ରାସ୍ତା ପାଲଟିଲା ଜନସମୁଦ୍ର

ବାଲେଶ୍ୱର ଅଫିସ,  ୨୨।୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟାର ଶୁକ୍ରବାର ଶେଷ ହୋଇଛି। ଶେଷ ଦିନରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ ଅଫିସ ଏମିତିକି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀମାନେ ବହୁ ସଂଖ୍ୟାରେ ନାମାଙ୍କନ ଦାଖଲ କରିଥିବା ଦେଖିବାକୁ ମିଳିଥିଲା। ତେବେ ଶେଷ ଦିନରେ ୱାର୍ଡ଼ସଭ୍ୟ, ସରପଞ୍ଚ ଓ ସମିତିସଭ୍ୟ ତୁଳନାରେ ଜିଲା ପରିଷଦ ସଦସ୍ୟ ପଦ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ବେଶ ଗୁରୁତ୍ୱ ବହନ କରିଥିଲା। ଜିଲା ପରିଷଦ ସଭ୍ୟ ପଦ ପାଇଁ ଦଳୀୟ ଟିକେଟ ଆବଶ୍ୟକ ଥିବା ବେଳେ ନାମାଙ୍କନ ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ଦଳୀୟ ନେତା ଓ ସମର୍ଥକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଶେଷ ଦିନରେ ବିଭିନ୍ନ ଜିଲା ପରିଷଦ ଜୋନରେ ବିଜେଡି, ଭାଜପା, କଂଗ୍ରେସ, ସିପିଆଇ, ସିପିଏମ ଏମିତିକି ‘ଆପ’ ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରାୟ ପ୍ରତ୍ୟେକ ଦଳର ପ୍ରାର୍ଥୀ ଦଳୀୟ ନେତା ଓ ସହଯୋଗୀଙ୍କ ଗହଣରେ ପଦଯାତ୍ରାରେ ଆସି ଉପଜିଲାପାଳଙ୍କଠାରେ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ପ୍ରାର୍ଥୀଙ୍କ ସମେତ କେବଳ ଜଣେ କିମ୍ବା ଦୁଇଜଣ ସମର୍ଥକ ଓ ପ୍ରସ୍ତାବକ ଯାଉଥିଲେ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୁକ୍ତଙ୍କ ମାର୍ଗଦର୍ଶିକା ଅନୁସାରେ ପ୍ରାଶାସନ ଓ ପୋଲିସ ପକ୍ଷରୁ ବିହୀତ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହାକୁ ଦଳୀୟ ନେତା ଓ କର୍ମୀ ଭ୍ରୂକ୍ଷେପ କରି ନ ଥିଲେ। କୋଭିଡ କଟକଣା ସତ୍ତ୍ୱେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଉପଜିଲାପାଳଙ୍କ ଅଫିସ ସମ୍ମୁଖ ରାସ୍ତା ଜନସମୁଦ୍ର ପାଲଟିଯାଇଥିଲା। ୨୨ ତାରିଖରେ ପ୍ରାର୍ଥତ୍ପତ୍ର ଯାଞ୍ଚ, ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ୨୬ ତାରିଖରୁ ପ୍ରଚାରକୁ ଜୋରଦାର କରାଯିବ ବୋଲି ଅନୁମାନ କରାଯାଉଛି।