ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନି, ପ୍ରତିବାଦରେ ରାସ୍ତା ଅବରୋଧ

ଢେଙ୍କାନାଳ ଅଫିସ,୧୭ା୪: ଢେଙ୍କାନାଳ ସଂସଦୀୟ କ୍ଷେତ୍ର ମଧ୍ୟ ଦେଇ ଯାଇଥିବା ୫୫ ଓ ୧୪୯ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ ହେଉଥିବାରୁ ପ୍ରତିବାଦରେ ସୋମବାର ସକାଳ ୮ ଟାରୁ ୯ଟା ପର୍ଯ୍ୟନ୍ତ ଢେଙ୍କାନାଳ କଲେଜ ବାଇପାସ ଛକରେ ରାଜପଥ ଅବରୋଧ ହୋଇଥିଲା। ଏମ୍‌ପି ମହେଶ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆଦୋଳନରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ ସମେତ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ, ଅଞ୍ଚଳବାସୀ ସାମିଲ ହୋଇଥିଲେ। ଢେଙ୍କାନାଳ କଲେଜ ବାଇପାସ ଛକସ୍ଥିତ ୫୫ ନମ୍ବର ଜାତୀୟ ରାଜପଥକୁ ୧ ଘଣ୍ଟା ଧରି ଅବରୋଧ କରାଯିବାରୁ ରାଜପଥର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ୫୫ ଓ ୧୪୯ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ପରେ ମଧ୍ୟ ସରୁ ନ ଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟି ବହୁ ଧନ, ଜୀବନ ନଷ୍ଟ ହେଉଛି। ଏ ସମ୍ପର୍କରେ ବାରମ୍ବାର ବିଭିନ୍ନ ସଂଗଠନ ପକ୍ଷରୁ ଦ୍ରଷ୍ଟି ଆକର୍ଷଣ ଏବଂ ଆନ୍ଦୋଳନ କରାଯିବା ପରେ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ ଚେତୁନାହାନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି।