୍ୟା ଏବଂ ରେଳ ଧକ୍କା ହାତୀମୃତ୍ୟୁର ଅନ୍ୟ କାରଣ ପାଲଟିଛି। ଅସୁସ୍ଥ ହାତୀକୁ ସୁସ୍ଥ କରିବା କିମ୍ବା ଉତ୍ପାତିଆ ହାତୀକୁ କାବୁ କରିବା ପାଇଁ ବନ ବିଭାଗ ନିଶ୍ଚେତକ ଇଞ୍ଜେକ୍‌ସନ ଜାଇଲାଜାଇନ + କୋଟାମାଇନ ବ୍ୟବହାର କରୁଛି। ଫଳରେ ମାତ୍ରାଧିକ ଡୋଜ ଯୋଗୁ ଅନେକ ସମୟରେ ହାତୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ନିକଟରେ ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ‘କୁମ୍‌କୀ’ ପ୍ରଶିକ୍ଷଣ ନେଉଥିବା ‘ନନ୍ଦ’ ହାତୀକୁ ବାରମ୍ବାର ଟ୍ରାଙ୍କୁଲାଇଜ୍‌ କରିବାରୁ ତା’ର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ଉଠିଛି। ୨୦୨୧ ମାର୍ଚ୍ଚରେ ଯାଜପୁରର ନରହନ୍ତା ‘ନରସିଂହ’କୁ କୁମ୍‌କୀ ପ୍ରଶିକ୍ଷଣ ସମୟରେ ବାରମ୍ବାର ଟ୍ରାଙ୍କୁଲାଇଜ୍‌ କରିବା ଦ୍ୱାରା ତା’ର ମୃତ୍ୟୁ ଘଟିଛି। ଏବେ ଚନ୍ଦକାର ‘ଶଙ୍କର’କୁ ମଧ୍ୟ ବାରମ୍ବାର ଟ୍ରାଙ୍କୁଲାଇଜ୍‌ କରାଯାଉଛି। ଫଳରେ ସେ ଦୁର୍ବଳ ହୋଇ ଗଲାଣି ଏବଂ କେତେବେଳେ ତା’ର ମୃତ୍ୟୁ ଘଟିବ କହି ହେଉ ନାହିଁ। ମୃତ୍ୟୁ ସର୍ବଦା ହାତୀପଲ ପଛରେ ଗୋଡ଼େଇଛି। ଗତ ଅଢ଼େଇ ବର୍ଷରେ କେବଳ ରେଳ ଧାରଣାରେ ୧୩ ହାତୀଙ୍କ ଜୀବନ ଗଲାଣି।
ଦନ୍ତାହାତୀର ଦାନ୍ତ ଶିକାରୀର ବିଶେଷ ଆକର୍ଷଣ। ହାତୀଦାନ୍ତର ବଡ଼ ବଜାର ହେଉଚି ଚାଇନା। ସେଠାରେ ହାତୀଦାନ୍ତରୁ ପ୍ରସ୍ତୁତ ହେଉଥିବା ଏକ ଔଷଧ ପାଇଁ ଏହାର ଚାହିଦା ରହିଛି। ଗୃହର ଆସବାବପତ୍ରରେ ହାତୀଦାନ୍ତର କଳାକୃତି ବ୍ୟବହାର ଦନ୍ତାହାତୀ ହତ୍ୟାର ମୁଖ୍ୟ କାରଣ। ଚାଇନାର କିଛି ମାଫିଆ ଉତ୍ତର-ପୂର୍ବ ଭାରତକୁ ଟାର୍ଗେଟ୍‌ କରିଛନ୍ତି। ଆସାମ, ମଣିପୁର, ମିଜୋରାମ ଓ ଓଡ଼ିଶାକୁ ଲକ୍ଷ୍ୟକରି ହାତୀଦାନ୍ତ ବେପାରୀମାନେ ଜାଲ ବିଛାଇ ବସିଛନ୍ତି। ବିଭାଗୀୟ ଧରପଗଡ଼ ଯୋଗୁ ଅନେକ ହାତୀଦାନ୍ତ ଜବତ କରାଯାଉଛି, କିନ୍ତୁ ଅପରାଧ ରୋକିବା ପାଇଁ ଯଥେଷ୍ଟ ନୁହେଁ। ଦୋଷୀକୁ ଦଣ୍ଡ ଦେବା ଅପେକ୍ଷା ଦୋଷ ନ ଘଟାଇବାର ଆଶୁ ପଦକ୍ଷେପ ସର୍ବଦା ସ୍ବାଗତଯୋଗ୍ୟ।
ଆମ ସମାଜରେ ଅନ୍ୟ ବନ୍ୟଜନ୍ତୁ ଅପେକ୍ଷା ହାତୀର ସ୍ଥାନ ସ୍ବତନ୍ତ୍ର। ସଭ୍ୟତାର ଉନ୍ମେଷକାଳରୁ ହାତୀ ଜନଜୀବନ ସହିତ ଜଡ଼ିତ। ଖ୍ରୀ.ପୂ. ୬ ହଜାର ବର୍ଷ ତଳେ ହରପ୍ପା ସିନ୍ଧୁ ସଭ୍ୟତା କାଳରେ ସମାଜରେ ପୋଷ୍ୟ ହାତୀର ସୂଚନା ମିଳେ। ଅଧୁନା ହାତୀକୁ ଗଜରାଜ ବୋଲି ସମ୍ବୋଧନ କରାଯାଏ। ଗଜଲକ୍ଷ୍ମୀ ପୂଜା ହିନ୍ଦୁ ସମାଜରେ ନିଷ୍ଠାର ସହିତ ପାଳିତ ହୁଏ। ହିନ୍ଦୁ ଦେବତା ବିଘ୍ନନାଶନ ଗଣେଶଙ୍କର ମୁଣ୍ଡ ହେଉଛି ହାତୀମୁଣ୍ଡ। ଇନ୍ଦ୍ର ଦେବତାଙ୍କ ପ୍ରିୟ ହସ୍ତୀର ନାମ ଐରାବତ। ମହାପ୍ରଭୁ ଜଗନ୍ନାଥଙ୍କର ମାଘ ପୂର୍ଣ୍ଣିମା ଦିନ ‘ଗଜ ଉଦ୍ଧାରଣ ଗଣେଶ ବେଶ’ ଦେଖିବାକୁ ମିଳିଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ମଣ୍ଡପରେ ଜଗନ୍ନାଥ ଦିବ୍ୟ ‘ଗଜବେଶ’ରେ ଜାତି ଧର୍ମ ନିର୍ବିଶେଷରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଆମ ରାଜ୍ୟର ରାଜାଙ୍କୁ ଗଜପତି ବୋଲି ସମ୍ବୋଧନ କରାଯାଏ ‘ବୀରଶ୍ରୀ ଗଜପତି’। କିନ୍ତୁ ପରିତାପର ବିଷୟ, ଆଜି ମର୍ତ୍ତ୍ୟର ଐରାବତ ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛି ପ୍ରତି ମୁହୂର୍ତ୍ତରେ। ହାତୀ ଏକ ଶାକାହାରୀ ଜୀବ। ଜଙ୍ଗଲ, ବଣ, ନଟାର ସବୁଜ ପତ୍ର ହେଉଛି ତା’ର ଜୀବନ। ଆଜିର ଦ୍ରୁତ ଜନବୃଦ୍ଧି ଓ ବନକ୍ଷୟ ବନ୍ୟପ୍ରାଣୀ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ହାତୀମାନଙ୍କ ପାଇଁ ଅରଣ୍ୟରେ ଯଥେଷ୍ଟ ଖାଦ୍ୟ ମିଳୁନାହିଁ। ଫଳରେ ସେମାନେ ଗାଁ ଓ ସହରମୁହଁା ହେଉଛନ୍ତି। ଯଦ୍ଦ୍ବାରା ସେମାନେ ମଣିଷର ଶିକାର ହେଉଛନ୍ତି ଓ ମଣିଷ ମଧ୍ୟ ସେମାନଙ୍କ ଦ୍ୱାରା ମୃତ୍ୟୁ ଲଭୁଛି। ମଣିଷ-ହାତୀ ଲଢ଼େଇ ନିତିଦିନିଆ ଘଟଣା ପାଲଟିଲାଣି। ବନ୍ୟଜନ୍ତୁ ଶିକାରକୁ ରୋକିବା ପାଇଁ ୨୦୦୮ରେ ସ୍ପେସାଲ ଷ୍ଟ୍ରାଇକିଂ ଫୋର୍ସ ଗଠନ ପାଇଁ ଘୋଷଣା କରିଥିଲେ। ଘୋଷଣାକୁ ୧୪ ବର୍ଷ ବିତିଗଲାଣି, ହେଲେ ଏପର୍ଯ୍ୟନ୍ତ ଏହା ଗଠନ ହୋଇପାରିଲା ନାହିଁ। ଘୋଷଣା ବା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ତରିକତା ଓ ସଚେତନତାର ଆବଶ୍ୟକତା ରହିଛି।

  • ରାଧାମୋହନ ମହାପାତ୍ର
    ମୋ: ୯୮୬୧୧୮୯୯୩୬

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri