ନେତାଜୀ ବସ୍‌ ଟର୍ମିନାଲ ପାଇଁ ବାଟ ଫିଟିଲା

କଟକ ଅଫିସ,୧୬।୨: ଖାନ୍‌ନଗରଠାରେ ପ୍ରସ୍ତାବିତ ନେତାଜୀ ବସ୍‌ ଟର୍ମିନାଲକୁ ବିରୋଧ କରି ଦାୟର ହୋଇଥିବା ଦୁଇଟି ଜନସ୍ବାର୍ଥ ମାମଲା ସୋମବାର ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ମା’ ଶ୍ମଶାନ କାଳୀ ମନ୍ଦିର ଥିବା ଜମି ବ୍ୟତୀତ ଅନ୍ୟ ଜମି ଉପରେ ପୂର୍ବରୁ ଜାରି କରାଯାଇଥିବା ସ୍ଥିତାବସ୍ଥାକୁ ହାଇକୋର୍ଟ ଉଠାଇ ଦେଇଛନ୍ତି। ଫଳରେ ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ବାଟ ଫିଟିଛି। ସୂଚନାଯୋଗ୍ୟ, ପ୍ରସ୍ତାବିତ ଅଞ୍ଚଳରେ ଥିବା ହାଇସ୍କୁଲ, ପାର୍କ ଓ ବିଶ୍ୱନାଥ ପାଠାଗାର ସ୍ଥାନାନ୍ତରକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହ ବିରୋଧର ସ୍ବର ଉଠିଥିଲା। ବସ୍‌ ଟର୍ମିନାଲକୁ ବିରୋଧ କରାଯାଇ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ତେବେ ସମ୍ପୃକ୍ତ ହାଇସ୍କୁଲ, ପାର୍କ ଓ ପାଠାଗାର ନିମନ୍ତେ ବିକଳ୍ପ ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ ସୋମବାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଏହାପରେ କୋର୍ଟ ତାଙ୍କ ରାୟରେ ପ୍ରସ୍ତାବିତ ବସ୍‌ ଟର୍ମିନାଲ ରାଜ୍ୟ ସରକାରଙ୍କ ନୀତିଗତ ନିଷ୍ପତ୍ତି ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେବା ସହ ଆଗତ ଦୁଇଟି ଜନସ୍ବାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି। ତେବେ କାଳୀ ମନ୍ଦିର ଥିବା ଜମି ଉପରେ ପୂର୍ବଭଳି ସ୍ଥିତାବସ୍ଥା ବଜାୟ ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ଜମି ବିବାଦ ସଂକ୍ରାନ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ ମାସରେ ହେବ ବୋଲି ହାଇକୋର୍ଟ କହିଛନ୍ତି।